ପୁରୀ: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରାକୁ କଟକଣା ଭିତରେ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବରେ ୨୧ ଦିନ ଧରି ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ସୀମିତ ସଂଖ୍ୟକ ସେବକରେ ନୀତିକାନ୍ତି ସଂପାଦନ ହେବ। ନୀତି ସଂପୃକ୍ତ ସେବକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ସମସ୍ତଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ରାତି ୯ଟା ପୂର୍ବରୁ ମହାପ୍ରଭୁ ଚାପ ଖେଳି ଶ୍ରୀମନ୍ଦିରେ ପହଞ୍ଚିବେ। ଆବଶ୍ୟକସ୍ଥଳେ ରାତି ଚାପକୁ ବନ୍ଦ କରି ପ୍ରତୀକାତ୍ମକ ନୀତିକାନ୍ତି ସଂପାଦନ କରି ମହାପ୍ରଭୁଙ୍କ ବାହୁଡ଼ା ବିଜେ ନୀତି ସଂପନ୍ନ ହେବ। ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ବେଳେ ବି ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ହୋଇଛି।

ଗତକାଲି ଚନ୍ଦନଯାତ୍ରା ଉପରେ ଗଜପତି ମହାରାଜଙ୍କ ବୈଠକ ପରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ ବୈଠକ ବସିଥିଲା। ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଲ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସନ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ବିଭିନ୍ନ ନିଯୋଗର ସଭାପତି, ସଂପାଦକ ଓ ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ।

The post ଚନ୍ଦନଯାତ୍ରା, ରଥ ଅନୁକୂଳ ପାଇଁ ଜାରି ହେବ ୧୪୪ ଧାରା first appeared on Sambad.

from ଜିଲ୍ଲା | Sambad https://ift.tt/3w4eO4d