ବାଲୁଗାଁ : ୨୫ ବର୍ଷ ବୟସ୍କ ପୁଅର ଶବକୁ ଧରି ଡାକ୍ତରଖାନା ପରିସରରେ ମାଆ କାନ୍ଦୁଥିଲା। ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ୬ ଘଣ୍ଟା ପର୍ଯ୍ୟନ୍ତ ସମ୍ପର୍କୀୟ ପାଖ ମାଡ଼ିଲେନି। ଗାଁ ଶ୍ମଶାନରେ ଅନ୍ତିମ ସତ୍କାର କରିବାକୁ ଗ୍ରାମବାସୀ ଅନୁମତି ଦେଲେନି। ମଣିଷ ସମ୍ପର୍କ ଓ ମାନବିକତାକୁ ଭୁଲିଗଲେ ସମସ୍ତେ। ଏଭଳି ସମୟରେ ସହାୟତାର ହାତ ବଢ଼ାଇଥିଲା ପୁଲିସ। ଯୁବକଙ୍କ ଶବକୁ ଅନ୍ତିମ ସତ୍କାର କରି ମଣିଷପଣିଆ ଦେଖାଇଛି ବାଲୁଗାଁ ପୁଲିସ।

ଚିଲିକା ବ୍ଲକ୍‌ କୁମାଣ୍ଡଳ ପଞ୍ଚାୟତ ସରଳସିଂ ଗ୍ରାମର ଦିବାକର ବାରିକ (୨୫) ତାଙ୍କ ମା’ଙ୍କ ସହ କରଡ଼ି ଗ୍ରାମରେ ରୁହନ୍ତି। ଏକ କୁକୁଡ଼ା ଫାର୍ମରେ କାମ କରି ସେ ଯାହା ଦରମା ପାଆନ୍ତି, ସେଥିରେ ମା’ ପୁଅ ଚଳନ୍ତି। ଦିବାକରଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କ ମା’ଙ୍କ ସହ ସେ ଗତକାଲି ପୂର୍ବାହ୍‌ଣରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଦୀର୍ଘ ଦିନ ଧରି ଜ୍ବର ହେଉଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଔଷଧ ଦିଆଯାଇଥିଲା ଏବଂ କୋଭିଡ୍‌ ପରୀକ୍ଷା ପାଇଁ କୁହାଯାଇଥିଲା। ହେଲେ ସେ ପରୀକ୍ଷା ନକରି ଘରକୁ ପଳାଇଯାଇଥିଲେ। ଅପରାହ୍‌ଣରେ ସେ ଗାଁରେ ଠିଆ ହୋଇଥିଲା ସମୟରେ ହଠାତ୍‌ ଟଳିପଡ଼ିଥିଲେ। ଅଙ୍ଗନବାଡ଼ି କର୍ମଚାରୀଙ୍କଠାରୁ ଖବର ପାଇ ଆମ୍ବୁଲାନ୍ସ ପହଞ୍ଚି ଦିବାକରଙ୍କୁ ବାଲୁଗାଁ ମେଡିକା‌ଲ୍‌ ନେଇଥିଲେ। ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ବାଲୁଗାଁ ମେଡିକାଲ ଅଧିକାରୀ ସୂଚନା ଦେଇଥିଲେ। ପୁଅର ଶବକୁ ଧରି ମେଡ଼ିକାଲ୍‌ରେ ମାଆ କାନ୍ଦୁଥିଲେ, କରୋନା ଭୟରେ କେହି ଆସିଲେନି। ଖବରପାଇ ବାଲୁଗାଁ ଏସ୍‌ଡିପିଓ ମାନସ ରଂଜନ ବାରିକ ଓ ଚିଲିକା ପ୍ରଶାସନ ସହଯୋଗରେ ବାଲୁଗାଁ ଥାନା ପୁଲିସ ଦିବାକରଙ୍କ ଶବକୁ ଅନ୍ତିମ ସତ୍କାର କରିଥିଲେ। ପୁଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ପାଖ ମାଡ଼ିଲେନି ସଂପର୍କୀୟ, ଶବ ସତ୍କାର କଲେ ଏନ୍‌ଏସି କର୍ମଚାରୀ
ଦିଗପହଣ୍ଡି : ଦିଗପହଣ୍ଡି ଏନ୍‌ଏସି ୪ ନମ୍ବର ଓ୍ବାର୍ଡ଼ରେ ଦୀର୍ଘଦିନ ଧରି ଅସୁସ୍ଥତା ଯୋଗୁଁ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତେବେ, କରୋନା ସନ୍ଦେହରେ ସଂପର୍କୀୟମାନେ ପାଖ ନମାଡ଼ିବାରୁ ଏନ୍‌ଏସି କର୍ମଚାରୀମାନେ ଶବ ସତ୍କାର କରିବା ଭଳି ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ବର୍ଷେ ହେଲା ଅସୁସ୍ଥ ଥିବା କମାସାହି ବାସିନ୍ଦା ଶ୍ରୀକାନ୍ତ ସାହୁ (୭୦)ଙ୍କ ଆଜି ମୃତ୍ୟୁ ହୋଇଥିଲା। ହେଲେ ବିଧବା ପତ୍ନୀ ଏବଂ ବିଧବା ଭାଉଜଙ୍କୁ ବାଦ୍ ଦେଇ ‌କୌଣସି ସଂପର୍କୀୟ ଭୟରେ ପାଖ ମାଡ଼ିନଥିଲେ। ଦିଗପହଣ୍ଡି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ସୂଚନା ପାଇ କିଛି କର୍ମଚାରୀଙ୍କ ସହ ପହଞ୍ଚିଥିଲେ। ଆମ୍ବୁଲାନ୍ସ୍ ଡାକି ଶବକୁ ଶ୍ମଶାନକୁ ନିଆଯାଇଥିଲା। ଗୁପ୍ତେଶ୍ବର ଶ୍ମଶାନରେ କର୍ମଚାରୀ ମାନେ ଶବକୁ ସତ୍କାର କରିଥିଲେ। ନିର୍ବାହୀ ଅଧିକାରୀଙ୍କ ମହନୀୟତାକୁ ସହରବାସୀ ପ୍ରଶଂସା କରିଛନ୍ତି।

The post ପରିବାର ଲୋକ ଛୁଇଁଲେନି, ପୁଲିସ ଶବ ସତ୍କାର କଲା first appeared on Sambad.

from ଜିଲ୍ଲା | Sambad https://ift.tt/3ffZoD0