ପୁରୀ: ବରାଦି ଅବଢ଼ାକୁ କରେନା ମାଡ଼! ସପ୍ତାହାନ୍ତ ସଟ୍‌ଡାଉନ୍‌ ସମୟରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ରନ୍ଧା ଅବଢ଼ା ବିକ୍ରି ନ ହେବାରୁ ଶନିବାର ପୋତା ହୋଇଥିବା ବେଳେ ରବିବାର ବସ୍ତିବାସିନ୍ଦାଙ୍କୁ ବଣ୍ଟା ହୋଇଛି। ଆସନ୍ତାକାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବାରୁ ବରାଦି ଅବଢ଼ା ବିକ୍ରି ବନ୍ଦ ହେବା ଥୟ ହୋଇଛି। ଏଣୁ ସୁଆର ମହାସୁଆର ନିଯୋଗର ଚିନ୍ତା ବଢ଼ିଛି।
ଗୋଟିଏ ପଟେ ଅବଢ଼ା ପ୍ରସ୍ତୁତି ବନ୍ଦ କରିଦେଲେ ଲୋକ ପାଇବେନି, ଏଣେ ତିଆରି ହେଲେ ନଷ୍ଟ ହେବ। ଏଣୁ ଏହି ଲକ୍‌ଡାଉନ୍‌ ସମୟରେ ଅବଢ଼ା କିଭଳି ବିକ୍ରି ହେବ ଏବଂ ଲୋକମାନେ ଆସି ଯେଭଳି ଅବଢ଼ା ନେଇପାରିବେ, ପ୍ରଶାସନ ସେଭଳି ବ୍ୟବସ୍ଥା କରିବାକୁ ନିଯୋଗ ସଭାପତି ନାରାୟଣ ମହାପାତ୍ର ଦାବି କରିଛନ୍ତି। ଅନ୍ୟପଟେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆସନ୍ତା ୬ ତାରିଖରେ ୭ ଜଣିଆ ସେବାୟତ କମିଟି ସହ ବୈଠକ ରହିଛି। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଲକ୍‌ଡାଉନ ସମୟରେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଶ୍ରୀମନ୍ଦିର ସେବାପୂଜା ଓ ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ ହେବ ସେ ନେଇ ଆଲୋଚନା କରାଯିବ। ମହାପ୍ରସାଦକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। କୋଭିଡକୁ ନେଇ ମେ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଏହି ଅବଧି ବୃଦ୍ଧି କରାଯିବ କି ନାହିଁ ସେ ନେଇ ମଧ୍ୟ ଆଲୋଚନା ହେବ। ମେ ୧୫ରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ସହ ରଥ ଅନୁକୂଳ ନୀତି ରହିଛି। ସେ ସବୁ କିଭଳି କଟକଣା ଭିତରେ ହେବ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ଗତ ଦୁଇ ଦିନର ସଟ୍‌ଡାଉନ୍‌ ଯୋଗୁ ଭକ୍ତଙ୍କ ସଂଖ୍ୟା ଶୂନ ହେବାରୁ ଅବଢ଼ା ବିକ୍ରି ହୋଇ ପାରିନଥିଲା। ଏଣୁ କେବଳ କୋଠ ଭୋଗ ଓ ବରାଦି ଭୋଗ ଛଡ଼ା ଅଧିକ ମହାପ୍ରସାଦ ନ ରାନ୍ଧିବାକୁ ସୁଆରମହାସୁଆର ନିଯୋଗ ଚିନ୍ତା କରିଥିଲା। ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ସମୟରେ ଖାଦ୍ୟପଦାର୍ଥ ପାର୍ସଲ ଦିଆଯାଉଥିବା ବେଳେ ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ଲୋକମାନଙ୍କ ପାଇଁ ପାର୍ସଲ ବ୍ୟବସ୍ଥା କାହିଁକି କରାଯାଉ ନାହିଁ ବୋଲି କେତେକ ସୁଆର ପ୍ରଶ୍ନ କରିଥିଲେ। ଏଣୁ ନିଯୋଗ ସଭାପତି ଏହି ପ୍ରସଙ୍ଗକୁ ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ପୂର୍ବରୁ ଶ୍ରୀମନ୍ଦିରରେ ଦୈନିକ ପାଖାପାଖି ୪୦,୦୦୦ ଭକ୍ତଙ୍କ ଖାଇବା ପାଇଁ ମହାପ୍ରସାଦ ରନ୍ଧା ଯାଉଥିଲା। କିନ୍ତୁ କରୋନା କାଳରେ ଏହା ୨୦୦ରୁ ୩୦୦ କୁ ଖସି ଆସିଛି। ଗତ ବର୍ଷ ୯ ମାସ ଧରି ଶ୍ରୀମନ୍ଦିରରେ ଏଭଳି ଅବସ୍ଥା ଲାଗି ରହିଥିବାରୁ ସୁଆରମାନେ ପ୍ରଭାବିତ ହୋଇଛନ୍ତି। ଏ ନେଇ ସଭାପତି ନାରାୟଣ ମହାପାତ୍ର କହିଛନ୍ତି, ଆସନ୍ତା ୬ ତାରିଖରେ ହେବାକୁ ଥିବା ସେବାୟତ ପ୍ରତିନିଧି ବୈଠକରେ ପବିତ୍ର ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ଆଦି ପ୍ରସଙ୍ଗ ସମେତ ମହାପ୍ରସାଦ ବିକ୍ରି ପ୍ରସଙ୍ଗ ଉଠିବ।

The post ବରାଦି ଅବଢ଼ାକୁ କରେନା ମାଡ଼: ଶନିବାର ପୋତାହେଲା, ରବିବାର ବସ୍ତିରେ ବଣ୍ଟା ହେଲା first appeared on Sambad.

from ଜିଲ୍ଲା | Sambad https://ift.tt/3nSdrCD