
ବାଲେଶ୍ବର: ବାତ୍ୟା ‘ୟାସ୍’ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ସବୁଠୁ ଅଧିକ କ୍ଷତି ଘଟାଇବ ବୋଲି ପାଣିପାଗ ବିଭାଗ ସତର୍କ କରାଇବା ପରେ ଚାନ୍ଦିପୁରସ୍ଥିତ ଡିଆରଡିଓର ଆଇଟିଆର୍ ଓ ପିଏକ୍ସଇ ସହ ଧାମରା ଉପକୂଳରେ ଥିବା କଲାମ ଦ୍ବୀପର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏ ନେଇ ଆଜି ଚାନ୍ଦିପୁରଠାରେ ପ୍ରତିରକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାତ୍ୟା ‘ୟାସ୍’କୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଥିଲା।
ଆଇଟିଆରର ଅତିରିକ୍ତ ନିର୍ଦେଶକ ନୀଳାଦ୍ରି ରାୟଙ୍କ ସୂଚନା ଅନୁଯାୟୀ, ଧାମରାଠାରୁ ୧୩ କିଲୋମିଟର ଜଳଭାଗ ଭିତରେ ଥିବା କଲାମ ଦ୍ବୀପରେ ଡିଆର୍ଡିଓର ପ୍ରାୟ ୧୫୦ ଜଣ କର୍ମଚାରୀ ରହୁଥିବା ବେଳେ ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ସେଠାରୁ ଆଜି ଅଧା କର୍ମଚାରୀ ସ୍ଥାନାନ୍ତର କରାଯାଇଛି ଏବଂ ସେଠାରେ ରହୁଥିବା ଅବଶିଷ୍ଟ କର୍ମଚାରୀଙ୍କୁ ସେଠାରେ ଥିବା ବିଲ୍ଡିଂର ଉପର ମହଲାରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହାବାଦ ସେଠାରେ ରହିଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ସମସ୍ତ ଉପକରଣଗୁଡ଼ିକୁ ନିରାପଦ ସ୍ଥାନରେ ରଖାଯାଇଛି। ଚାନ୍ଦିପୁରଠାରେ ଆଇଟିଆରର ପ୍ରବେଶ ପଥରେ ‘ୟାସ୍’ ପାଇଁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସମୁଦ୍ରପତ୍ତନଠାରୁ ୨ କିଲୋମିଟର ଉପରଭାଗରେ ଏହା ଅବସ୍ଥିତ ଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ପଦକ୍ଷେପ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷୟକ୍ଷତିର ମୁକାବିଲା ପାଇଁ ଆଇଟିଆର ଫାୟାର ଟିମ୍, ୱାର୍କସ୍ ଟିମ୍, ପିଏକ୍ସଇର ଫାୟାର ଓ ୱାର୍କସ ଟିମ୍, ଅଫିସର୍ସ-କର୍ମଚାରୀମାନେ ରହୁଥିବା କଲୋନି ଇଷ୍ଟେଟ୍ ମ୍ୟାନେଜମେଣ୍ଟ୍ର ଗୋଟିଏ ଲେଖା ଟିମ୍କୁ ଆଲର୍ଟ କରାଯାଇଥିବା ଶ୍ରୀ ରାୟ ସୂଚନା ଦେଇଛନ୍ତି।
The post ଡିଆର୍ଡିଓକୁ ବାତ୍ୟା ସୁରକ୍ଷା ଚିନ୍ତା, ସ୍ଥାନାନ୍ତର ହେଲେ କଲାମ ଦ୍ବୀପର ଅଧା କର୍ମଚାରୀ first appeared on Sambad.from ଜିଲ୍ଲା | Sambad https://ift.tt/2StIsBr
0 Comments