
ଗୁଣପୁର/ଗୁଡ଼ାରୀ : ଗଞ୍ଜେଇ ଗାଡ଼ିକୁ ପାର୍ କରାଇବା ପାଇଁ ହୋଇଥିଲା ୪ଲକ୍ଷ ୭୦ହଜାର ଟଙ୍କାରେ ଡିଲ୍। ଆଉ ଏହି ଡିଲ୍ କରିଥିଲେ ୩ଜଣ ହୋମାଗାର୍ଡ। ଅଭିଯୋଗ ମିଳିବା ପରେ ଆରମ୍ଭ ହୋଇଥିବା ଖୋଳତାଡ଼ରୁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପୁଲିସକୁ ଚକିତ କଲା ଭଳି ତଥ୍ୟ ମିଳିଥିଲା। ଲକ୍ଷେ ଟଙ୍କା ଜବତ କରିବା ସହ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି। ସେହିପରି ସଂପୃକ୍ତ ୩ଜଣ ହୋମାଗାର୍ଡଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଗଞ୍ଜେଇ ଚାଲାଣରେ ପୁଲିସ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଏମିତି ସଂପୃକ୍ତି ଆସିବା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ଗତ ୧୭ତାରିଖ ଦିନ ଗୋଟିଏ ଗଞ୍ଜେଇ ଗାଡ଼ି ଗୁଡ଼ାରୀ ଥାନା ଅନ୍ତର୍ଗତ ଗୁମୁଡ଼ା ଅଞ୍ଚଳ ଦେଇ ଅତିକ୍ରମ କରିଥିଲା। ପୁଲିସ ଯେମିତି ଏହି ଗାଡ଼ିକୁ ଅଟକାଇବ ନାହିଁ, ସେଥିପାଇଁ ଲକ୍ଷାଧିକ ଟଙ୍କାର ଡିଲ୍ କରିଥିଲେ ଗଞ୍ଜେଇ ମାଫିଆ। ଡିଲ୍ ଅନୁଯାୟୀ ବିନା କୌଣସି ପ୍ରତିବନ୍ଧକରେ ଗାଡ଼ି ଗୁଡ଼ାରୀ ଥାନା ସୀମାକୁ ଅତିକ୍ରମ କରିଥିଲା। ତେବେ କୌଣସି ସୂତ୍ରରୁ ଏ ନେଇ ପୁଲିସ ନିକଟରେ ସୂଚନା ପହଞ୍ଚି ଯାଇଥିଲା। ତେଣୁ ନିଜଆଡ଼ୁ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା ଗୁଡ଼ାରୀ ଥାନା ପୁଲିସ। ପ୍ରାଥମିକ ଯାଞ୍ଚ ପରେ ୩ଜଣ ହୋମାଗାର୍ଡଙ୍କ ସଂପୃକ୍ତି ଏବଂ ଡିଲ୍ ବିଷୟରେ ଜାଣିବାକୁ ପାଇଥିଲା ପୁଲିସ। ଅଧିକ ତଦନ୍ତ ପରେ ହୋମଗାର୍ଡ଼ ତଥା ଗୁଣପୁର ଅଞ୍ଚଳର ପ୍ରସାଦ କୁମ୍ଭାର (୨୭), ଗୁମୁଡ଼ା ନିକଟସ୍ଥ ଗୋପାଳପୁର ଅଞ୍ଚଳର ଗୋପବନ୍ଧୁ ଗୌଡ଼ (୪୬) ଏବଂ ପଦ୍ମପୁର ଥାନା ଅଧୀନସ୍ଥ ଜାତିଲି ଗ୍ରାମର ଜି. କ୍ରିଷ୍ଣା ରାଓ (୪୦)ଙ୍କୁ ଗିରଫ କରାଯାଇଥିବା ଗୁଣପୁର ଏସ୍ଡିପିଓ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି।
The post ଗଞ୍ଜେଇ ଗାଡ଼ି ପାର୍ କରିବାକୁ ଲକ୍ଷଲକ୍ଷ କାରବାର, ୩ ହୋମ୍ଗାର୍ଡଙ୍କ ସମେତ ୪ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3bLBgra
0 Comments