
ବାରିପଦା : ମୟୂରଭଞ୍ଜ ଉପରେ ରହିଛି ବାତ୍ୟା ୟାସର ମୁହଁ। ବର୍ତ୍ତମାନ ପରିସ୍ଥିତି ରେ ଜିଲ୍ଲାକୁ ଘନେଇ ଆସୁଛି ବିପଦ। ବେଳକୁ ବେଳ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ଆଜି ଜିଲ୍ଲାରେ ହାରାହାରି ୬୨.୬୫ ମିମି ବର୍ଷା ରେକର୍ଡ କରାଯାଇଛି। କୁସୁମୀ ବ୍ଲକ ରେ ସର୍ବାଧିକ ୩୦୪ ମିମି ବର୍ଷା ହେଇଛି। ଯାହାକି ସମଗ୍ର ରାଜ୍ୟରେ ସର୍ବାଧିକ ବୋଲି କୁହାଯାଉଛି।
ଶିମିଳିପାଳ ଉପର ମୁଣ୍ଡରେ ବର୍ଷା ବଢ଼ୁଥିବାରୁ ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ଏବଂ ଅନ୍ୟାନ୍ୟ ନଦୀର ଜଳସ୍ତର ବଢିବା ଆଶଙ୍କା ଦେଖାଦେଇଛି। ଯଦିଓ ଆଜି ସକାଳ ସୁଦ୍ଧା ଜିଲ୍ଲାର ବିଭିନ୍ନ ନଦୀ ଜଳସ୍ତର ସ୍ଥିର ଅଛି। ତଥାପି ଏନେଇ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଜିଲ୍ଲାପାଳ ବିନିଥ ଭରଦ୍ବାଜ, ଏସ୍ପି ସ୍ମିତ ପି ପରମାରଙ୍କ ସହିତ ବରିଷ୍ଠ ଅଧିକାରୀମାନେ ବୁଢ଼ାବଳଙ୍ଗ ନଦୀ ପାଖକୁ ଯାଇ ସ୍ଥିତି ପରଖିଛନ୍ତି। ସେହିପରି ପଵନର ବେଗ ମଧ୍ୟ ୧୦୦ ପାଖାପାଖି ରହିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜିଲ୍ଲାରୁ ୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଗଲାଣି। ଜିଲ୍ଲାରେ ୧୦ଟି ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ସହିତ ଅତିରିକ୍ତ ୫୯୨ଟି ଆଶ୍ରୟ ସ୍ଥଳ କାର୍ଯ୍ୟ କରୁଛି। ତେବେ ଜିଲ୍ଲାରେ ବାତ୍ୟା ୟାସ ପ୍ରଥମ ମୁଣ୍ଡ ନେଇଥିବା ଜଣାପଡ଼ିଛି।

ମୋରଡ଼ା ବ୍ଲକ ପଳସମୁଣ୍ଡି କୁସୁମତାଣ୍ଡି ଗାଁର ବୁଦିନି ସିଂ(୭୫)ଙ୍କର ଘର କାଁଥ ପଡିବା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତକାଲି ରାତି ପ୍ରାୟ ୩ରୁ ସାଢ଼େ ୩ ମଧ୍ୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି। ମାଟି ଘରେ ଶୋଇଥିବା ବେଳେ ଏପରି ଅଘଟଣ ଘଟିଥିବା ସୂଚନା ଦେଇଛନ୍ତି ମୃତକଙ୍କ ପୁଅ ବଳରାମ ସିଂ।ସ୍ଥାନୀୟ ବିଧାୟକ ରାଜ କିଶୋର ଦାସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି। ଏନେଇ ଖୁବଶୀଘ୍ର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପବନର ବେଗ ବଢ଼ୁଥିବାରୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଛି। ରାସ୍ତା ସଫା ଏବଂ ଉଦ୍ଧାର କାର୍ଯ୍ୟରେ ୯ ଏନଡିଆରଏଫ ଓ ୩ଟି ଓଡ୍ରାଫ ଟିମ
କାମରେ ଲାଗିଛନ୍ତି। ସରକାରୀ ଆଶ୍ରୟ ସ୍ଥଳରେ ଥିବା ଲୋକ ଙ୍କୁ ଗତକାଲି ରାତିରୁ ରନ୍ଧା ଖାଦ୍ୟ ଯୋଗାଇଦିଆଯାଉଛି। ସେହିପରି ଆଶ୍ରୟ ସ୍ଥଳରେ କୋଭିଡ କଟକଣା ମାନିବା ଏକପ୍ରକାର ଚ୍ୟାଲେଞ୍ଜ ହୋଇପଡିଛି। ଆଗାମୀ କିଛି ଘଂଟା ଜିଲ୍ଳା ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା କହିଛନ୍ତି ଜିଲ୍ଲାପାଳ। ଗତ ଅମ୍ଫାନ ବାତ୍ୟାରେ ଜିଲ୍ଲା ର ବାରିପଦା ଭଳି କିଛି ସ୍ଥାନରେ ପାଣି ପହିଯାଇଥିଲା। ଫାଇଲିନ, ଫନି ଓ ଅମ୍ଫାନ ବାତ୍ୟାର ଭୟାବହତାକୁ ଭୁଲିନଥିବା ମୟୂରଭଞ୍ଜବାସୀଙ୍କ ପାଇଁ ବାତ୍ୟା ୟାସ ପୁନର୍ବାର ଭୟ ସଂଚାର କରିଛି।
The post ମୟୂରଭଞ୍ଜ ଉପରେ ୟାସର ମୁହଁ, ପ୍ରବଳ ବର୍ଷା ଓ ପବନ ଜାରି, କାନ୍ଥ ପଡି ଜଣେ ବୃଦ୍ଧା ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3hTCPa9
0 Comments