
ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅଧୀନ ସିପ ସରୁବାଲି ମୌଜା ସରକାରୀ ଜମି ବିବାଦ ପୁଣିଥରେ ଉଗ୍ରରୂପ ନେବାରେ ଲାଗିଛି। ଜମି ମାଫିଆମାନେ ଏହି ଜମିକୁ ଦଖଲକୁ ନେଇ ଗୁଣ୍ଡାରାଜ ଚଳାଇଥିବା ବେଳେ ପ୍ରତିବାଦ କରିବାକୁ ଯାଇ ନିରୀହ ଜନସାଧାରଣ ବଳି ପଡ଼ୁଛନ୍ତି। ପୁଲିସକୁ ହାତ ବାରିସି କରିଥିବା ଜମି ମାଫିଆମାନେ ମିଛ କେସ୍ରେ ଗ୍ରାମବାସୀଙ୍କୁ ଫସାଇ ପ୍ରତିବାଦର ସ୍ବରକୁ ଦବାଇବାକୁ ଚେଷ୍ଟା ଚଳାଇବା ସହ ପ୍ରକୃତିକୁ ଖିନ୍ଭିନ୍ କରିବାରେ ଲାଗିଛନ୍ତି।
ସମୁଦ୍ର କୂଳରେ ଥିବା ଏହି ପ୍ରାକୃତିକ ପରିବେଶକୁ ମାଡ଼ିବସି ବାଲି, କାଠ ଆଦି ଚୋରି କରିବାରେ ଲାଗିଛନ୍ତି। ଦିନକୁ ଦିନ ଏହି ବିବାଦ ବଢ଼ି ଚାଲିଥିବା ବେଳେ ପ୍ରଶାସନ ଏ ଦିଗରେ ନିରବ ରହିବା ସାଧାରଣରେ ଅସନ୍ତୋଷ ଭରି ଦେଇଛି। ସମୁଦ୍ର କୋଳରେ ଥିବା ସିପସରୁବାଲି ମୌଜା ପ୍ରକୃତିର ଅନନ୍ୟ ସୃଷ୍ଟି। ଏଠାରେ ଥିବା ୩ହଜାରରୁ ଅଧିକ ବାଲିବନ୍ତ ବଡ଼ ବଡ଼ ପ୍ରାକୃତିକ ଦୁର୍ବିପାକରୁ ଜନସାଧାରଣଙ୍କୁ ସୁରକ୍ଷା ଦେଇ ଆସୁଛି। ବନ୍ୟା, ବାତ୍ୟା ଭଳି ପ୍ରଳୟ ସମୟରେ ଉଦ୍ଦାମ ସମୁଦ୍ର ଜୁଆରକୁ ଅଟକାଇ ରଖିବା ସହ ଆଖପାଖ ଲୋକଙ୍କୁ ଏଥିରୁ ରକ୍ଷା କରୁଛି। ଏହାବାଦ୍
ସିପସରୁବାଲି ମୌଜାରେ ଥିବା କାଜୁ, ଝାମୁ ଜଙ୍ଗଲ ଆଦି ପବନର ବେଗକୁ ଅଟକାଇ ରଖୁଥିବାରୁ ପ୍ରଳୟଙ୍କରୀ ବାତ୍ୟରେ ବି ଆଖପାଖ ଗାଁ ଗଣ୍ଡା ବିଶେଷ କ୍ଷୟକ୍ଷତି ହୁଏନି। ପ୍ରଳୟଙ୍କରୀ ବାତ୍ୟା ଫନିକୁ ବି ଏହା ଅଟକାଇ ରଖିବାକୁ ସମର୍ଥ ହୋଇଥିଲା। ଯେଉଁଥିପାଇଁ ଗାଁ ଗଣ୍ଡା ସେତେଟା କ୍ଷୟକ୍ଷତି ହୋଇନଥିଲା। ଏହି ମୌଜାର ଅଧିକାଂଶ ଅଞ୍ଚଳ ସିଆରଜେଡ୍ରେ ବି ଯାଉଛି।
ଗତ ଦଶ ବର୍ଷରୁ ଉର୍ଦ୍ଧ୍ବ ହେବ ସିପସରୁବୁଲି ସରକାରୀ ଜମି ଉପରେ ଆଖପାଖର ୨୦ ଖଣ୍ଡ ଗ୍ରାମର ଭୂମିହୀନ ଓ ଦଳିତ ପରିବାର ନିଜ ଅଧିକାରରେ ରଖି ଆସିଛନ୍ତି। ସମୁଦ୍ର କୂଳରେ ଗଢ଼ି ଉଠିଥିବା ଏହି ଜଙ୍ଗଲକୁ ସୁରକ୍ଷା ଦେବା ସହ ନିଜର ଜୀବିକା ନିର୍ବାହ କରି ଆସୁଛନ୍ତି। ପୂର୍ବରୁ ଏହି ଜମିରେ ଶାମୁକା ପ୍ରକଳ୍ପ କରିବାକୁ ପ୍ରଶାସନ ଯୋଜନା କରିଥିଲା। ବିରାଟ ବିରାଟ ହୋଟେଲ ଠିଆ କରିବାକୁ ନକ୍ସା ପ୍ରସ୍ତୁତ ହୋଇଥିଲା। ସେ ସମୟରେ ସ୍ଥାନୀୟ ଲୋକେ ଏହାକୁ ଦୃଢ଼ ବିରୋଧ ପରେ ପ୍ରଶାସନ ଏହି ନିଷ୍ପତ୍ତିରୁ ଓହରିଥିଲା। କିଛି ବର୍ଷର ନିରବତା ପରେ କିଛି ଜମି ମାଫିଆ
ଏଠାରେ ଦୌରାତ୍ମ୍ୟ ଆରମ୍ଭ କରି ଦେଇଛନ୍ତି। ପୁରୀ ସହରର କିଛି ଜଣାଶୁଣା ଜମି ମାଫିଆ ନିଜର ପାଳିତ ଗୁଣ୍ଡାମାନଙ୍କ ଜରିଆରେ ଏହି ଜମିକୁ ନିଜ କବଜାକୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ବାଲି ଚୋରି କରି ବାଲିବନ୍ତକୁ ନଷ୍ଟଭ୍ରଷ୍ଟ କରି ପକାଇଲେଣି। ଆଖପାଖ ଜଙ୍ଗଲକୁ ବି ଖୋଳି ଦେବା ସହ ଗଛ କାଟି ନେଲେଣି। ଯାହାର ସିଧାସଳଖ ପ୍ରତିବାଦ ଜଣାଉଛନ୍ତି ଏହି ଜଙ୍ଗଲ ଓ ଉପକୂଳର ସୁରକ୍ଷା କରି ଆସୁଥିବା ଗ୍ରାମବାସୀ।
ଜମି ମାଫିଆଙ୍କୁ ବିରୋଧ ବି କରୁଛନ୍ତି। ସିପ ସରୁବାଲି ମୌଜାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ବି ଗୁହାରି କରି ଆସୁଛନ୍ତି। କିନ୍ତୁ କେହି କିଛି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିକଟରେ ଗ୍ରାମବାସୀ ବ୍ରହ୍ମଗିରି ତହସିଲଦାରଙ୍କୁ ବି ଅଭିଯୋଗ କରିଥିଲେ। ତହସିଲ ପକ୍ଷରୁ ଏଠାରେ ଜମି ଚିହ୍ନଟ କରି ସୂଚନା ଫଳକ ବି ଲଗାଯାଇଥିଲା। ତଥାପି ପରିସ୍ଥିତିରେ ପରିବର୍ତ୍ତନ ଆସିନି। ଜମି ମାଫିଆମାନେ ପୂର୍ବଭଳି ଦୌରାତ୍ମ୍ୟ କରି ଆସୁଛନ୍ତି। ଆଉ ଏହାର ବିରୋଧ କରି ଜମି ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଗ୍ରାମବାସୀ। ଏ ଭିତରେ ପୁଲିସ ବାରମ୍ବାର ଏମାନଙ୍କୁ ଗିରଫ କରି ପ୍ରତିବାଦର ସ୍ବରକୁ ଚୁପ କରିବା ଉଦ୍ୟମ ଆରମ୍ଭ କରିଛି। ଗତ ୧୫ ତାରିଖରେ ଗୋରୁଆଳ ଗ୍ରାମର ଚାଷୀ ମୂଲିଆ ସଂଘର କର୍ମୀ ବିଦେଶୀ ନାୟକକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଗତ ୧୮ ତାରିଖ ରାତିରେ ସଂଘର ଆଉ ଚାରି ଜଣ କର୍ମୀଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଛି। ଏମାନଙ୍କ ନାମରେ ସାଂଘାତିକ ଦଫା ବି ଲାଗିଛି।
ଏମାନେ ସମସ୍ତେ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ଏମାନଙ୍କ ଗିରଫଦାରୀ ପରେ କରୋନା ସମୟରେ ଘରର ମହିଳାମାନଙ୍କୁ ପରିବାର ଚଲେଇବା କାଠିକର ହୋଇଛି ବୋଲି ଉପକୂଳିୟା ଜମି ଓ ଜଙ୍ଗଲ ସୁରକ୍ଷା ସମିତି ମତ ଦେଇଛି। ସମିତି ଏହାର ଦୃଢ଼ ବିରୋଧ କରିବା ସହ ତୁରନ୍ତ ସିପସରୁବାଲି ମୌଜାର ସୁରକ୍ଷା ଓ ଜମି ମାଫିଆଙ୍କ କବଳରୁ ଏହାକୁ ମୁକ୍ତ ପାଇଁ ଦାବି କରିଛି।
The post ଉଗ୍ରରୂପ ନେଉଛି ସିପ ସରୁବାଲି ମୌଜା ସରକାରୀ ଜମି ବିବାଦ: ମାଡ଼ି ବସିଲେଣି ମାଫିଆ, ବୋହି ନେଉଛନ୍ତି ବାଲି first appeared on Sambad.from ଜିଲ୍ଲା | Sambad https://ift.tt/3bKupxV
0 Comments