
ଭଦ୍ରକ/ଧାମରା: ‘ୟାସ୍’ ପାଇଁ ଲୋକଙ୍କ ମନରେ ଛନକା, ଛାତି ଧଡ଼ଧଡ଼। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଧାମରା ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ଏହି ପ୍ରଳୟଙ୍କରୀ ବାତ୍ୟା। ଏହି ସୂଚନା ପାଇବା ପରେ ପ୍ରଶାସନିକ କଳ ପୂରା ଜୁ ଲଗାଇ ଦେଇଛି। ବାତ୍ୟା ଅମ୍ଫାନ୍ରେ ଧାମରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି କ୍ଷତ ନ ଲିଭୁଣୁ ‘ୟାସ୍’ ପ୍ରଭାବରେ ଚାନ୍ଦବାଲି ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ୮ ପଞ୍ଚାୟତରେ ବର୍ଷା ବଢ଼ିବା ସହିତ ପବନର ବେଗ ୧୦୦ କିମିରୁ ଅଧିକ ହେଲାଣି।
ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡ଼ିବା ସହିତ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି। ଧାମରା ଦୋସିଙ୍ଗାଠାରେ ଏକ ଗଛ ଭାଙ୍ଗିଯିବାରୁ ଓଡ୍ରାଫ୍ ଟିମ୍ ଗଛ କାଟି ରାସ୍ତା ସଫା କରିଛନ୍ତି। ବାତ୍ୟାକୁ ଆଖି ଆଗରେ ରଖି ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରିଦିଆଯାଇଛି। ଧାମରା, ଜାଗୁଳା, ଦୋସିଙ୍ଗା, କଇଥକୋଲା, କରଞ୍ଜମାଳ, ବାଂଶଡା, ଚଡଦିଆ, ନଳଗୋହିରା, ଅମୀରନଗର, ରବୀନ୍ଦ୍ରନଗର ପ୍ରଦ୍ୟୁତନଗର, ଜୟଦୁର୍ଗାପାଟଣା, ବଳଭଦ୍ରପ୍ରସାଦ, କନକପ୍ରସାଦ, ବାଲିସାହି, କନକପଲ୍ଲୀ, ଉଦୟପ୍ରସାଦ, ଝାଡକଡା, ବଳିହାରପୁର, ହରିଶପୁର, ନରସିଂହପୁର, ଗୁଆଁଳ, ପାଇକସାହି ରାଜରାଜେଶ୍ବରପଲ୍ଲୀ, ହୃଦୟପ୍ରସାଦ, ଓରାମାଳ, ନରସିଂହପ୍ରସାଦ, ଦିଆଣିସାହି, ବାଲିସାହି ଆଦି ୫୦ରୁ ଅଧିକ ଗାଁକୁ ଜୁଆର ପାଣି ପଶିଥିବାବେଳେ ଏହିସବୁ ଅଞ୍ଚଳରେ ଅନେକ ଗଛ ଭାଙ୍ଗି ପଡିବା ସହିତ ଅନେକ କଚା ଘର ଭୁଶୁଡ଼ିଯାଇଛି।
ଧାମରାର ତଳିଆ ତଥା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ କୁହାଯାଉଥିବା ଜାଗୁଳା, ଦୋସିଙ୍ଗ, କଇଥାଖୋଲା, କରଞ୍ଜମାଳ, କରଣପଲ୍ଲୀ, ପଞ୍ଚୁଟିକ୍ରୀ, ଚଦଡ଼ିଆ, ଧାମରା ଆଦି ପଞ୍ଚାୟତରୁ ୫୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗତକାଲିଠାରୁ ଧାମରାଇ ହାଇସ୍କୁଲରେ ଏନ୍ଡିଆର୍ଏଫ୍ ଟିମ୍ ଡେରା ପକାଇଥିବା ବେଳେ ଆଜି ଧାମରା ମାଛଧରା ବନ୍ଦର କୂଳରେ ଓଡ୍ରାଫ୍ ଟିମ୍ ରହି ବାତ୍ୟା ଗତିବିଧି ଉପରେ ନଜର ରଖିଛନ୍ତି। ତଳିଆ ଅଞ୍ଚଳରୁ ଗର୍ଭବତୀ, ଭିନ୍ନକ୍ଷମ, ଶିଶୁ, ବୃଦ୍ଧବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସବୁ ବାତ୍ୟା ଆଶ୍ରସ୍ଥଳରେ ଲୋକମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିବା ବେଳେ ଲୋକଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।
The post ୫୦ ଗାଁରେ ପଶିଲା ଜୁଆର, ଧାମରା ଅଞ୍ଚଳରେ ସର୍ବାଧିକ କ୍ଷତି ଆଶଙ୍କା first appeared on Sambad.from ଜିଲ୍ଲା | Sambad https://ift.tt/2Tl7W4j
0 Comments