ମାଛଗାଁ : ବାତ୍ୟା ଆଶ୍ରୟସ୍ଥଳରେ ଥିବା ୮୦ ଜଣଙ୍କ ଭିତରୁ ୨୫ ଜଣ କରୋନା ସଂକ୍ରମିତ। ଏଭଳି ଘଟଣା ଏବେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ମରିଚପୁର ଗ୍ରାମରେ ଲୋକଙ୍କ ନିଦ ହଜାଇ ଦେଇଛି। ଏହି ଲୋକମାନେ ଆଜି ଘରକୁ ଫେରିବା ପରେ ସେମାନେ କରୋନା ସଂକ୍ରମିତ ବୋଲି ପ୍ରଶାସନ ସୂଚନା ଦେବା ଘଟଣା ଆଗକୁ ଗୁରୁତର ସମସ୍ୟା ସୃଷ୍ଟି କରିବା ଆଶଙ୍କା କରାଯାଉଛି।

ଗତ ୫ ଦିନ ପୂର୍ବେ ଅଞ୍ଚଳରୁ ୧୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଘରେ ସଙ୍ଗରୋଧରେ ଥିଲେ। ସେହି ଗାଁରୁ ଗତକାଲି ବାତ୍ୟା ଆଶ୍ରୟସ୍ଥଳୀକୁ ୮୦ ଜଣଙ୍କୁ ନେଇ ରଖାଯାଇଥିଲା। ବାତ୍ୟାର ବିଶେଷ ପ୍ରଭାବ ନ ରହିବାରୁ ସେମାନେ ଆଜି ଘରକୁ ଫେରି ଆସିବା ପରେ ୨୫ ଜଣଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିବା ବାଲିକୁଦା ମେଡିକାଲ ମୁଖ୍ୟ ହିମାଂଶୁ ଶେଖର ସାହୁ ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ସରପଞ୍ଚ ଭାରତୀ ସ୍ବାଇଁ ପୂରା ଗ୍ରାମକୁ ଆସନ୍ତାକାଲି ଠାରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂରା ଗାଁକୁ ବିଶୋଧନ କରାଯିବା ସହ ସ୍ବତନ୍ତ୍ର ସଂଗରୋଧ କେନ୍ଦ୍ରରେ କରୋନା ଆକ୍ରାନ୍ତଙ୍କୁ ରଖିବା ବ୍ୟବସ୍ଥା କରାଯାାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

The post ନିଦ ହଜାଇଲା ସଂକ୍ରମଣ: ଆଶ୍ରୟସ୍ଥଳରେ ଥିବା ୮୦ରୁ ୨୫ ପଜିଟିଭ୍‌, ଘରକୁ ଫେରିବା ‌ପରେ ଜଣା ପଡ଼ିଲା first appeared on Sambad.

from ଜିଲ୍ଲା | Sambad https://ift.tt/3uyHyRz