
ଭଞ୍ଜନଗର: କରୋନା ମହାମାରୀର ଦ୍ବିତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତା ୫ ତାରିଖରୁ ୧୯ ଯାଏଁ ରାଜ୍ୟ ସରକାର ଲକ୍ଡ଼ାଉନ୍ ଘୋଷଣା କରିଛନ୍ତି। ଏଥିସହ ଗତ ଦୁଇ ଦିନ ଧରି ସପ୍ତାହନ୍ତ ସଟ୍ଡ଼ାଉନ ଜାରି ହୋଇଥିଲା। ଆଜି ଦୋକାନ ବଜାର ଖୋଲିବା ପରେ ଲୋକ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ରାସ୍ତାଘାଟରେ ନାହିଁ ନଥିବା ଟ୍ରାଫିକ୍ ଜାମ୍ ହୋଇଥିଲା। ଭିଡ଼ ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇପଡ଼ିଥିଲା। କୌଣସି ଦୋକାନରେ ନାଥିଲା ପଞ୍ଚସୁତ୍ରୀ ନିୟମ ନା କେହି ସାମାଜିକ ଦୂରତ୍ବ ପାଳନ କରୁଥିଲେ। ଖୋଲ ବଜାରରେ କୋଭିଡ଼ ନିୟମର ଧଜିଆ ଉଡ଼ିଥିଲା। ପୁଲିସ୍ ପ୍ରଶାସନ ଦେଖି ବି ଭିଡ଼ ଆଗରେ ନାଚାର ହୋଇପଡ଼ିଥିଲେ। ପୁଲିସ୍ ଯେତେ ତାଗିତ୍ କଲେ ମଧ୍ୟ କେହି ଶୁଣିବା ପ୍ରସ୍ତୁତ ନଥିଲେ। ସୁନା ଦୋକାନ ଠାରୁ ଆରମ୍ଭ କରି ଲୁଗା ଦୋକାନ ତେଜରାତି ଦୋକାନ, ଫେନ୍ସି ଷ୍ଟୋର୍, ଟିଭି କୁଲର ଆଦି ଦୋକାନ ଗୁଡ଼ିକରେ ଖଚାଖଚ ଭିଡ଼ି ପରିଲିକ୍ଷିତ ହୋଇଥିଲା। ଦୀର୍ଘ ଦିନ ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଭିନ୍ନ ଯାନୀଯାତ୍ରା ମେଳା ସମୟରେ ହେଉଥିବା ଭଳି ଭିଡ଼ର ଆଜି ଭ୍ରମ ସୃଷ୍ଟି ହୋଇଥିଲା।
ଆଉ ଦିନଟିଏ ଗଲେ ଲକ୍ଡ଼ାଉନ ଘୋଷଣା ହୋଇଥିବାରୁ ଲୋକ ମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ସକାଳୁ ହିଁ ଜିନିଷପତ୍ର କିଣିବା ପାଇଁ ଲୋକ ମାନଙ୍କ ଭିଡ଼ ଲାଗିଥିଲା। ରାସ୍ତା ଉପରେ ଯାନାବାହାନ ଏତେ ପରିମାଣର ଜମା ହେଇଥିଲା ଯେ ରାସ୍ତାରେ ଯିବା ଆସିବା କରିବା କଷ୍ଟସାଧ୍ୟ ହୋଇପଡ଼ିଥିଲା। ଅନ୍ୟପକ୍ଷରେ ରାତି ୯ଟା ଯାଏଁ ବ୍ୟବସାୟୀକ ଅନୁଷ୍ଠାନ ଖୋଲା ରହିବା ସଂର୍ପକରେ ଗ୍ରାମାଞ୍ଜଳର ଅଧିକାଂଶ ଲୋକ ଜାଣି ନଥିବାରୁ ସକାଳ ସମୟରେ ସହରରେ ପ୍ରବଳ ଭିଡ଼ ହୋଇଥିଲା। ଧିରେ ଧିରେ ଜନସମାଗମ ବଢିବାକୁ ଲାଗିଥିଲା। ସହରରେ ଥିବା ସମସ୍ତ ସପିଂ ମଲ ଠାରୁ ଆରମ୍ଭ କରି ଅଲଟ୍ରା ସାଉଣ୍ଡ୍ କ୍ଳିନିକ୍ ଗୁଡ଼ିକରେ ମଧ୍ୟ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା।

କରୋନାକୁ ନେଇ ଟିକେ ମଧ୍ୟ କେହି ସର୍ତ୍ତକତା ପାଳନ କରୁନଥିବା ଦେଖିବାକୁ ମିଳିଥିଲା। ଏତେ ଭିଡ଼ ଜମିଥିଲା ଯେ ସାମାଜିକ ଦୂରତ୍ବ ପାଳନ କରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଥିଲା। ଆଗକୁ ବିବାହ ବ୍ରତ ଯୋଗ ରହିଥିବାରୁ ଲୁଗାପଟା ଓ ବିବାହ ସାମଗ୍ରୀ କିଣିବା ପାଇଁ ବହୁତ ଲୋକଙ୍କ ଭିଡ଼ ହୋଇଯାଇଥିଲା। ଅତ୍ୟବଶ୍ୟକ ସାମଗ୍ରୀ ଦୋକାନ ଅପେକ୍ଷା ଅନ୍ୟ ଦୋକାନ ଗୁଡ଼ିକରେ ଅଧିକା ଭିଡ଼ ଦେଖିବାକୁ ମିଳିଥିଲା। ଏଥିସହ ବ୍ୟାଙ୍କ ଓ ଏଟିଏମ୍ ଗୁଡ଼ିକ ସମ୍ମୁଖରେ ଲମ୍ବା ଲାଇନ୍ ଲାଗିଥିଲା। ମଦ ଦୋକାନରୁ ଲୋକ ମାନେ ବ୍ୟାଗ ଭର୍ତ୍ତି କରି ମଦ କିଣି ନେଉଥିବା ଦେଖିବାକୁ ମିଳିଥିଲା।
The post ଲକ୍ଡ଼ାଉନ ଘୋଷଣା ପରେ ଧଜିଆ ଉଡ଼ିଲା କୋଭିଡ଼ ନିୟମ first appeared on Sambad.from ଜିଲ୍ଲା | Sambad https://ift.tt/3us95Va
0 Comments