
ସୁନ୍ଦରଗଡ଼ : ଆଜି ଲେଫ୍ରିପଡ଼ା ବ୍ଲକ୍ ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଟିକା ପାଇଁ ଖୋଲା ଯାଇଥିବା ପଞ୍ଜୀକରଣ କେନ୍ଦ୍ରକୁ ଆସିଥିଲେ ଦର୍ଲିପାଲିର ଜଣେ ଭିନ୍ନକ୍ଷମ ପବିତ୍ର ଓରାମାଲ (୬୫)। ତାଙ୍କୁ ପଞ୍ଜୀକରଣ ପାଇଁ ଆଧାର କାର୍ଡ ମାଗିଥିଲେ କେନ୍ଦ୍ର କର୍ମଚାରୀ। ଏହା ସହ ଆଧାର ଲିଙ୍କ୍ ମୋବାଇଲ୍ ନମ୍ବର। ତାଙ୍କୁ କୁହାଗଲା ମୋବାଇଲ ନମ୍ବରକୁ ଯାଇଥିବା ଓଟିପି ଆଧାରରେ ତାଙ୍କ ନାମ ପଞ୍ଜୀକରଣ ହେବ ଓ ନିର୍ଦ୍ଧାରିତ ତାରିଖ, ସମୟ ଓ ସ୍ଥାନରେ ସେ ଟିକା ପାଇବେ। କିନ୍ତୁ ଶ୍ରବଣ ଓ ବାକ୍ ଶକ୍ତି ବାଧିତ ପବିତ୍ର ଏ ସମ୍ପର୍କରେ କିଛି ବି ବୁଝି ପାରି ନଥିଲେ। ତା’ ଛଡ଼ା ବହୁ ଦିନ ତଳେ ତାଙ୍କୁ ମିଳିଥିବା ଆଧାରକାର୍ଡରେ କେଉଁ ମୋବାଇଲ୍ ନମ୍ବର ସଂଯୋଗ ହୋଇଛି, ତାହା ଜାଣିବା ସମ୍ଭବ ନଥିଲା। ତେଣୁ ତାଙ୍କ ସହ ଯାଇଥିବା ଜଣେ ବ୍ୟକ୍ତି ତାଙ୍କ ମୋବାଇଲ ନମ୍ବର ସଂଯୋଗ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ କର୍ମଚାରୀ ମନା କରି ଦେଇଥିଲେ। ଯାହାକୁ ନେଇ ସେଠାରେ ସାମାନ୍ୟ କଥା କଟାକଟି ହୋଇଥିଲା। ଏହା ପରେ ଭିନ୍ନ ପ୍ରକ୍ରିୟାରେ ଭିନ୍ନକ୍ଷମ ପବିତ୍ରଙ୍କ ପଞ୍ଜିକରଣ କରିଥିଲେ କର୍ମଚାରୀ। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବା ବେଳେ ଜିଲ୍ଲାର ଅନ୍ୟ ସ୍ଥାନରେ ୪୪ରୁ ଉର୍ଦ୍ଧ୍ବ ଓ ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ଅନଲାଇନ ଓ ଅଫଲାଇନ ପ୍ରକ୍ରିୟାରେ ପଞ୍ଜୀକରଣ ଚାଲିଛି। ତେବେ ଗ୍ରାମାଞ୍ଚଳରେ ଅନଲାଇନ ପଞ୍ଜିକରଣ ସମ୍ଭବ ନଥିବା ବେଳେ ଅଫଲାଇନ ପଞ୍ଜିକରଣ ପାଇଁ ନିର୍ଦ୍ଧାରିତ କେନ୍ଦ୍ରକୁ ଆସୁଛନ୍ତି। ଆରୋଗ୍ୟ ସେତୁ ଓ କୋ-ଇନ୍ ଜରିଆରେ ହେଉଥିବା ପଞ୍ଜିକରଣରେ ଆବେଦନକାରୀଙ୍କୁ ଆଧାର କାର୍ଡ ଓ ତତ୍ ସଂଯୁକ୍ତ ମୋବାଇଲ୍ ନମ୍ବର ଓ ସମ୍ପୂର୍ଣ୍ଣ ଠିକଣା ଦେବାକୁ କୁହାଯାଉଛି। ସମ୍ପୃକ୍ତ ମୋବାଇଲ୍ ନମ୍ବରକୁ ଆସିଥିବାର ଓଟିପି ନମ୍ବର ଜରିଆରେ ଆବେଦନକାରୀଙ୍କ ନାମ ପଞ୍ଜିକରଣ ଚୂଡ଼ାନ୍ତ ହେଉଥିବା କୁହାଯାଉଛି। କିନ୍ତୁ ଗ୍ରାମାଞ୍ଚଳରେ ପବିତ୍ରଙ୍କ ପରି ବହୁ ଲୋକଙ୍କ ପାଖରେ ଆଧାର ସଂଯୋଗ ମୋବାଇଲ୍ ନମ୍ବର ନାହିଁ। ଫଳରେ ବହୁ ଲୋକ ଏ ଜଟିଳ ପ୍ରକ୍ରିୟାରେ ପଞ୍ଜୀକରଣ କରିନପାରି ନିରାଶରେ ହୋଇ ଫେରି ଯାଉଥିବା ଅଭିଯୋଗ ହୋଇଛି।
ପ୍ରକାଶଯୋଗ୍ୟ, କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସ୍ବାସ୍ଥ୍ୟ ମାର୍ଗଦର୍ଶିକା ମାସ୍କ ପରିଧାନ, ସାମାଜିକ ଦୂରତ୍ବ ବଜାୟ ଓ ବାରମ୍ବାର ହସ୍ତ ପ୍ରକ୍ଷାଳନ ସହ ଟିକାକରଣକୁ ବଡ଼ ବିକଳ୍ପ ଭାବେ ସରକାର ଗ୍ରହଣ କରିବା ପରେ ଲୋକେ ଟିକା ଶୀଘ୍ର ନେବାକୁ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଏସ୍ଥିତିରେ ପଞ୍ଜିକରଣର ଏ ଜଟିଳ ପ୍ରକ୍ରି୍ୟା ବହୁ ଲୋକଙ୍କୁ ଟିକାକରଣରୁ ବଞ୍ଚିତ କରିବ ବୋଲି ଅଭିଯୋଗ ହୋଇଛି। ପ୍ରଶାସନ ପଞ୍ଜିକରଣ ପ୍ରକ୍ରିୟାକୁ ଆହୁରି ସରଳ କରିବାକୁ ସାଧାରଣରେ ଦାବି ହେଉଛି।
The post ଟିକା ପଞ୍ଜିକରଣ ଅଡ଼ୁଆ, କର୍ମଚାରୀ ମାଗୁଛନ୍ତି ଆଧାର ଲିଙ୍କ ମୋବାଇଲ୍ ନମ୍ବର first appeared on Sambad.from ଜିଲ୍ଲା | Sambad https://ift.tt/3uzcO2B
0 Comments