
ଝାରସୁଗୁଡା: ଝାରସୁଗୁଡା ନିକଟ ବଡ଼ମାଲ ଥାନା ଅନ୍ତର୍ଗତ ଭୁର୍କାମୁଡ଼ା ଠାରେ ହୋଇଥିବା ଏକ ଡକାୟତି ଘଟଣାରେ ବଡ଼ମାଲ ପୁଲିସ ୪ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ଗତ ୨୮ ତାରିଖ ରାତିରେ ସମ୍ପୃକ୍ତ ୪ ଜଣ ଯୁବକ ଦୁଇଟି ବାଇକ ରେ ଯାଇ ଭୁର୍କାମୁଡ଼ା ରେଳ ଲାଇନ ନିକଟରେ ଥିବା ଶିବଶକ୍ତି କମ୍ପାନିରେ ପଶିଥିଲେ। ସେଠାରେ କର୍ମରତ ଜଣେ ସୁପରଭାଇଜର ଓ ଅପରେଟରଙ୍କୁ ଲୁହା ରଡ଼ ଓ ପିସ୍ତଲ ଦେଖାଇ ଭୟଭୀତ କରି ତାଙ୍କ ପାଖରେ ଥିବା ଦୁଇ ଗୋଟି ମୋବାଇଲ ରେଶମୀ ୮ପ୍ରୋ ଓ ରେଶମୀ ୬ଆଇ ଏବଂ ୨ ହଜାର ଟଙ୍କା ଲୁଟି ନେଇଥିଲେ।
ଏହି ଘଟଣା କାହାକୁ ଜଣାଇଲେ ଜୀବନରେ ମାରି ଦିଆଯିବ ବୋଲି ଧମକ ମଧ୍ୟ ଦେଇଥିବା ନେଇ ସୁପରଭାଇଜର ଅନ୍ତର୍ଯ୍ୟାମୀ ପାଡିଲ ୨୯ ତାରିଖ ଦିନ ବଡ଼ମାଲ ଥାନାରେ ଏତଲା ଦେଇଥିଲେ। ପୁଲିସ ଉଭୟ ମୋବାଇଲ ନମ୍ବର ଟ୍ରାକ କରି ସଂପୃକ୍ତ ଲୁଟେରାମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଶନିଚର ଓରାମ, ମିଶ୍ର ଓରାମ, ଜୟଦେବ ଓରାମ ଓ ଗୋବିନ୍ଦ ମିରିଗକୁ ଗତ ରାତିରେ ବିଭିନ ସ୍ଥାନରୁ ଗିରଫ କରିଥିଲେ।

ଏମାନେ ବିକ୍ରି କରିଥିବା ଗୋଟିଏ ମୋବାଇଲ ଓ ତାଙ୍କ ପାଖରେ ଥିବା ମୋବାଇଲ ଜବତ ହୋଇଛି। ଏହା ସହିତ ୨ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଡକାୟତିରେ ବ୍ୟବହୃତ ଗୋଟିଏ ଟିଭିଏସ ଆପାଚି ନମ୍ବର ଓଡି ୧୫ ଡି ୭୮୫୮ କୁ ପୁଲିସ ଜବତ କରିଛି। ଏହି ଲୁଟେରାମାନେ ସେହି ଦିନ ଆଉ ଏକ ନିର୍ମାଣ କମ୍ପାନିରୁ ଟାଇଲ ଚୋରି କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସେହି ସମୟରେ ପୁଲିସ ଆଉ ଏକ ବାଇକ ତାଙ୍କ ଠାରୁ ଜବତ କରିଥିଲା। ତେବେ ମହାମାରୀ ଯୋଗୁଁ ୭ ବର୍ଷରୁ କମ ଜେଲ ଦଣ୍ଡ ଥିବା ଅପରାଧରେ ସଂପୃକ୍ତଙ୍କୁ ଜାମିନ ମିଳି ଯାଉଥିବାରୁ ଏମାନେ ମୁକୁଳି ଆସିଥିଲେ ଓ ପୁଣି ପୁଲିସ ହାବୁଡ଼ରେ ପଡ଼ିଥିଲେ। ତଦନ୍ତ ବେଳେ ସେମାନଙ୍କ ପାଖରେ ଥିବା ପିସ୍ତଲଟି ଖେଳନା ପିସ୍ତଲ ବୋଲି ଜଣାପଡ଼ିଥିବା ବଡ଼ମାଲ ଆଇ ଆଇ ସି ସୂଚନା ଦେଇଛନ୍ତି।
The post ଖେଳନା ପିସ୍ତଲ ଦେଖାଇ ଡକାୟତି: ୪ ଗିରଫ, ମୋବାଇଲ ଓ ବାଇକ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3hoYEOE
0 Comments