ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ବେଲପୁଞ୍ଜି ଗ୍ରାମରେ ଆଜି ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜମିରେ ଗାଈ ପରିବା ଖାଇ ଦେବାକୁ କେନ୍ଦ୍ର କରି ସେହି ଗ୍ରାମର ସୁବାସ ସ୍ବାଇଁ (୫୫)ଙ୍କୁ ଭଗବାନ ଗୌଡ଼ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ସୁବାସ ତାଙ୍କ ଜମିରେ କିଛି ପନିପରିବା ଲଗାଇଥିଲେ। ତିନିଦିନ ହେଲା ଭଗବାନଙ୍କ ଗାଈ କ୍ଷେତରେ ପଶି ପରିବା ଖାଇ ନଷ୍ଟ କରିଦେଉଥିଲା। ଆଜି ସନ୍ଧ୍ୟା ୭ଟାରେ ମୃତ ସୁବାସଙ୍କ ବଡ଼ଭାଇ ପାଣ୍ଡବ ଏଥିପାଇଁ ଭଗବାନଙ୍କୁ ଗାଳିଗୁଲଜ କରିଥିଲେ। ଭଗବାନ ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଜ ଘରକୁ ଯାଇ ଏକ ଟାଙ୍ଗିଆ ଆଣିଥିଲେ। ସୁବାସଙ୍କୁ ତାଙ୍କ ଘରୁ ଡାକି ତାଙ୍କ ଛାତିକୁ ଏକ ଚୋଟ ପକାଇଥିଲେ। ଏହାସହ ତାଙ୍କ ଭାଇ ପାଣ୍ଡବ ଓ ପୁଅ ସାନୁକୁ ବି ଆକ୍ରମଣ କରିଥିଲେ। ସୁବାସଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁ ସଦଳବଳ ବେଲପୁଞ୍ଜି ଗ୍ରାମରେ ପହଞ୍ଚି ହତ୍ୟାକାରୀ ଭଗବାନଙ୍କୁ କାବୁ କରିବା ସହ ତା’ଠାରୁ ଟାଙ୍ଗିଆ ଜବତ ହୋଇଛି। ଭଗବାନଙ୍କୁ ଅଟକ ରଖାଯାଇଛି।

The post ଗାଈ ପରିବା ଖାଇବାରୁ ଟାଙ୍ଗିଆରେ ହାଣି ହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3fW5Yz3