୪୦ ଭିତରେ ରହିବେ ପଞ୍ଚ ମହାଦେବଙ୍କ ସେବକ
ଚନ୍ଦନ ଚକଡ଼ାରେ ୪୦ରୁ ଅଧିକ ରହିପାରିବେନି

ପୁରୀ : ଆଉ ୬ ଦିନ ପରେ ପ୍ରସିଦ୍ଧ ଚନ୍ଦନଯାତ୍ରା। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ‌ନରେନ୍ଦ୍ର ପୁଷ୍କରିଣୀ ସାଜସଜା କାମକୁ ଜୋରଦାର କରାଯାଇଥିବାବେଳେ ବଡ଼ଦାଣ୍ଡରେ ଠାକୁର ରହିବା ପାଇଁ ବିଭିନ୍ନ ସ୍ଥାନରେ ଚାଞ୍ଛି ବାନ୍ଧିବା ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ତ୍ତମାନ ପରିସ୍ଥିତି କରୋନା ମହାମାରୀ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ କଟକଣା ଭିତରେ ସଂକ୍ରମଣମୁକ୍ତ ପରିବେଶରେ କିଭଳି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଶେଷ ହେବ ସେ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ବିନାଭକ୍ତରେ ଚନ୍ଦନଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାବଳେ ସେବାୟତ ସଂଖ୍ୟା ବି ସୀମିତ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ନୀତି ସଂପୃକ୍ତ ସେବାୟତଙ୍କ ତାଲିକା ପ୍ରସ୍ତୁତି ଚାଲିଛି। ବିଭିନ୍ନ ନିଯୋଗର ପ୍ରାୟ ଦେଢ଼ଶହ ସେବାୟତରେ ନୀତିକାନ୍ତି ସଂପୂର୍ଣ୍ଣ କରିବାକୁ ମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି। ସେହି ଅନୁଯାୟୀ ବିଭିନ୍ନ ନିଯୋଗକୁ ତାଲିକା ମଗାଯାଇଛି।

ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଚନ୍ଦନଯାତ୍ରା ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଯୋଗ ଦେଇଥିଲେ। ଚନ୍ଦନଯାତ୍ରାରେ ମହାଜନ ସେବକ, ବିମାନବଡ଼ୁ ସେବକ, ବଡ଼ୁ ସୁଆର ନିଯୋଗ ସହ ପଞ୍ଚ ମହାଦେବ ସେବକଙ୍କ ପ୍ରମୁଖ ଭୂମିକା ରହୁଥିବାରୁ ଏହି ନିଯୋଗରୁ କେତେ ଜଣ ଲେଖାଏଁ ସେବକ ଉପସ୍ଥିତ ରହିବେ, ସେ ଉପରେ ଆଲୋଚନା କରାଯାଇଥିଲା। ଗତ ୬ ତାରିଖ ବୈଠକ ଅନୁସାରେ ମନ୍ଦିର ପ୍ରଶାସନ ନୀତିକାନ୍ତି ପାଇଁ ପ୍ରାୟ ଦେଢ଼ଶହ ଭିତରେ ସେବାୟତ ସଂଖ୍ୟା ରଖିବାକୁ ନିଷ୍ପତ୍ତି ନେଇଥିବାବେଳେ ଆଜି ବିଭିନ୍ନ ନିଯୋଗକୁ ସେବାୟତ ତାଲିକା ମଗାଯାଇଥିଲା। ସେହିଭଳି ପଞ୍ଚ ମହାଦେବଙ୍କ ସେବକ ସଂଖ୍ୟା ଅତିବେଶିରେ ୩୫ରୁ ୪୦ଜଣ ଭିତରେ ରଖିବାକୁ କୁହାଯାଇଥିଲା। ସେହିଭଳି ଚନ୍ଦନ ଚକଡ଼ାରେ କେତେଜଣ ସେବକ ରହିବେ, ସେ ଉପରେ ବି ଆଲୋଚନା ହୋଇଥିଲା। ଅତିବେଶିରେ ୩୫ରୁ ୪୦ଜଣ ସେବକ ଚନ୍ଦନ ଚକଡ଼ାରେ ଉପସ୍ଥିତ ରହିପାରିବେ ବୋଲି ମନ୍ଦିର ପ୍ରଶାସନ ସ୍ପଷ୍ଟ କରି ଦେଇଛି। ସେହି ଅନୁଯାୟୀ ସେବକଙ୍କୁ ତାଲିକା ମଗାଯାଇଛି। ଅନ୍ୟପଟେ ମହାପ୍ରଭୁ ଚନ୍ଦନଯାତ୍ରାରେ ୨୧ ଦିନ ଧରି ବାହାର ଚାପ ଖେଳିବେ। ମେ ୧୫ରୁ ଚନ୍ଦନଯାତ୍ରା ଆରମ୍ଭ ହେଉଛି। କିନ୍ତୁ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ କଟକଣା ୧୯ ତାରିଖରେ ଶେଷ ହୋଇଯାଉଛି। ଏହି ଦୃଷ୍ଟିରୁ ୨୧ ଦିନ ଧରି ବାହାର ଚାପ ପାଇଁ ୧୪୪ ଧାରା ଲାଗୁ କରିବାକୁ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି। ଆସନ୍ତା ମେ ୧୧ ତାରିଖ ବୈଠକ ସୁଦ୍ଧା ‌ଏହା ସ୍ପଷ୍ଟ ହୋଇଯିବ ବୋଲି ମନ୍ଦିର ପ୍ରଶାସନ କହିଛି।

The post ଚନ୍ଦନଯାତ୍ରା ପାଇଁ ସେବାୟତ ତାଲିକା ପ୍ରସ୍ତୁତି, ୧୫୦ ସେବକରେ ହେବ ନୀତିକାନ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/3f2CfDX