ଯାଜପୁର : ସମ୍ଭାବ୍ୟ ବାତ୍ୟା ୟାସ୍‌ର ମୁକାବିଲା ପାଇଁ ସବୁଠି ପ୍ରସ୍ତୁତି ଚାଲିଛି। ବାତ୍ୟା ୟାସ୍‌ ପ୍ରଭାବରେ ପ୍ରବଳ ବେଗରେ ପବନ ସହ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ପୂର୍ବ ଉପକୂଳ ଜିଲ୍ଲା ଏହାଦ୍ବାରା ବିଶେଷ ପ୍ରଭାବିତ ହେବ। ବାତ୍ୟା ଏବଂ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ବୋଟ୍‌ ସେବା ଜରୁରୀ। ୟାସ୍ ପାଇଁ ସବୁ ପ୍ରସ୍ତୁତି ହୋଇଥିବାର କୁହାଯାଉଥିବା ବେଳେ ବୋଟ୍ ସେବା ପ୍ରତି ପ୍ରଶାସନ ଆଖିବୁଜି ଦେଇଛନ୍ତି। ‌ରାଜ୍ୟରେ ଆବଶ୍ୟକ ପରିମାଣର ବୋଟ୍‌ ରହିଥିଲେ ମଧ୍ୟ ନାବିକ ନିଯୁକ୍ତ ହୋଇନଥିବାରୁ ଏହା କୌଣସି କାମରେ ଲାଗିପାରିବ ନାହିଁ ବୋଲି କୁହାଯାଉଛି।

ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର ସମେତ ରାଜ୍ୟର ୨୧ ଜିଲ୍ଲାରେ ୩୦୦ରୁ ଅଧିକ ବୋଟ ରହିଛି। ଏହାକୁ ଚଳାଇବା ପାଇଁ ସ୍ଥାୟୀ ଭାବେ ୮୦ଜଣ ନାବିକ ଓ ଖଲାସୀ ଅଛନ୍ତି। ପ୍ରତି ବୋଟ୍‌କୁ ୨ଜଣ ଲେଖାଁଏ ହିସାବରେ ମାତ୍ର ୪୦ଟି ବୋଟ୍ ଚଳାଇବା ପାଇଁ କର୍ମଚାରୀ ଅଛନ୍ତି। ଏହି କାରଣରୁ ପ୍ରତିବର୍ଷ ମୌସୁମୀ ପୂର୍ବରୁ ଏସ୍ଆ‌ରସିଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନଗୁଡ଼ିକ ଅସ୍ଥାୟୀ ନାବିକ ଓ ଖଲାସୀ ନିଯୁକ୍ତି କରିଥାନ୍ତି। ଗତ ଏପ୍ରିଲ ୨୪ ତାରିଖରୁ ଅସ୍ଥାୟୀ ଭାବେ ୨୫୪ଜଣ ନାବିକ ଓ ୨୪୪ଜଣ ଖଲାସୀ ନିଯୁକ୍ତି ପାଇଁ ଏସ୍ଆ‌ରସି ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶକୁ ମାସେ ବିତିବାକୁ ବସିଛି ; ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ହୋଇପାରିନି। ଏବେ ୟାସ୍ ବେଳେ ଯଦି ବନ୍ୟା ପରିସ୍ଥିିତି ସୃଷ୍ଟି ହୁଏ, ବିପନ୍ନଙ୍କୁ ପାଣିଘେରରୁ ଉଦ୍ଧାର କରାଯିବ କିଭଳି ବୋଲି ପ୍ରଶ୍ନ ହେଉଛି।

ପ୍ରକାଶ ଥାଉକି ଏସ୍ଆ‌ରସି ଗତ ଏପ୍ରିଲ ୨୪ତାରିଖରେ ୨୧ଜଣ ଜିଲ୍ଲାପାଳଙ୍କୁ ଚିଠି ନମ୍ବର ୨୧୮୪ରେ ଅସ୍ଥାୟୀ ନାବିକ ଓ ଖଲାସୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅସ୍ଥାୟୀ କର୍ମଚାରୀଙ୍କୁ ଜୁନ୍ ପହିିଲାରୁ ନଭେମ୍ବର ପର୍ଯ୍ୟନ୍ତ ନିଯୁକ୍ତି ଦେବାକୁ କୁହାଯାଇଛି। ବିଶେଷ କରି ପ୍ରତିବର୍ଷ ମୌସୁମୀ ବର୍ଷା ସମୟରେ ପୂର୍ବ ଉପକୂଳ ୭ଟି ଜିଲ୍ଲା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବରର ଜିଲ୍ଲାବାସୀ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟରେ ଥିବା ପ୍ରାୟ ୩ଶହ ବୋଟ୍ ପରିଚାଳନା ପାଇଁ ନାବିକ ଓ ଖଲାସୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଥିଲା। ମୌସୁମୀ ପୂର୍ବରୁ ଏବେ ୟାସ୍ ମହାବାତ୍ୟା ଆସୁଛି। କେନ୍ଦ୍ରାପଡ଼ାରେ ସର୍ବାଧିକ ୪୭ନାବିକ ଓ ୪୨ଜଣ ଖଲାସୀ ଆବଶ୍ୟକ ଥିବା ବେଳେ ଯାଜପୁର ଜିଲ୍ଲାରେ ୩୧ଜଣ ନାବିକ ଓ ୩୧ଜଣ ଖଲାସୀ ଆବଶ୍ୟକ। ଅନ୍ୟ ଜିଲ୍ଲାଗୁଡ଼ିକ ଭଳି ଯାଜପୁରରେ ମଧ୍ୟ ମାତ୍ର ୯ଜଣ ସ୍ଥାୟୀ ନାବିକ ଓ ଖଲାସୀ ଅଛନ୍ତି। ଏବେ ବାତ୍ୟା ସମୟରେ ବନ୍ୟା ପରିସ୍ଥିତି ଉପୁଜିଲେ ବିପନ୍ନଙ୍କୁ ଉଦ୍ଧାର କରିବା ସହିତ ସହଯୋଗ କିପରି ଯୋଗାଇବେ ବୋଲି ଧୋୟା ଅଞ୍ଚଳର ହଜାର ହଜାର ଲୋକ ଚିନ୍ତା ପ୍ରକଟ କରିଛନ୍ତି।

The post ‌ବୋଟ୍‌ ଅଛି, ନାବିକ ନାହାନ୍ତି: ୨୧ ଜିଲ୍ଲାର ୩୦୦ ବୋଟ୍‌ ପାଇଁ ଅଛନ୍ତି ୮୦ କର୍ମଚାରୀ, ୟାସ୍ ବିପନ୍ନଙ୍କୁ ଉଦ୍ଧାର ଓ ସହାୟତା କରିବେ କିପରି? first appeared on Sambad.

from ଜିଲ୍ଲା | Sambad https://ift.tt/3wwqVY3