ରାଉରକେଲା: ବାତ୍ୟା ‘ୟାସ୍’ ଆଜି ଓଡ଼ିଶାରେ ସ୍ଥଳଭାଗ ଛୁଇଁଛି। ଫଳରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଲାଗି ରହିଛି। ସୁନ୍ଦରଗଡ଼ ଜିଲ୍ଲାର କେତେକ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ବିଶେଷକରି ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡ଼ା, କୋଇଡ଼ା ଏବଂ ଗୁରୁଣ୍ଡିଆ ଆଦି ବ୍ଲକ ଅଞ୍ଚଳରେ ବର୍ଷା, ପବନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

ଏହିସବୁ ବ୍ଲକର ବିଭିନ୍ନ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି। ସ୍କୁଲ ଘର, କମ୍ୟୁନିଟି ହଲ ଆଦି ସ୍ଥାନରେ କୋଭିଡ୍ ନିୟମ ପାଳନ ସହ ଲୋକଙ୍କୁ ରଖାଯାଇଛି। ଏଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟରେ ସଂପୃକ୍ତ ବ୍ଲକର ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀ, ପିଓ ଏବଂ ଜେଇ ଆଦି ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

‘‘ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। ରାଉରକେଲାରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସୁରକ୍ଷିତ ଆଶ୍ରୟ ସ୍ଥଳୀରେ ରନ୍ଧା ଖାଦ୍ୟ ଦିଆଯାଉଛି। ଆବଶ୍ୟକ ସ୍ଥାନରେ ଶୁଖିଲା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ଆମେ ଲୋକଙ୍କୁ ଅନୁରୋଧ କରୁଛୁ’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ବାତ୍ୟାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ଚାଲିଥିବା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ଆଜି ବନ୍ଦ ରଖାଯାଇଛି। ଏହା ସହ ଟେଷ୍ଟିଂ ଓ ମନିଟରିଂ ଆଦି କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଛି। ସମ୍ଭାବ୍ୟ ବାତ୍ୟା ବିପଦ ଟଳିବା ପରେ ଯଦି ସମ୍ଭବ ଆସନ୍ତାକାଲିଠାରୁ ଏହିସବୁ କାର୍ଯ୍ୟକ୍ରମ ଜାରି ରହିବ। ତେବେ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବ।

The post ସୁନ୍ଦରଗଡ଼ରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି: ଜିଲ୍ଲାପାଳ first appeared on Sambad.

from ଜିଲ୍ଲା | Sambad https://ift.tt/3vqmVYN