
ସମ୍ବଲପୁର: ନିଜ କଷ୍ଟୋପାର୍ଜିତ ଧାନ ବିକିଲେ ସିନା, ହେଲେ ସାଢ଼େ ୩ ମାସ ପରେ ବି ମିଳିଲାନି ପ୍ରାପ୍ୟ। ଅର୍ଥାଭାବ ଯୋଗୁଁ ଠିକଣା ସମୟରେ ପିତା ଦିଲେଶ୍ବର ପଟେଲଙ୍କ ଚିକିତ୍ସା କରାଇପାରିଲେନି ଯୁବଚାଷୀ ସୁନୀଲ ପଟେଲ। ଆଉ ବାପାଙ୍କ ମୃତ୍ୟୁର ୧୨ଦିନିଆ ଶ୍ରାଦ୍ଧକ୍ରିୟା ରୀତିନୀତି ସରିବା ପୂର୍ବରୁ ଯନ୍ତ୍ରଣା ସହ୍ୟ କରିନପାରି ହୃଦ୍ଘାତରେ ପ୍ରାଣ ହରାଇଛନ୍ତି ସୁନୀଲ। ପିତାପୁତ୍ରଙ୍କ ପରଲୋକ ପରେ ଏବେ ତାଙ୍କ ପରିବାର ପୁରୁଷଶୂନ୍ୟ ହୋଇଯାଇଛି। ପରିବାରରେ ଏବେ ଅଛନ୍ତି ଦିଲେଶ୍ବରଙ୍କ ବିଧବା ପତ୍ନୀ ଓ ତାଙ୍କ ୩ ବିଧବା ଝିଅ। ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଭଗପଡ଼ା ଗାଁରେ। ପ୍ରଶାସନିକ ବିଫଳତା ଯୋଗୁଁ ଏକ ପରିବାରକୁ ଏଭଳି ଦଶା ଭୋଗିବାକୁ ପଡ଼ିଛି। କେବଳ ସୁନୀଲ ନୁହନ୍ତି, ଏଭଳି ୨୨ ଜଣ ଚାଷୀ ଗତ ଜାନୁଆରି ମାସରେ ବିକିଥିବା ଧାନର ପ୍ରାପ୍ୟ ପାଇନଥିବା ବେଳେ ଜୟ କିଷାନ ଆଦିମ କୃଷକ ସୁରକ୍ଷା ସଂଗଠନ, ବାମରା ଏହି ସଂକ୍ରାନ୍ତରେ ଜାତୀୟ ମାନବ ଅଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ବାମରା ବ୍ଲକ ଭଗପଡ଼ା ଗାଁର ଚାଷୀ ଦିଲେଶ୍ବର ପଟେଲ ବୃଦ୍ଧାବସ୍ଥା ଯୋଗୁଁ ଏକମାତ୍ର ପୁଅ ସୁନୀଲଙ୍କୁ ଧାନ ବିକ୍ରି ପାଇଁ ଅଧିକୃତ କରିଥିଲେ। ଗତ ୧୬ ଡିସେମ୍ବର ୨୦୨୦ ଉଚ୍ଚକାପାଟ ମଣ୍ଡିରେ ଧାନ ବିକ୍ରି ନିମନ୍ତେ ଟୋକନ୍ ଦିଆଯାଇଥିବାବେଳେ ସେ ୫ ଜାନୁଆରି ୨୦୨୧ରେ ୬୬.୪୫ କୁଇଣ୍ଟାଲ ଧାନ ଆଣିଥିଲେ। ୧୨ ଜାନୁଆରି ୨୦୨୧ରେ ଧାନ ବିକ୍ରି ହୋଇଥିଲା। ହେଲେ ତାଙ୍କୁ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ହୋଇଥିଲା। ପ୍ରାପ୍ୟ ପାଇଁ ବାରଂବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ ବି କିଛି ଲାଭ ହୋଇନଥିଲା। ଏପଟେ ମଧୁମେହ, ହୃଦ୍ରୋଗ ଆଦିରେ ପୀଡ଼ିତ ଦିଲେଶ୍ବର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅର୍ଥାଭାବ ଯୋଗୁଁ ଚିକିତ୍ସା କରାଇବାରେ ସମସ୍ୟା ହୋଇଥିଲା। ଧାର କରଜ କରି ସେ ସୁନ୍ଦରଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ସେଠାରୁ ବୁର୍ଲା ଏବଂ ପରେ ପୁଣି ରାଉରକେଲାର ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ପିତାଙ୍କୁ ବଞ୍ଚାଇପାରିଲେନି।
ଗତ ୫ ମେରେ ତାଙ୍କ ଦିଲେଶ୍ବରଙ୍କ ମୃତ୍ୟୁ ଘଟିଥିଲା। ଦିଲେଶ୍ବରଙ୍କ ମୃତ୍ୟୁ ପରେ ସଂପୂର୍ଣ୍ଣ ଭାବେ ଭାଂଗି ପଡ଼ିଥିଲେ ସୁନୀଲ। ଗୋଟେପଟେ ମୁଣ୍ଡ ଉପରେ କରଜ ଚିନ୍ତା ତ ଅନ୍ୟପଟେ ଶୁଦ୍ଧିକ୍ରିୟା ନିମନ୍ତେ ଆବଶ୍ୟକ ଅର୍ଥର ଅଭାବ। ଯେ କୌଣସି ମତେ ସେ ଶ୍ରାଦ୍ଧକ୍ରିୟା ସାରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏସବୁ ସରିବା ପୂର୍ବରୁ ଗତ ୧୫ ତାରିଖ ଦିନ ଅବିବାହିତ ସୁନୀଲଙ୍କ ହୃଦ୍ଘାତରେ ଅକାଳ ବିୟୋଗ ଘଟିଥିଲା। ତାଙ୍କ ପରିବାର ଏବେ ପୁରୁଷଶୂନ୍ୟ ହୋଇଯାଇଛି। ସୁନୀଲଙ୍କ ସହିତ ଅନ୍ୟ ୨୨ ଜଣ ଚାଷୀ ଉଚ୍ଚକାପାଟ ମଣ୍ଡିକୁ ୧୨୧୧.୬୨ କୁଇଣ୍ଟାଲ ଧାନ ଆଣିଥିଲେ। ୬୩୮.୫୩ କୁଇଣ୍ଟାଲ ଧାନ ସେତେବେଳେ ବିକ୍ରି ହୋଇଥିବା ବେଳେ ମଣ୍ଡିରେ ପଡ଼ି ରହିଥିବା ବାକି ୫୭୩.୦୯ କୁଇଣ୍ଟାଲ ଧାନ ଚାଷୀଙ୍କ ତୀବ୍ର ଆନ୍ଦୋଳନ ପରେ ଗତ ୨୨ ଏପ୍ରିଲ ୨୦୨୧ରେ ବିକ୍ରି ହୋଇଛି। ହେଲେ ଏପର୍ଯ୍ୟନ୍ତ କୌଣସି ଚାଷୀଙ୍କୁ ଟଙ୍କାଟିଏ ବି ମିଳି ନାହିଁ। ଏଭଳି ସ୍ଥିତିରେ ଅନ୍ୟ ଚାଷୀମାନେ ମଧ୍ୟ ଦୟନୀୟ ଅବସ୍ଥାରେ ରହିଛନ୍ତି।
ଜୟ କିଷାନ ଆଦିମ କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଯୋଗବିହାରୀ ପରିଡ଼ା ଜାତୀୟ ମାନବ ଅଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି। ଘଟଣାର ତଦନ୍ତକରି ଦିଲେଶ୍ବର ଓ ସୁନୀଲଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମାନବାଧିକାରର ହନନ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ, ଦିଲେଶ୍ବରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ୨୨ ଜଣ ଚାଷୀଙ୍କୁ ତୁରନ୍ତ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ନିର୍ଦେଶ ଦେବାକୁ ଅନୁରୋଧ କରାଯାଇଛି।
The post ଅର୍ଥାଭାବରୁ ହୋଇପାରିଲାନି ଚିକିତ୍ସା, ଆଖିବୁଜିଲେ ବାପା-ପୁଅ first appeared on Sambad.from ଜିଲ୍ଲା | Sambad https://ift.tt/33VQjdy
0 Comments