
ଯାଜପୁରସଦର : କରୋନାର ଭୟାବହତାର କାହାଣୀ କହୁଛି ଯାଜପୁର ସହରର ବାରୁଣୀ ଶ୍ମଶାନଘାଟ। କେବଳ ଚଳିତ ମେ’ ମାସରେ ଏଠାରେ ଜଳିଛି ୬୬ ଜଣ କରୋନା ଆକ୍ରାନ୍ତଙ୍କ ଚିତା। ସମସ୍ତଙ୍କ ମୁହଁରେ ନିଆଁ ଦେଇଛନ୍ତି ଶ୍ମଶାନ ମଣିଷ ସୁରେନ୍ଦ୍ର ନାୟକ। ରାତି ହେଉ କି ଦିନ, କରୋନା କିଟ୍ ପିନ୍ଧି ସବୁବେଳେ ସେ ସେଠାରେ ଉପସ୍ଥିତ। ଯେତେବେଳେ ଶବ ସତ୍କାର କରିବାକୁ ଅଧିକାଂଶ ପଛଘୁଞ୍ଚା ଦେଉଛନ୍ତି, ସେହିଠାରେ ସେ ପ୍ରହରୀ ସାଜି ଚିତାରେ ଅଗ୍ନି ସଂଯୋଗ କରୁଛନ୍ତି।

ଏହି ମହାଶ୍ମଶାନରେ ମାର୍ଚ୍ଚ ମାସରୁ ଆଜି ସୁଦ୍ଧା ୮୯ ଜଣ କରୋନା ଆକ୍ରାନ୍ତଙ୍କ ମୃତଦେହ ଦାହ କରାଯାଇଛି। ଚଳିତ ମେ ମାସରେ ୧୭ତାରିଖ ମଧ୍ୟରେ ୬୬ ଜଣ ଆକ୍ରାନ୍ତଙ୍କ ମରଶରୀରକୁ ସତ୍କାର କରାଯାଇଛି। ଏପ୍ରିଲରେ ୨୧ ଓ ମାର୍ଚ୍ଚରେ ୨ଜଣଙ୍କ ଶବ ସତ୍କାର କରାଯାଇଥିଲା। ମେ ମାସ ଯେ ଅଧିକ ଭୟଙ୍କର ହୋଇଛି, ତାହା କହିବା ଅନାବଶ୍ୟକ। ଯାଜପୁର ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀ ସୁରେନ୍ଦ୍ର ନାୟକ ଓରଫ ସୁରଭାଇ (୫୦) ଗତ ୫ ବର୍ଷ ହେଲା ବାରୁଣୀ ମହାଶ୍ମଶାନ ଦାୟିତ୍ବରେ ଅଛନ୍ତି। ଏବେ ସେ କରୋନା ରୋଗୀଙ୍କୁ ନିଆଁ ଦେଉଛନ୍ତି। ଏକାକୀ ଜୁଇ ତିଆରି କରିବାଠାରୁ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର କରିବା ଯେ କେତେ କଷ୍ଟକର, ତାହା ତାଙ୍କ ମୁହଁରୁ ଶୁଣିଲେ ଛାତି ଥରିଉଠିବ। ତଥାପି ସେ ନିଜ କର୍ତ୍ତବ୍ୟରେ ହେଳା କରିନାହାନ୍ତି। ଦିନରାତି ୨୪ ଘଣ୍ଟା ମଶାଣି ଜଗି ରହିଛନ୍ତି। କରୋନାର ଭୟାବହତା ଦୃଷ୍ଟିରୁ ପିପିଇ କିଟ୍ ପିନ୍ଧି ଏହି କାର୍ଯ୍ୟ କରିଆସୁଛନ୍ତି। ପ୍ରବଳ ଗରମ ଓ ଗୁଳୁଗୁଳି ପୁଣି ମଶାଣିର ନିଆଁ ଝାସରେ ଏହି କିଟ୍ ପିନ୍ଧି ଶବଦାହ କରିବା ଯେ କେତେ କଷ୍ଟଦାୟକ, ତାହା ସେ ହିଁ ଜାଣନ୍ତି। ଏହା କେବଳ ତାଙ୍କ ଅସୀମ ଧୈର୍ଯ୍ୟ ଓ ସାହସକୁ ପ୍ରମାଣିତ କରୁଛି ବୋଲି ସହରବାସୀ ମତ ଦେଇଛନ୍ତି।
The post ୩ ମାସରେ ଜଳିଲାଣି ୮୯ ଜୁଇ; ଏକାକୀ ନିଆଁ ଦେଉଛନ୍ତି ଶ୍ମଶାନ ମଣିଷ ସୁରେନ୍ଦ୍ର first appeared on Sambad.from ଜିଲ୍ଲା | Sambad https://ift.tt/33OCmOt
0 Comments