
ପୁରୀ : ଆଉ ଦିନକ ପରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା। ଏଥିପାଇଁ ଅକ୍ଷୟ ତୃତୀୟା ସହ ଚନ୍ଦନଯାତ୍ରା ନୀତି ଚୂଡ଼ାନ୍ତ ହୋଇଛି। ଅପରାହ୍ଣ ସାଢ଼େ ୩ଟାରେ ଚନ୍ଦନ ଠାକୁର ମଣି ବିମାନରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ର କରିବେ। ଅପରାହ୍ଣ ୪ଟାରେ ରଥ ଆଜ୍ଞାମାଳ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଖଳାକୁ ବିଜେ କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଠାରେ କିଛି ସମୟ ଚନ୍ଦନ ଠାକୁର ଅଟକିବା ପରେ ପୁନର୍ବାର ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିବେ। ଅକ୍ଷୟ ତୃତୀୟା ଭଳି ଦିନରେ ଠାକୁର ରାତି ୧୦ଟା ସୁଦ୍ଧା ଶ୍ରୀମନ୍ଦିରକୁ ବାହୁଡ଼ିବା ନେଇ ନୀତି ଚୂଡ଼ାନ୍ତ ହୋଇଛି। କିନ୍ତୁ ଅନ୍ୟ ଦିନମାନଙ୍କରେ ରାତି ୯ଟାରୁ ସାଢ଼େ ୯ଟା ଭିତରେ ଠାକୁରଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ସେପଟେ ମେ ୨୦ ନୀଳାଦ୍ରି ମହୋଦୟ ନୀତି, ମେ ୨୫ ନୃସିଂହ ଜନ୍ମ ନୀତି, ଜୁନ ୩ ଭଉଁରୀ ଯାତ୍ରାର ବି ନୀତି ଚୂଡ଼ାନ୍ତ ହୋଇଛି। ଏହି ନୀତିକାନ୍ତିରେ ଛତିଶାନିଯୋଗ ମୋହର ମାରିଛି। ଚଳିତବର୍ଷ କରୋନା ପାଇଁ କଟକଣା ଭିତରେ ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଏଥିପାଇଁ ୧୪୪ ଧାରା ଜାରି କରିବାକୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ଆଦି ଉପରେ କଡ଼ା ନଜର ରଖାଯାଇଛି। ଏଭଳି ସ୍ଥଳେ ବିମାନରେ ଚନ୍ଦନ ଠାକୁରଙ୍କ ସହ ପଞ୍ଚ ମହାଦେବ ଯିବାବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ନୀତି ସଂପୃକ୍ତ ସେବକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅକ୍ଷୟ ତୃତୀୟା ପାଇଁ ନୀର୍ଘଣ୍ଟ ନୀତି ଅନୁଯାୟୀ, ଭୋର ସାଢ଼େ ୩ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ପରେ ସାଢ଼େ ୩ଟାରେ ଭିତର ଶୋଧ, ଭୋର ୪ଟାରେ ମଙ୍ଗଳ ଆଳତି କରାଯିବ। ଏହାପରେ ମହାପ୍ରଭୁଙ୍କ ମଇଲମ ଓ ତଡ଼ପଲାଗି ନୀତି ସଂପନ୍ନ ହେବ। ସକାଳ ସାଢ଼େ ୫ଟାରେ ଅବକାଶ, ୬ଟାରେ ରୋଷହୋମ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ସକାଳ ସାଢ଼େ ୬ଟାରେ ବେଶ ଶେଷ ହେବ। ସକାଳ ୭ଟାରେ ଗୋପାଳ ବଲ୍ଲଭ, ସାଢ଼େ ୭ଟାରୁ ସାଢ଼େ ୯ଟା ମଧ୍ୟରେ ସକାଳ ଧୂପ, ୧୦ଟାରେ ମଇଲମ ଓ ଯାତ୍ରାଙ୍ଗୀ ମହାସ୍ନାନ, ୧୦ଟା ୪୦ରେ ଚନ୍ଦନ ବେଢ଼ା, ସାଢ଼େ ୧୧ଟାରେ ଖଇକୋରା ଭୋଗ, ମଧ୍ୟାହ୍ନ ୧୨ଟାରେ ସର୍ବାଙ୍ଗ କରାଯାଇ ମଧ୍ୟାହ୍ନରେ ବେଶ ଶେଷ ହେବ। ଅପରାହ୍ଣ ଗୋଟାଏରୁ ସାଢ଼େ ୨ଟା ମଧ୍ୟରେ ଘଣ୍ଟଛତା ଯାତ ଭୋଗ ଓ ମଧ୍ୟାହ୍ନ ଧୂପ କରାଯିବ। ଅପରାହ୍ଣ ୩ଟାରେ ଦ୍ୱାଦଶ ଯାତ୍ରା ବନ୍ଦାପନା କରାଯାଇ ସାଢ଼େ ୩ଟାରେ ବିମାନକୁ ଦିଅଁ ବିଜେ କରିବେ।
ଅପରାହ୍ଣ ୪ଟାରେ ରଥ ଅନୁକୂଳ ପାଇଁ ଆଜ୍ଞାମାଳ ବିଜେ ପରେ ମହାପ୍ରଭୁଙ୍କ ବିମାନ ଉଠିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣ ୧ଟା ୧୦ରୁ ସାଢ଼େ ୪ଟା ମଧ୍ୟରେ ଭୋଗମଣ୍ଡପ ସମୟ ନିର୍ଘଣ୍ଟ ହୋଇଛି। ୫ଟାରୁ ୫ଟା ୪୫ ମିନିଟ୍ ମଧ୍ୟରେ ମଇଲମ ଓ ବେଶ ଅନୁଷ୍ଠିତ ହୋଇ ୬ଟାରେ ସଂଧ୍ୟା ଆଳତି, ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ସଂଧ୍ୟା ଧୂପ ନୀତି ଅନୁଷ୍ଠିତ ହେବ। ପରେ ମଇଲମ, ଆଲଟଲାଗି, ପଣାଭୋଗ କରାଯିବ। ରାତି ୧୦ଟାରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବେ। ମଇଲମ ଓ ଚନ୍ଦନଲାଗି ପରେ ରାତି ସାଢ଼େ ୧୧ଟାରେ ବଡ଼ସିଂହାର ବେଶ, ୧୨ଟାରେ ବଡସିଂହାର ଭୋଗ ଏବଂ ରାତି ସାଢ଼େ ୧୨ଟାରେ ପହଡ଼ ନୀତି ଅନୁଷ୍ଠିତ ହେବ।
The post ଚୂଡ଼ାନ୍ତ ହେଲା ଅକ୍ଷୟ ତୃତୀୟା ନୀତିକାନ୍ତି first appeared on Sambad.from ଜିଲ୍ଲା | Sambad https://ift.tt/2RPgAYa
0 Comments