ମାଲକାନଗିରି: ପ୍ରତିଦିନ ତେଲେଙ୍ଗାନାର ହାଇଦ୍ରାବାଦରୁ ଶହଶହ ପ୍ରବାସୀ ମୋଟୁ ରାସ୍ତା ଦେଇ ଅତିକ୍ରମ କରୁଛନ୍ତି। ବିଶେଷକରି ନବରଂଗପୁର, କଳାହାଣ୍ଡି, ବଲାଙ୍ଗିର ଅଂଚଳର ଶହଶହ ପ୍ରବାସୀ ମାଲକାନଗିରି ଦେଇ ନିଜ ଅଂଚଳକୁ ଫେରୁଛନ୍ତି। ତେବେ ଆଜି ମୋଟୁ ସୀମାନ୍ତରେ ଏକ ଅଭାବନୀୟ ଘଟଣା ଘଟିଛି। କଳାହାଣ୍ଡି ଜିଲ୍ଲାର ଚିନ୍ନାପାଲୀ ଅଂଚଳର ଧାରୁବା ବଣ୍ଡେଶ୍ବର ନିଜର ପରିବାର ସହ ହାଇଦ୍ରାବାଦରେ କାମ କରୁଥିଲେ। ତେବେ ଆଗକୁ ଲକ୍ ଡାଉନ ଥିବା ଯୋଗୁଁ ଆଜି ହାଇଦ୍ରାବାଦରୁ ମୋଟୁ ସୀମାନ୍ତରେ ସେ ନିଜ ପରିବାରକୁ ନେଇ ପହଞ୍ଚିଥିଲେ। ତେବେ ତାଂକର ୧୦ ବର୍ଷର ଝିଅ ନେହା ବଣ୍ଡେଶ୍ବର ଅସୁସ୍ଥ କାରଣରୁ ମୋଟୁ ସୀମାରେ ମୃତ୍ୟୁ ହୋଇଯାଇଥିଲା।

ସୀମାନ୍ତରେ ଏହି ଘଟଣା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ମୋଟୁ ତହସିଲଦାର ଶଶାଙ୍କ ମିଶ୍ର, ଡାକ୍ତର ଶରତ ଚନ୍ଦ୍ର ବେହେରା, ମୋଟୁ ପୁଲିସ ଅଧିକାରୀ ସୋମନାଥ ବେହେରା, ସୁଶାନ୍ତ କୁମାର ସାହୁ ପ୍ରମୁଖ ଶୋକାକୂଳ ପରିବାରକୁ ସହଯୋଗର ହାତ ବଢାଇଥିଲେ। ଏହି କର୍ମଚାରୀମାନେ ମୃତ ଦେହକୁ ନିକଟସ୍ଥ ଜଂଗଲରେ ନେଇ ଶେଷକୃତ ସଂପନ୍ନ କରିଥିଲେ।ତେବେ ଝିଅର ମୃତ୍ୟୁ କରୋନା ଯୋଗୁଁ ହୋଇଥାଇପାରେ ବୋଲି ଆଶଂକା କରାଯାଉଛି। ଜିଲ୍ଲା ପ୍ରଶାସନର ଏହି ସହଯୋଗ ଯୋଗୁଁ ପରିବାର ଲୋକେ ଏବଂ ସେହି ଅଂଚଳର ଲୋକେ ପ୍ରଶଂସା କରିଥିଲେ।

The post ହାଇଦ୍ରାବାଦରୁ ଘରକୁ ଫେରୁଥିବା ବେଳେ ମୋଟୁ ସୀମାନ୍ତରେ ଝିଅର ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3nO7uqh