କଟକ : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସରେ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଲୋକସେବକ ମଣ୍ଡଳକୁ ଦୁଇଟି ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି। ଏହି ଆମ୍ବୁଲାନ୍ସକୁ କେନ୍ଦୁଝର ଜିଲ୍ଲା ବିଶେଷକରି ଘସିପୁରା, ଘଟଗାଁ, ଆନନ୍ଦପୁର, ହରିଚନ୍ଦନପୁର ଅଞ୍ଚଳର କରୋନା ଆକ୍ରାନ୍ତଙ୍କ ସେବାରେ ନିୟୋଜନ କରିବା ପାଇଁ ଶ୍ରୀ ପଟ୍ଟନାୟକ ‌ଲୋକସେବକ ମଣ୍ଡଳକୁ ଅନୁରୋଧ କରିଛନ୍ତି। ଆଜି କଟକରେ ଆୟୋଜିତ ଏ‌କ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦୁଇଟି ଆମ୍ବୁଲାନ୍ସର ଚାବିକୁ ନିରଂଜନ ପଟ୍ଟନାୟକଙ୍କ ପୁତ୍ର ଦେବଜ୍ୟୋତି ପଟ୍ଟନାୟକ ଓ ଭାଇ ନବ ପଟ୍ଟନାୟକ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ଡକ୍ଟର ପ୍ରଭାସ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର, ଡକ୍ଟର ବିପ୍ଳବ ଶିଳାଦିତ୍ୟ, ସତୀଶ ଶେଖର, ସଦାଶିବ ବାରିକ ଓ ଆଶୁତୋଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ଏ ଦିଗରେ ଯଦି କୌଣସି ଅଧିକ ସହାୟତାର ଆବଶ୍ୟକତା ପଡେ ତେବେ ତାହା ଯୋଗାଇ ଦିଆଯିବ ବୋଲି ଏହି ଅବସରରେ ଦେବଜ୍ୟୋତି କହିଥିଲେ।

ସୂଚନାଯୋଗ୍ୟ ଯେ ଏଆଇସିସିର ନିର୍ଦ୍ଦେଶକ୍ରମେ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧୋତ୍ସବକୁ କରୋନା ପୀଡିତଙ୍କ ସେବାକରି ପାଳନ କରିବା ପାଇଁ ପିସିସି ପକ୍ଷରୁ ନି‌ଷ୍ପତ୍ତି ନିଆଯାଇଥିଲା। କରୋନା ସଂକ୍ରମଣ ଏବେ ଗ୍ରାମାଞ୍ଚଳରେ ବଢିବାରେ ଲାଗିଛି। କରୋନା ସଂକ୍ରମିତ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆମ୍ବୁଲାନ୍ସ, ଟିକାକରଣ, ଅକ୍ସ‌ିଜେନ୍, ଟେଷ୍ଟିଂ ଇତ୍ୟାଦି କ୍ଷେତ୍ରରେ ରାଜ୍ୟ ସରକାର ଆବଶ୍ୟକତା ଅନୁଯାୟୀ ସଫଳ ହୋଇପାରୁ ନାହାନ୍ତି ବୋଲି ପିସିସି ପକ୍ଷରୁ କୁହାଯିବା ସହିତ କରୋନା ସଂକ୍ରମିତଙ୍କୁ ବିଭିନ୍ନ ବାଟରେ ଯଥା ସମ୍ଭବ ସହାୟତା ଯୋଗାଇ ଦେବା ପାଇଁ ପିସିସି ପକ୍ଷରୁ ପଦକ୍ଷେପ ‌ନିଆଯାଉଛି ବୋଲି ସୂଚନା ଦିଆଯାଇଛି।

The post ପିସିସି ସଭାପତିଙ୍କ ପକ୍ଷରୁ ଲୋକସେବକ ମଣ୍ଡଳକୁ ଦୁଇଟି ଆମ୍ବୁଲାନ୍ସ ପ୍ରଦାନ first appeared on Sambad.

from ଜିଲ୍ଲା | Sambad https://ift.tt/3hLvdGA