
ଜୟପୁର/କଟକ : ହେ ବନ୍ଧୁ ବିଦାୟ! ଏହିଭଳି ଏକ ଗୀତ ବୋଲି ଖୁବ୍ ଚର୍ଚ୍ଚାକୁ ଆସିଥିଲେ ସେ। ଏବେ କିନ୍ତୁ ତାଙ୍କୁ ଚିରଦିନ ପାଇଁ ବିଦାୟ ନେବାକୁ ପଡ଼ିଛି। ବିଦାୟ ନେଇଥିବା ଏହି ଲୋକପ୍ରିୟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଶାନ୍ତିରାଜ ଖୋସଲା। ଅନେକ ମନଛୁଆଁ ଓଡ଼ିଆ ଭଜନ, ଆଲବମ୍ ଓ ସିନେମାର ସଙ୍ଗୀତ ନିର୍ଦ୍ଦେଶକ, ଲୋକପ୍ରିୟ କଣ୍ଠଶଳ୍ପୀ। କରୋନା ମହାମାରୀ ସହ ଲଢ଼େଇ କରି ଗୁରୁବାର କଟକସ୍ଥିତ ଏସ୍ସିବି ମେଡିକାଲ କଲେଜରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୪ବର୍ଷ ବୟସ ହୋଇଥିଲା। ତାଙ୍କ ଅକାଳ ବିୟୋଗ ଓଲିଉଡ୍ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟପୁର ବିଧାୟକ ତାରପ୍ରସାଦ ବାହିନୀପତୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
୫ ଦିନ ପୂର୍ବରୁ ଅସୁସ୍ଥତା ଅନୁଭବ କରିବାରୁ ଶାନ୍ତିରାଜ କୋଭିଡ୍ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ୍ ଆସିବାରୁ ଘରେ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ଏସ୍ସିବି ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପତ୍ନୀ ସାଗରିକା ଖୋସଲାଙ୍କ ଅନୁରୋଧକ୍ରମେ କଟକ ପ୍ରଶାସନମରଶରୀର ଜନ୍ମଭୂମି କୋରାପୁଟ ଜିଲ୍ଲା ଜୟପୁର ପଠାଇଥିବା ଜଣାପଡ଼ିଛି।
ଜୟପୁର ସହର ଖ୍ରୀଷ୍ଟିଆନ୍ ପେଟା ଅଞ୍ଚଳର ସ୍ବର୍ଗତ ମାର୍ଟିନ୍ ଖୋସ୍ଲା ଓ ସ୍ବର୍ଗତ ସାବିତ୍ରୀ ଖୋସଲାଙ୍କ ଚତୁର୍ଥ ସନ୍ତାନ ଥିଲେ ଶାନ୍ତିରାଜ। ୧୯୬୬ ମସିହା ଅକ୍ଟୋବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଜୟପୁର ଆକାଶବାଣୀ କେନ୍ଦ୍ରରେ ସଙ୍ଗୀତ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ କଟକକୁ କର୍ମଭୂମି ଭାବେ ଚାଲି ଆସିଥିଲେ। ସଙ୍ଗୀତକୁ ସାଧନା କରି ଆନୁଷ୍ଠାନିକ ଭାବେ ହିନ୍ଦୁସ୍ତାନୀ ଓ କ୍ଲାସିକାଲ ତାଲିମ ନେଇଥିଲେ। ନିଜେ ଗୀତ ଲେଖିବା, ଗାଇବା ଓ ତାହାକୁ ସଂଯୋଜନା କରିବା ଭଳି ବହୁମୁଖୀ ପ୍ରତିଭା ଥିଲା ଶାନ୍ତିରାଜ।
ଓଡ଼ିଆ ଆଲବମ୍ ହେଉ ବା ଭଜନ ଓ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ସଂଗୀତ ବେଶ୍ ଲୋକପ୍ରିୟ ହୋଇପାରିଛି। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ରଙ୍ଗନମ୍ବର’ରୁ ସଙ୍ଗୀତ ନିର୍ଦ୍ଦେଶନା ଆରମ୍ଭ କରିଥିଲେ। ଏହାପରେ ତୋ ବିନା ମୋ କାହାଣୀ ଅଧା, ଏସ୍ପି ରନବିର୍, ଡନ୍, ମତେ ଆଣିଦେଲ ଲକ୍ଷେ ଫଗୁଣ ଭଳି ବହୁ ସିନେମାରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଓଡ଼ିଆ ସଂଗୀତକୁ ଲୋକପ୍ରିୟ କରାଇବାରେ ସବୁବେଳେ ଚେଷ୍ଟା କରି ଆସୁଥିଲେ, ଏଥିରେ ସଫଳ ମଧ୍ୟ ହୋଇଥିଲେ। ‘ଫେରିଆ’ ଚଳଚ୍ଚିତ୍ର ପାଇଁ ୨୦୧୯ ମସିହାରେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।
ଗତବର୍ଷ କରୋନା ମହାମାରୀ ସମୟରେ ଲୋକଙ୍କୁ ସଚେତନା କରିବା ପାଇଁ ‘ଡେଥ୍ ଟିକେଟ୍ କନଫର୍ମ’ ସଙ୍ଗୀତକୁ ଲେଖିବା ସହ ଗାଇଥିଲେ। ଶେଷରେ, ତାଙ୍କୁ ସେହି କରୋନାରେ ପ୍ରାଣ ହରାଇବାକୁ ପଡ଼ିଛି। ଗତ କିଛି ମାସ ତଳେ ତାଙ୍କ ଭାଇ ଲିଭିଂ ଷ୍ଟୋନ୍ ଖୋସଲାଙ୍କ ଦେହାନ୍ତ ହୋଇଥିଲା। ଶାନ୍ତିରାଜ୍ ପତ୍ନୀ ସାଗରିକା ଓ ଝିଅ ଶ୍ରୁତି ପ୍ରସାରାଣୀ ଖୋସଲାଙ୍କ ସହ କଟକ ମକରବାଗ୍ ଅଞ୍ଚଳରେ ରହୁଥିଲେ। ତାଙ୍କ ଅକାଳ ବିୟୋଗରେ ସଙ୍ଗୀତ ଦୁନିଆରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁରେ ସଂଗୀତ ନିର୍ଦ୍ଦେଶକ ଶରତ ନାୟକ, ଗୀତିକାର ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ, ସୁବ୍ରତ ସ୍ବାଇଁ, କଣ୍ଠଶିଳ୍ପୀ ଶ୍ରୀଚରଣ ପ୍ରମୁଖ ଚଳଚ୍ଚିତ୍ର ଓ ସଂଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
The post ‘ହେ ବନ୍ଧୁ ବିଦାୟ!’ ଚିରଶାନ୍ତିରେ ଶୋଇଗଲେ ଶାନ୍ତିରାଜ first appeared on Sambad.from ଜିଲ୍ଲା | Sambad https://ift.tt/3yH6nOd
0 Comments