
ରାଜନଗର/ମହାକାଳପଡ଼ା : କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ସବୁଠୁ ଅଧିକ ପ୍ରଭାବ ପକାଇଛି ବାତ୍ୟା ‘ୟାସ୍’। ବର୍ଷା ପବନରେ ସହସ୍ରାଧିକ ଘର, ଗଛ ଭାଙ୍ଗିଛି। ତିନି କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ମାଡ଼ି ଆସିବା ସହିତ ଲୁଣା ଜୁଆର ପାଣି ବନ୍ଧ ଡେଇଁ ଗାଁରେ ଲହଡ଼ି ଭାଙ୍ଗୁଛି।
‘ୟାସ୍’ ପ୍ରଭାବରେ ପବନ ଯେତିକି କ୍ଷତି କରିନି ତା’ଠାରୁ ଅଧିକ କ୍ଷତି କରିଛି ବର୍ଷା ଓ ଜୁଆର ପାଣି। ବର୍ଷା ପବନ ସାଙ୍ଗକୁ ନଦୀ ଓ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ଯୋଗୁଁ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ସମୁଦ୍ରରେ ଉଚ୍ଚ ଜୁଆର ଉଠି ବନବିଭାଗର ହବାଳିଖଟି ଗେଷ୍ଟ୍ ହାଉସ୍ ଭିତରକୁ ପଶିଛି। ସାତଭାୟା, ହବାଳିଖଟି, ଏକକୁଳା ନିକଟରେ ୩ କିମି ଭିତରକୁ ସମୁଦ୍ର ମାଡ଼ି ଆସିଛି। ପେଣ୍ଠ ନିକଟରେ ସମୁଦ୍ର ଅଶାନ୍ତ ହୋଇ ରାଜନଗରର ସୁରକ୍ଷା କବଚ ଲୁଣା ଘେରିବନ୍ଧରେ ମାଡ଼ ହେଉଛି। ବନ୍ଧ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇ ନଥିଲେ ମଧ୍ୟ ଜୁଆର ପାଣି ଛିଟ୍କା ମାରି ଭେଡ଼ା ମଧ୍ୟକୁ ପଶୁଛି। ବୈତରଣୀ ନଦୀର ଜୁଆର ପାଣି ରାଜନଗର-ତାଳଚୁଆ ମୁଖ୍ୟ ରାସ୍ତାର ଖୋଳାରୁ ନଳିତାପାଟିଆ ରାସ୍ତାକୁ ବୁଡ଼ାଇ ଜନବସତି ମଧ୍ୟକୁ ପାଣି ପଶିଛି। ନଳିତାପାଟିଆ ତାଳଚୁଆ ରାସ୍ତାର ସୁବର୍ଣ୍ଣପୁର, କୃଷ୍ଣନଗର, କନକନଗର ନିକଟରେ ରାସ୍ତା ବୁଡ଼ି ଉପରେ ପାଣି ଚାଲିଛି। ଏହି ରାସ୍ତାର ନଦୀପାର୍ଶ୍ବକୁ ଅଧିକାଂଶ ସ୍ଥାନରେ ଜୁଆର ପାଣି ବାଡ଼େଇ ପ୍ରାୟ ୩୦ ଭାଗ ଧୋଇ ନେଇଛି।
ଅନ୍ୟପକ୍ଷରେ, ପଟ୍ଟାପାରିଆ ଗାଁର ୧୬୦ ପରିବାରର ଘର ମଧ୍ୟରେ ଜୁଆର ପାଣି ପଶିଛି। ଲୋକଙ୍କ ଘର ଭିତରେ ଓ ଗାଁ ଦାଣ୍ତରେ ଜୁଆର ପାଣି ଲହଡ଼ି ଭାଙ୍ଗୁଛି। ନଦୀ ସବୁ ଫୁଲି ରହିଥିବାରୁ ଗୁମୁରା ଗାଁର ବର୍ଷାଜଳ ନିଷ୍କାସନ ହୋଇପାରୁନି। ବର୍ଷାଜଳ ଗାଁର ଘର ମଧ୍ୟରେ ପଶିବା ଆରମ୍ଭ କରିଛିସେହିଭଳି ମହାକାଳପଡ଼ା ବ୍ଲକ୍ର ତିନିଟି ସ୍ଥାନ ପଙ୍କପାଳ, ବଡ଼ପାଳ ଓ ବଗଗହଣରେ ଜୁଆର ପାଣି ପଶିଥିବା ଦେଖିବାକୁ ମିଳିଛି।
The post ୩ କିମି ଭିତରକୁ ମାଡ଼ିଆସିଲା ସମୁଦ୍ର, ମହାକାଳପଡ଼ାର ୩ ଗାଁରେ ମଧ୍ୟ ପାଣି ପଶିଲା first appeared on Sambad.from ଜିଲ୍ଲା | Sambad https://ift.tt/2QTUL9A
0 Comments