
ବାଲେଶ୍ୱର : ପର୍ଯ୍ୟଟକ ହୁଅନ୍ତୁ ବା ଆଗନ୍ତୁକ, ବାଲେଶ୍ୱରକୁ ଆସିଲେ ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିର ଓ ଇମାମୀ ଜଗନ୍ନାଥ ମନ୍ଦିର ଦେଖିବାକୁ କେହି ଭୁଲନ୍ତି ନାହିଁ। ଯଦିଓ କ୍ଷୀରଚୋରା ଗୋପୀନାଥ ମନ୍ଦିରଠାରୁ ଢ଼େର ପଛରେ ଇମାମୀ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି, କିନ୍ତୁ କୋଣାର୍କ ଓ ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ନିର୍ମିତ ଏହି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଆଉ ଏହାର ସଫଳ ବିନ୍ଧାଣୀ ହେଉଛନ୍ତି ମହାନ୍ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ଡ.ରଘୁନାଥ ମହାପାତ୍ର। ଯାହାଙ୍କର ମାର୍ଗଦର୍ଶନରେ ୧୦୦ରୁ ଅଧିକ ପ୍ରସ୍ତର ଶିଳ୍ପୀ ନିହାଣ ମୁନରେ ଗଢ଼ି ତୋଳିଥିଲେ ଏହି ଭବ୍ୟ ଜଗନ୍ନାଥ ମନ୍ଦିର। ପୁରୀ ଜଗନ୍ନାଥ ମନ୍ଦିର ସହ ଏହାର ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ। ଯେଉଁଥି ପାଇଁ ରାତି ପାହିଲେ ଇମାମୀ ଜଗନ୍ନାଥ ମନ୍ଦିର ଦେଖିବାକୁ ଛୁଟି ଆସନ୍ତି ଶହଶହ ପର୍ଯ୍ୟଟକ।

ବାଲେଶ୍ବର ସହର ଉପକଣ୍ଠଠାରୁ ମାତ୍ର ୧୫ କିମି ଦୂର ରେମୁଣା ବ୍ଳକ ବାଲଗୋପାଲସ୍ଥିତ ଇମାମୀ ପେପର ମିଲ୍ ପରିସରରେ ଗଢ଼ି ଉଠିଥିବା ଏହି ମନୋଜ୍ଞ ମନ୍ଦିରର ବାସ୍ତୁକାର ଓ ମୂର୍ତ୍ତିକାର ଥିଲେ ଖୋଦ୍ ରଘୁନାଥ ମହାପାତ୍ର ଓ ତାଙ୍କ ଟିମ୍। ମୁଖ୍ୟ ମନ୍ଦିର ଚାରିପଟେ ଥିବା ପାର୍ଶ୍ବ ମନ୍ଦିର ଓ ବେଢ଼ା ସମ୍ପୂର୍ଣ୍ଣ ପଥରରେ ନିର୍ମିତ। ଏହାର ନିର୍ମାଣଶୈଳୀ ଏତେ ନିଖୁଣ ଓ ଆକର୍ଷଣୀୟ ହୋଇଛି ଯେ, ପୁରୀ ଶ୍ରୀମନ୍ଦିରର ଭ୍ରମ ପରି ମନେ ହୁଏ। ୨୦୧୦ ମସିହାରେ ଇମାମୀ କର୍ତ୍ତୃପକ୍ଷ ରଘୁନାଥ ମହାପାତ୍ରଙ୍କ ତତ୍ତ୍ବାବଧାନକ୍ରମେ ମନ୍ଦିରର ନିର୍ମାଣ କାମ ଆରମ୍ଭ କରିଥିଲେ। ୩ ଏକର ପରିମିତ ଜାଗାରେ ୭୮ ଫୁଟ୍ ଉଚ୍ଚତା ବିଶିଷ୍ଟ ମୁଖ୍ୟ ମନ୍ଦିର ସହ ପାର୍ଶ୍ବ ମନ୍ଦିର ଓ କାରକାର୍ଯ୍ୟପୂର୍ଣ୍ଣ ବେଢ଼ା ନିର୍ମାଣ ହୋଇଛି। ରଘୁନାଥଙ୍କ ଦିଗ୍ଦର୍ଶନରେ ୧୦୦ରୁ ଅଧିକ ପ୍ରସ୍ତର ଶିଳ୍ପୀ ୫ ବର୍ଷ କାଳ ଝାଳବୁହା ପରିଶ୍ରମ କରି ନିହାଣ ମୁନରେ ଗଢ଼ି ତୋଳିଥିଲେ ଏହି ସଦୃଶ୍ୟ ମନ୍ଦିର। ୨୦୧୫ରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ପ୍ରତିଷ୍ଠା କରାଯାଇଥିଲା।

କହିବା ବାହୁଲ୍ୟ, ଏହି ମନ୍ଦିର ଏବେ ଉତ୍ତରଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ଲୋକଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥଳ ପାଲଟିଛି। ଅନେକ ଏହାର ନିର୍ମାଣଶୈଳୀକୁ ଦେଖି ଦ୍ବିତୀୟ ଶ୍ରୀମନ୍ଦିରର ମଧ୍ୟ ଆଖ୍ୟା ଦେଉଛନ୍ତି। ମନ୍ଦିରରେ ଫୁଲ ବଗିଚା ସାଙ୍ଗକୁ ସନ୍ଧ୍ୟା ସମୟରେ ଉଜ୍ବଳ ଆଲୋକ ବ୍ୟବସ୍ଥା ଏହାର ଶୋଭାକୁ ଆହୁରି ଦ୍ବିଗୁଣିତ କରିଥାଏ।
ଏହାଛଡ଼ା ଭୋଗରାଇ ବ୍ଲକରେ ନିର୍ମାଣ ହେବାକୁ ଯାଉଥିବା ଏସିଆ ମହାଦେଶର ସର୍ବବୃହତ୍ ଶିବଲିଙ୍ଗ ବାବା ଭୁଷଣ୍ଢେଶ୍ବର ମହାଦେବ ମନ୍ଦିର ପାଇଁ ମଧ୍ୟ ରଘୁନାଥ ଡିଜାଇନ୍ ନକ୍ସା ଦେଇଥିଲେ। ଗତବର୍ଷ ସେ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ସହ ନିର୍ମାଣସ୍ଥଳକୁ ଆସି ମନ୍ଦିରର ସ୍ଥାପତ୍ୟ ଶୈଳୀ ସଂପର୍କରେ ଇଞ୍ଜିନିୟରମାନଙ୍କ ସହ ଆଲୋଚନା କରିଥିଲେ। ସଂପ୍ରତି ଏହି ମନ୍ଦିରର କେବଳ ଭିତ୍ତି ନିର୍ମାଣ କରାଯାଇଛି। ରଘୁନାଥଙ୍କର ଅକାଳ ବିୟୋଗ ସମଗ୍ର ଦେଶ ପାଇଁ ବଡ଼ କ୍ଷତି ବୋଲି ଭୋଗରାଇ ବିଧାୟକ ଅନନ୍ତ ଦାସ କହିଛନ୍ତି। ଇମାମୀ ପକ୍ଷରୁ ମଧ୍ୟ ସ୍ବର୍ଗତ ମହାପାତ୍ରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

from ଜିଲ୍ଲା | Sambad https://ift.tt/33uwpWG
0 Comments