
କଟକ: ବାତ୍ୟା ‘ୟାସ୍’ରେ ମହାନଗର ନିଗମ ପକ୍ଷରୁ ବାତ୍ୟା ଆଶ୍ରୟ କେନ୍ଦ୍ରରେ ରହୁଥିବା ଲୋକଙ୍କ ଖାଦ୍ୟ ବାବଦକୁ ୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବାର ବିଲ୍ ହୋଇଛି। ବାତ୍ୟା ଆଶ୍ରୟ କେନ୍ଦ୍ର ଗୁଡିକରେ ଖାଦ୍ୟ ଦିଆଯାଉ ନଥିବାର ଅନେକ ଅଭିଯୋଗ ଆସିଥିଲା। ଏପରିକି ପୁଲିସ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଖାଦ୍ୟ ବାଣ୍ଟି ଥିବାର ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତିରେ ସିଏମ୍ସି ପକ୍ଷରୁ ୨୫ ଓ ୨୬ ତାରିଖରେ ମୋଟ ୨୦ ହଜାର ୨୫୦ଟି ମଧ୍ୟାହ୍ନ ଓ ରାତ୍ର ଭୋଜନ ଦିଆଯିବା ବାଦରେ ୫ ଲକ୍ଷ ୨୪ ହଜାର ୨୫୦ ଟଙ୍କା ଖର୍ଚ୍ଚର ବିଲ୍ ପ୍ରସ୍ତୁତ ହୋଇଛି। ଲୋକଙ୍କୁ ଖାଦ୍ୟ ନଦେଇ ଏତେ ଟଙ୍କାର ବିଲ୍ କରିବା ପଛରେ ଟଙ୍କା ହରିଲୁଟ୍ କରିବାର ମସୁଧା ହୋଇଥିବାର ଅଭିଯୋଗ ହୋଇଛି।
ମହାନଗର ନିଗମ ପକ୍ଷରୁ ‘ୟାସ୍’ ବାତ୍ୟାକୁ ଦେଖି ସିଏମ୍ସିର ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ୫୦ଟି ଆଶ୍ରୟ କେନ୍ଦ୍ର କରାଯାଇଥିଲା। ଯେଉଁଠାରେ ଗତ ୨୫ ଓ ୨୬ ତାରିଖରେ ଲୋକଙ୍କୁ ରଖାଯାଇଥିଲା। ସେମାନଙ୍କୁ ରନ୍ଧାଖାଦ୍ୟ ଦେବା ପାଇଁ ୩ଟି ସ୍ବଂୟ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଥିଲା। ଟଚ୍ ଷ୍ଟୋନ ଫାଉଣ୍ଡେସନ୍ ପକ୍ଷରୁ ୯ହଜାର ୨ଶହ ମିଲ୍ ଦିଆଯାଇଥିଲା। ପ୍ରତି ମିଲ୍କୁ ୨୫ ଟଙ୍କା ହିସାବ ସହିତ ୭ହଜାର ୨ଶହ ପତ୍ର ପ୍ଲେଟ୍ ବାବଦକୁ ୧୮ଶହ ଟଙ୍କା କରି ମୋଟ ୨ଲକ୍ଷ ୪୮ ହଜାର ଟଙ୍କା ବିଲ୍ ହୋଇଛି। ସେହିପରି ମା’ ସନ୍ତୋଷୀ ଗ୍ରୁପ ପକ୍ଷରୁ ୪ ହଜାର ମିଲ୍କୁ ୨୫ଟଙ୍କା କରି ଏକ ଲକ୍ଷ ଟଙ୍କା ଓ ପୂର୍ଣ୍ଣ ବ୍ରହ୍ମ ଗ୍ରୁପ ପକ୍ଷରୁ ୭ହଜାର ୫୦ ମିଲ୍କୁ ୨୫ ଟଙ୍କାରେ ଏକ ଲକ୍ଷ ୭୬ ହଜାର ୨୫୦ଟଙ୍କାର ବିଲ୍ ଦେଖାଯାଇଛି। ମୋଟ ୨୦ ହଜାର ୨୫୦ ମିଲ୍ ପାଇଁ ୫ଲକ୍ଷ ୨୪ ହଜାର ୨୫୦ ଟଙ୍କାର ବିଲ୍ ହୋଇଛି। କେନ୍ଦ୍ର ଗୁଡିକରେ ଲୋକଙ୍କୁ ରନ୍ଧାଖାଦ୍ୟ ମିଳୁ ନଥିବାରୁ ଅନେକ ସ୍ଥାନରେ ଲୋକେ ନିଜେ ରୋଷେଇ କରି ଖାଇଥିଲେ। ଅନେକ କେନ୍ଦ୍ରରେ ପୁଲିସ ଓ ସାମାଜିକ ଅନୁଷ୍ଠାନଙ୍କ ପକ୍ଷରୁ ଖାଦ୍ୟ ବଣ୍ଟା ଯାଇଥିଲା।
ଲୋକଙ୍କୁ ଖାଦ୍ୟ ନଦେଇ ସିଏମ୍ସି ପକ୍ଷରୁ ଏତେ ଟଙ୍କାର ବିଲ୍ କରିବାକୁ ନେଇ ଏବେ ପ୍ରଶ୍ନ ଛିଡା ହୋଇଛି। ସେପଟେ ସହରରେ ବାତ୍ୟା ପ୍ରଭାବରେ ୫୨ ମିଲିମିଟର ବର୍ଷା ହୋଇଥିବା ବେଳେ ସିଏମ୍ସି ପକ୍ଷରୁ ବର୍ଷାଜଳ ନିଷ୍କାସନ ବାବାଦରେ ୧୮ଲକ୍ଷ ୬୯ ହଜାର ଟଙ୍କାର ବିଲ୍ କରାଯାଇଛି। ରନ୍ଧାଖାଦ୍ୟ ଓ ବର୍ଷାଜଳ ନିଷ୍କାସନ ବିଲ୍ରେ ବଡ଼ଧରଣର ଦୁର୍ନୀତି ହେବାର ଆଶଙ୍କା ଦେଖାଯାଇଛି। ନିଗମର କର୍ତ୍ତୃପକ୍ଷ ଉକ୍ତ ବିଲ୍ ଗୁଡିକର ସତ୍ୟତା ଯାଞ୍ଚ କରି ଟଙ୍କା ମଞ୍ଜୁର କରିବାକୁ ସାଧାରଣରେ ଦାବି ହୋଇଛି।
The post ଖାଦ୍ୟ ନଦେଇ ସିଏମ୍ସି ପକ୍ଷରୁ ୫ଲକ୍ଷ ଟଙ୍କାର ବିଲ୍! first appeared on Sambad.from ଜିଲ୍ଲା | Sambad https://ift.tt/3wAtLv4
0 Comments