ଜଟଣୀ: ଜଟଣୀର ସାହି ବସ୍ତି ଓ ଗଳିକନ୍ଦିରେ ଶବଦାହ କରିବା ପାଇଁ ଚାନ୍ଦା ଆଦାୟ କରୁଥିବା ଯୁବକମାନଙ୍କୁ ଲୋକେ ବହେ ଛେଚିଛନ୍ତି। ଏମିତି ଏକ ଘଟଣା ସ୍ଥାନୀୟ ଗଜପତି ନଗର ଅଞ୍ଚଳରେ ଦେଖିବାକୁ ମିଳିଛି। ସହରରେ ତାଲା ବନ୍ଦ ଯୋଗୁ ନିଶାଡି ଓ ଅସାମାଜିକ ଯୁବକ ସାହି ବସ୍ତିରେ ଖଟି କରୁଛନ୍ତି। କାମ ଧନ୍ଦା ନାହିଁ କି ପାଖରେ ପଇସା ନାହିଁ। ଧଳାଜହର ଖାଇବା ପାଇଁ ପଇସା ଦରକାର। ନିଶା ସେବନ ଛାଡିପାରୁ ନାହାନ୍ତି। ଘର ଲୋକ ପଇସା ଦେଉନାହାନ୍ତି। ତେଣୁ ଅଭିନବ ଉପାୟରେ ଚାନ୍ଦା ଆଦାୟ କରି କିଛି ଟଙ୍କା ଧରି ଧଳାଜହର (ବ୍ରାଉନ୍ ସୁଗାର) ସେବନ
କରିବା ନିମନ୍ତେ ଦଳେ ନିଶାଡି ବିଭିନ୍ନ ବସ୍ତିରେ ବୁଲୁଛନ୍ତି।

ମିଛରେ କହୁଛନ୍ତି କରୋନାରେ ଜଣେ ମରିଗଲେ ଶବଦାହ ପାଇଁ ଟଙ୍କା ଦରକାର। ମୃତକ ଜଣକ ଗରିବ କିଛି ସାହାଯ୍ୟ ଦିଅ। ଏହି ଭଳି ଉପାୟରେ ମୋଟା ଅଙ୍କର ଟଙ୍କା ଆଦାୟ କରି ଖଟିକୁ ଯାଇ ସେଠାରେ ନିଶା ସେବନ କରୁଛନ୍ତି। ପୁଣି ଆଦାୟରେ ଲାଗି ଥିବା ବେଳେ ଗତପତି ନଗରରେ ଜଣେ ଲୋକ ଜାଣି ପାରିଥିଲେ। ପରେ ସେମାନଙ୍କୁ ଖୋଜି ଖୋଜି କରି ପାଇଲା ପରେ କିଛି ଲୋକ ମିଳିମିଶି ନିସ୍ତୁକ ଛେଚା ଦେଇଥିଲେ। ଏହି ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ସହ ଚର୍ଚ୍ଚା ସୃଷ୍ଟି କରିଛି।

ସୂଚନାଯୋଗ୍ୟ କି ବ୍ରାଉନ୍ ସୁଗାର କାରବାର ସହରଠୁଁ ଗ୍ରାମ ସବୁଠାରେ ତାଲା ବନ୍ଦର ସୁଯୋଗ ନେଇ ମାଫିଆ ମାନେ ଚଳାଇଛନ୍ତି। ଏହି ଧଳାଜହର ଖାଇବା ପାଇଁ ଜଟଣୀରେ ଚୋରି, ଛିନତାଇ ଓ ରାହାଜାନୀ ଆଦି  ଯୁବକମାନେ କରି ଆସୁଛନ୍ତି। ଏହା ଦିନକୁ ଦିନ ବଢ଼ିବାରେ ଲାଗିଲାଣି ହେଲେ ଜଟଣୀରେ ଥିବା ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଲୋକେ ଖୋଜି ପାଉନାହାନ୍ତି। ଅପରପକ୍ଷେ ଜଟଣୀ ଥାନା ପୁଲିସ୍ ମଝିରେ ମଝିରେ ଅଳ୍ପ କେତେକ ଛୋଟ ବେପାରୀଙ୍କୁ ଗିରଫ କରି ବିଦ୍ଧି ରକ୍ଷାକରୁଛି ବୋଲି ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

The post ଜଟଣୀ: ଶବଦାହ ପାଇଁ ଟଙ୍କା ମାଗୁଥିବା ନିଶାଖୋର ଛେଚା ଖାଇଲେ first appeared on Sambad.

from ଜିଲ୍ଲା | Sambad https://ift.tt/3u2BPTL