କଟକ: ଜଗତସିଂହପୁର ପୁଲିସ ପାଇଁ ଫେରାର୍ ଦୁର୍ଦ୍ଦାନ୍ତ ଅପରାଧୀ ଜାନକୀ ମହାରଣାର ଆହୁରି ୫ ସହଯୋଗୀଙ୍କୁ କଟକ କମିସନରେଟ୍ ପୁଲିସ ଉଠାଇଥିବା କୁହାଯାଉଛି। ପୁଲିସ ଏମାନଙ୍କୁ ଶନିବାର ବିଳମ୍ବିତ ରାତିରେ କଟକ ଉଠାଇ ଆଣି ଜାନକୀ ସହିତ ମୁହାମୁହିଁ ଜେରା କରୁଛି। ପୁଲିସ ଏହି ଗ୍ୟାଙ୍ଗ୍‌ ନିକଟରୁ ବନ୍ଧୁକ ଜବତ କରିଥିବା କୁହାଯାଉଛି। ଜାନକୀ ଗ୍ୟାଙ୍ଗ୍ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଟିଟୋ ଗ୍ୟାଙ୍ଗ୍ ପାଇଁ ସହ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ସେ ଦିଗରେ ପୁଲିସ ଏବେ ତଦନ୍ତ ଚଳାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କମିସନରେଟ୍ ପୁଲିସ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ଦେଉ ନାହିଁ।

ସୂଚନା ଅନୁଯାୟୀ, ଜଗତସିଂହପୁର ଥାନା ସିପି ଗାଁରେ ୨୦୧୬ରେ ବାପୁ ରାଉରତାୟଙ୍କୁ ଗୁଳିମାଡ଼ ଘଟଣାରେ ପୁଲିସ ପକ୍ଷରୁ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେହି ସମୟରେ ପୁଲିସକୁ ଚକମା ଦେଇ ଜାନକୀ ଫେରାର ହୋଇଯାଇଥିଲା। ତିନିଦିନ ତଳେ ଚାଉଳିଆଗଞ୍ଜ ଥାନା ପୁଲିସ ଜାନକୀକୁ ଜଗତସିଂହପୁର ଜିଲ୍ଲାରୁ ଉଠାଇ ଆଣି ଥାନାରେ ଜେରା ଚଳାଇଥିବା ବେଳେ ଜାନକୀ ବୟାନ ଆଧାରରେ ଆହୁରି ୫ ଜଣ ସହଯୋଗୀଙ୍କୁ ପୁଲିସ ଉଠାଇଛି। ଏମାନଙ୍କ ମଧ୍ୟରେ କଲ୍ୟାଣପୁର ଅଞ୍ଚଳର ୩ ଜଣ, ବିରିଡିର ଜଣେ ଏବଂ ତିର୍ତ୍ତୋଲର ଜଣେ ଥିବା କୁହାଯାଉଛି। ଜଗତସିଂହପୁର କଲ୍ୟାଣପୁରର ଜାନକୀ ମହାରଣା ବିରୋଧରେ କେବଳ ଜଗତସିଂହପୁର ଥାନାରେ ୨୦୧୦ ମସିହାରୁ ଆଜି ସୁଦ୍ଧା ୧୦ଟି ସଂଗିନ ଅପରାଧିକ ମାମଲା ରହିଛି। କେବଳ ୭ ମାମଲା ଜାନକୀ ବିରୋଧରେ ରହିଛି ଯେଉଁଥିରେ ସେ ବନ୍ଧୁକ କାରବାର କରିଥିବା ଅଭିଯୋଗ ହୋଇଛି। ହତ୍ୟା ଉଦ୍ୟମ ଓ ବୋମାମାଡ଼ କାରବାରରେ ବି ଜାନକୀର ସମ୍ପୃକ୍ତି ରହିଛି। ଜାନକୀର ଅପରାଧିକ କାରବାର ଯଦିଓ କଟକରେ ସେଭଳି ନାହିଁ, କିନ୍ତୁ ଜଗତସିଂହପୁରରେ ଜାନକୀ ପ୍ରାଦୁର୍ଭାବ ପୁଲିସ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ନାଉଗାଁର ଦେବୀନଦୀରେ ତିନୋଟି ବାଲିଘାଟ ଜାନକୀ ନିଜ କବ୍‌ଜାରେ ରଖିଥିବାବେଳେ ଏଥିରେ ତାକୁ ପୁଲିସ ଓ ସ୍ଥାନୀୟ ପ୍ରଶାସନ ପରୋକ୍ଷରେ ସହଯୋଗ କରି ଆସିଥିବା କୁହାଯାଉଛି।

The post କମିସନରେଟ୍ ପୁଲିସ କବଜାରେ ଦୁର୍ଦ୍ଦାନ୍ତ ଜାନକୀ first appeared on Sambad.

from ଜିଲ୍ଲା | Sambad https://ift.tt/3bP7KAG