କଟକ : କରୋନାର ଦ୍ବିତୀୟ ଲହର କଟକ ଜିଲ୍ଲାରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ପ୍ରଥମଥର ପାଇଁ କଟକ ଜିଲ୍ଲା ଶିଶୁ ଥଇଥାନ କେନ୍ଦ୍ର (ସିସିଆଇ)ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକକାଳୀନ ୧୦ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ପରେ କେନ୍ଦ୍ରରେ ଥିବା ମୋଟ ୭୨୪ ଶିଶୁଙ୍କ ପ୍ରତି ଏବେ ବିପଦ ବଢ଼ିଯାଇଛି। କରୋନାର ପ୍ରଥମ ଲହରରେ କେହି ଜଣେ ବି ଶିଶୁ ଥଇଥାନ କେନ୍ଦ୍ରରେ ସଂକ୍ରମିତ ହୋଇ ନ ଥିବାବେଳେ ଏବେ ଏକକାଳୀନ ୧୦ ଜଣ ଶିଶୁ ସଂକ୍ରମିତ ହେବା ଘଟଣା ପ୍ରଶାସନର ଚିନ୍ତା ବଢାଇ ଦେଇଛି। ଫଳସ୍ବରୂପ, କୌଣସି ଶିଶୁକୁ ଉଦ୍ଧାର କରି ଥଇଥାନ କେନ୍ଦ୍ରକୁ ଆଣିବା ପୂର୍ବରୁ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

ସୂଚନା ମୁତାବକ, କଟକ ଜିଲ୍ଲାରେ ଥିବା ୧୫ଟି ସିସିଆଇ ମଧ୍ୟରୁ ମଧୁପାଟଣା ଉତ୍କଳ ବାଳାଶ୍ରମରୁ ଜଣେ, ବିଡାନାସୀ ବସୁନ୍ଧରାରେ ୪ ଜଣ ଏବଂ କଲେଜ ଛକସ୍ଥିତ ଯଶୋଦା ସଦନର ୫ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବାଳାଶ୍ରମ ଓ ବସୁନ୍ଧରାରେ କଣ୍ଟାକ୍ଟ ଟ୍ରେସିଂ ହୋଇଥିବାବେଳେ ଯଶୋଦାରେ ୫ ଜଣ ଶିଶୁ କିଭଳି ସଂକ୍ରମିତ ହେଲେ କିଛି ସ୍ପଷ୍ଟ ହୋଇପାରୁନାହିଁ। ଏଭଳି ପରିସ୍ଥିତିରେ ନୂଆ ପିଲାଙ୍କୁ ସିସିଆଇକୁ ପୁଲିସ ଆଣିବା ପୂର୍ବରୁ ଆଣ୍ଟିଜେନ୍ ଟେଷ୍ଟ କରିବାକୁ କୁହାଯାଇଛି। ଅନ୍ୟପଟେ ସିଡିପିଓ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଶିଶୁଙ୍କୁ ଉଦ୍ଧାର କରି ଯଦି ଥଇଥାନ କେନ୍ଦ୍ରର ଜିମା ଦେଉଛନ୍ତି, ତେବେ ସେ କ୍ଷେତ୍ରରେ ସମ୍ପୃକ୍ତ ଶିଶୁଙ୍କ ଆଣ୍ଟିଜେନ୍ ଟେଷ୍ଟ ଥଇଥାନ କେନ୍ଦ୍ର କର୍ତ୍ତୃପକ୍ଷ କରିବାକୁ ସିଡବ୍ଲୁସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ନେଗେଟିଭ୍ ଆସିଲେ ବି ଶିଶୁଙ୍କୁ ୧୪ ଦିନ ଥଇଥାନ କେନ୍ଦ୍ରରେ ସଂଗରୋଧରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବସୁନ୍ଧରାରେ ୩ଟି ଏବଂ ସର୍ଭାଣ୍ଟ ଅଫ୍ ଇଣ୍ଡିଆ ସୋସାଇଟିରେ ୨ଟି ଅକ୍ସିଜେନ୍ ସିଲିଣ୍ଡର ଲଗାଯାଇଛି। କୌଣସି ଶିଶୁଙ୍କ ଅକ୍ସିଜେନ୍ ମାତ୍ରାରେ ହ୍ରାସ ଘଟିଲେ ତୁରନ୍ତ ଅକ୍ସିଜେନ୍ ଦିଆଯିବ। ଅନ୍ୟ ଥଇଥାନ କେନ୍ଦ୍ରରେ ମଧ୍ୟ ଅକ୍ସିଜେନ୍ ସିଲିଣ୍ଡର ଲଗାଇବାର ବ୍ୟବସ୍ଥା କରାଯାଉଛି।

୧୫ଟି ସିସିଆଇକୁ ଅକ୍ସି ମିଟର୍ ଆସିଥିବା ବେଳେ ଦୈନିକ ପ୍ରତ୍ୟେକ ଶିଶୁଙ୍କ ଅକ୍ସିଜେନ୍ ସ୍ତର ଯାଞ୍ଚ ଆରମ୍ଭ ହୋଇଛି। ସକାଳ ଜଳଖିଆଠାରୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ସୁଷମ ଖାଦ୍ୟ ଯେଭଳି ଶିଶୁଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଯୋଗାଇ ଦିଆଯିବ, ସେ ନେଇ ଡିସିପିଓ ପ୍ରଗତୀ ମହାନ୍ତି ସିଧାସଳଖ ତଦାରଖ କରୁଛନ୍ତି। ଥଇଥାନ କେନ୍ଦ୍ରର ମାତ୍ର ୩୦ ପ୍ରତିଶତ କର୍ମଚାରୀଙ୍କୁ ବର୍ତ୍ତମାନ ସୁଦ୍ଧା ଟିକାକରଣ କରାଯାଇଥିବା ବେଳେ ଆହୁରି ୧୧୦ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଏମାନଙ୍କୁ ଯଥାଶୀଘ୍ର ଟିକାକରଣ କରାଯିବାକୁ ସିଡିଏମ୍‌ଓଙ୍କୁ ଚିଠି ଲେଖାଯାଇଛି। ଏବେ ଥଇଥାନ କେନ୍ଦ୍ରର ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କୁ ଶିଶୁଙ୍କ ସହିତ ସିଧାସଳଖ ମିଶିବାକୁ ମନା କରାଯାଇଛି। କେବଳ କେୟାର ଟେକର୍‌ମାନେ ଶିଶୁଙ୍କ ସହିତ ରହିପାରିବେ। ସପ୍ତାହକୁ ଥରେ କେନ୍ଦ୍ରର କ୍ୟାମ୍ପସ୍ ସାନିଟାଇଜ୍ ସହିତ ଭିଟାମିନ୍ କ୍ୟାପସୁଲ୍ ଶିଶୁଙ୍କୁ ନିୟମିତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ଶିଶୁ ଥଇଥାନ କେନ୍ଦ୍ରରେ କରୋନା: ୧୦ ଶିଶୁ ସଂକ୍ରମିତ; ବିପଦରେ ୭୨୪ ଶିଶୁ first appeared on Sambad.

from ଜିଲ୍ଲା | Sambad https://ift.tt/3hKcE5L