ବାଲେଶ୍ବର : କବି, ଅନୁବାଦକ ତଥା ଫକୀରମୋହନ କଲେଜର ଅବସରପ୍ରାପ୍ତ ପ୍ରଫେସର ଚଣ୍ଡୀଚରଣ କର(୭୯)ଙ୍କ ଆଜି ପରଲୋକ ହୋଇଯାଇଛି। ସେ ଗତକାଲି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସେ ଜଣେ ଅନୁବାଦକ, ସୁବକ୍ତା, ପ୍ରାବନ୍ଧିକ, ଛାତ୍ରବତ୍ସଳ ଅଧ୍ୟାପକ ଭାବେ ପରିଚିତ ଥିଲେ। ପ୍ରଥମେ ମିତ୍ରପୁର ହାଇସ୍କୁଲରେ ପ୍ରଧାନଶିକ୍ଷକ ଏବଂ ପରବର୍ତ୍ତୀ ସମୟରେ ସରକାରୀ ଅଧ୍ୟାପକ ଭାବେ ଯୋଗଦାନ କରି ଜଣେ ନୀତିନିଷ୍ଠ କୃତୀ ଅଧ୍ୟାପକ ଭାବେ କାର୍ଯ୍ୟକରି ପ୍ରଶଂସିତ ହୋଇପାରିଥିଲେ। ପ୍ରଫେସର କରଙ୍କ ବଙ୍ଗଳା, ସଂସ୍କୃତ, ଓଡ଼ିଆ ତିନିଟି ଭାଷାରେ ବିଶେ‌ଷ ପାଣ୍ଡିତ୍ୟ ରହିଥିଲା। ବଙ୍ଗଳାର ରବୀନ୍ଦ୍ରନାଥଙ୍କଠାରୁ ଆରମ୍ଭ କରି ବୁଦ୍ଧଦେବ ବସୁ, ନଜରୁଲ, ସୁନୀଲ ଗଙ୍ଗୋପାଧ୍ୟାୟ ଆଦି ମହାନ ଲେଖକଙ୍କ ଲେଖାକୁ ସେ ଅନୁବାଦ କରିଥିଲେ। ସୁବର୍ଣ୍ଣଶ୍ରୀ ପକ୍ଷରୁ ପ୍ରକାଶ ପାଇଥିବା ତାଙ୍କର ନିର୍ବାଚିତ ବଙ୍ଗଳା ଗଳ୍ପ, କବିତା ସଂକଳନ ‘ଭିନ୍ନ କିଛି କଥୋପକଥନ, ଆତ୍ମଜୀବନୀ ‘ଗୋଟିଏ ଜୀବନ ଅନେକ ମୁହଁ’ ବେଶ୍‌ ପାଠକୀୟ ଆଦୃତି ହୋଇଥିଲା। ସେ ଫକୀରମୋହନ ସାହିତ୍ୟ ପରିଷଦର ଉପସଭାପତି, ସୁବର୍ଣ୍ଣଶ୍ରୀ ପ୍ରତିଷ୍ଠାନର ଉପଦେଷ୍ଟା, ରାଧାନାଥ ସାହିତ୍ୟ ପରିଷଦର ଉପଦେଷ୍ଟା ରହିବା ସହିତ ଅନେକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ।

The post ବିଶିଷ୍ଟ ଲେଖକ ଚଣ୍ଡୀଚରଣ କରଙ୍କ ପରଲୋକ first appeared on Sambad.

from ଜିଲ୍ଲା | Sambad https://ift.tt/2SprGmG