
କଟକ : କରୋନାର ପ୍ରଥମ ଲହରରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା ରାଜ୍ୟ ପୁଲିସ ବିଭାଗ। ୯ ହଜାରରୁ ଅଧିକ ପୁଲିସ କର୍ମଚାରୀ-ଅଧିକାରୀ ସଂକ୍ରମିତ ହୋଇଥିଲେ। ୪୮ ଜଣ ପ୍ରାଣ ହରାଇଥିଲେ। କିନ୍ତୁ କରୋନାର ଦୁଇଟି ଡୋଜ୍ ଟିକାର ସୁପ୍ରଭାବରେ ଦ୍ବିତୀୟ ଲହର ବିଶେଷ କ୍ଷତି କରି ପାରିନି ପୁଲିସ ବିଭାଗର। ଯଦିଓ ଦ୍ବିତୀୟ ଲହରରେ ପୁଲିସ ବିଭାଗରେ ଏଯାଏ ୪ଶହ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ଫେବ୍ରୁଆରି-ମାର୍ଚ୍ଚ ମାସରେ ରାଜ୍ୟରେ ପାଖାପାଖି ୬୨,୭୦୬ ଜଣ ପୁଲିସ କର୍ମଚାରୀ ଦୁଇଟି ଡୋଜ୍ କରୋନା ଟିକା ନେଇସାରିଛନ୍ତି। ତେଣୁ କରୋନା ଦ୍ବିତୀୟ ଲହରର ୫ ମାସ ଭିତରେ ସଂକ୍ରମଣ ସଂଖ୍ୟା ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି। ଦ୍ବିତୀୟ ଲହରରେ ରାଜ୍ୟରେ ୪୦୦ରୁ ଅଧିକ ପୁଲିସ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କେବଳ କଟକ ସିଗନାଲ୍ ଅଫିସରୁ ୨୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୃତକ ସଂଖ୍ୟା ୪ ଡେଇଁଛି। ନିକଟରେ ମୟୂରଭଞ୍ଜ, ରାଉରକେଲା, ପୁରୀ ଓ ସମ୍ବଲପୁରରେ ଜଣେ ଲେଖାଏ କନଷ୍ଟେବଳ/ ହାବିଲଦାରଙ୍କ ମୃତ୍ୟୁ ହୋଇଛି। ଏମାନେ ଟିକା ନେଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ଟିକା ନେଇଥିଲେ ବି ସମସ୍ତ ପୁଲିସ କର୍ମଚାରୀଙ୍କୁ ମାସ୍କ୍ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, କରୋନାର ପ୍ରଥମ ଲହରରେ ରାଜ୍ୟରେ ମୋଟ ୮,୮୬୬ ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଭୁବନେଶ୍ବର କମିସନରେଟରେ ସର୍ବାଧିକ ୬୩୯ ଜଣ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଥିଲେ। ଦ୍ବିତୀୟରେ ପୁରୀ ଜିଲ୍ଲାରେ ୩୩୬ ଜଣ ସଂକ୍ରମିତ ହୋଇଥିଲେ। ତୃତୀୟ ସ୍ଥାନରେ ଥିଲା କଳାହାଣ୍ଡି ଜିଲ୍ଲା। ଏହି ଜିଲ୍ଲାରେ ୨୮୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚତୁର୍ଥ ସ୍ଥାନରେ ଗଞ୍ଜାମ ଜିଲ୍ଲାର ୨୭୦ ଜଣ ଚିହ୍ନଟ ହୋଇଥିଲେ। ଅନ୍ୟପଟେ କ୍ରାଇମବ୍ରାଞ୍ଚରୁ ୪୮ ଜଣ, ସ୍ପେସାଲ ବ୍ରାଞ୍ଚରୁ ୫୦ ଜଣ ଚିହ୍ନଟ ହୋଇଥିଲେ। ମୃତକଙ୍କ ତାଲିକାରେ ୪୮ ଜଣ ପୁଲିସ କର୍ମଚାରୀ ଥିଲେ। ଗଞ୍ଜାମ ଓ କଟକରୁ ୬ ଜଣ ଲେଖାଏ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ଯାହାକି ରାଜ୍ୟର ଅନ୍ୟ ପୁଲିସ ଜିଲ୍ଲା ତୁଳନାରେ ଅଧିକ ଥିଲା। ରାଜ୍ୟରେ ମୃତ୍ୟୁ ହୋଇଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରେ ୩ ଜଣ ଇନସ୍ପେକ୍ଟର ବି ଥିଲେ। କରୋନା ଦ୍ବିତୀୟ ଲହର ସମୟରେ ରାଜ୍ୟରେ ପୁଣି ଲକଡାଉନ୍ ଆରମ୍ଭ ହୋଇଥିବାରୁ ପୁଲିସ କର୍ମଚାରୀମାନଙ୍କୁ ଛକବଜାରରେ ମୁତୟନ କରାଯାଇଛି। ଟିକା ନେଇଥିଲେ ସୁଦ୍ଧା ସେମାନଙ୍କୁ ମାସ୍କ୍ ବ୍ୟବହାର ସହିତ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍ ଥାନା ଭିତ୍ତିରେ ପିପିଇ କିଟ୍ ଯୋଗାଇ ଦେବାକୁ ଏସ୍ପିଙ୍କୁ କୁହାଯାଇଛି। ଯେତେବେଳେ କୌଣସି ଅପରାଧୀଙ୍କୁ ଗିରଫ କରାଯାଉଛି, ଘଟଣାସ୍ଥଳରୁ କୋର୍ଟରେ ହାଜର ଓ ଜେଲରେ ଛାଡ଼ିବା ପର୍ଯ୍ୟନ୍ତ ପିପିଇ କିଟ୍ ପିନ୍ଧିବାକୁ ତାଗିଦ୍ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଥାନାର ନମ୍ବର ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଭଳି କୌଣସି ବ୍ୟକ୍ତି ଅଭିଯୋଗ ନେଇ ଥାନାକୁ ଆସିବେ ନାହିଁ, ମୋବାଇଲ୍ ନମ୍ବରରେ ପୁଲିସ ସହିତ ଯୋଗାଯୋଗ କରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ଡିଜି ପରାମର୍ଶ ଦେଇଛି। କୌଣସି ଗୁରୁତ୍ବପୂର୍ଣ୍ଣ ଘଟଣାରେ କେହି ଅଭିଯୋଗକାରୀ ଥାନାକୁ ଆସୁଥିଲେ ତୁରନ୍ତ ତାଙ୍କୁ ସାନିଟାଇଜ୍ କରିବା ସହିତ ସାମାଜିକ ଦୂରତା ରକ୍ଷା କ୍ଷେତ୍ରରେ ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ଏସ୍ପି ଅଫିସ ଏବଂ ଥାନା ବାହାରେ ଏତଲା ଦେବା ପାଇଁ ଡ୍ରପ୍ ବକ୍ସର ବ୍ୟବହାର ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି।
The post ରାଜ୍ୟ ପୁଲିସକୁ ଟିକା ସୁରକ୍ଷା: ଦ୍ବିତୀୟ ଲହରରେ ୪୦୦ ସଂକ୍ରମିତ; ୪ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3wqkwxd
0 Comments