
ଝାରସୁଗୁଡ଼ା: ଝାରସୁଗୁଡ଼ା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ନେଇ ନା ସ୍ଥାନୀୟ ଜନ ପ୍ରତିନିଧି ନା ବିଭାଗୀୟ ଅଧକାରୀ କେହି କୌଣସି ପ୍ରସ୍ତାବ ଦେଇନଥିବା ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଆଇ) ସ୍ପଷ୍ଟ କରିଥିବା ଜଣାଯାଇଛି। ତେବେ ଏହି ଜାତୀୟ ରାଜପଥ ଉପରେ ଥିବା ଇବ୍ନଦୀ ଉପରେ ଚାରି ଲାଇନ ବିଶିଷ୍ଟ ଏକ ନୂତନ ପୋଲ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଏବେ ଅନୁମୋଦନ ଅପେକ୍ଷାରେ ଥିବା ସୂଚନା ଦେଇଛି ଜାତୀୟ ରାଜପଥ ପ୍ରାଧିକରଣ।
ଝାରସୁଗୁଡ଼ା ଠାରୁ ଛତିଶଗଡ଼ ଯାଇଥିବା ୪୯ ନମ୍ବର ଯାତୀୟ ରାଜପଥକୁ ନେଇ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ରାଜନୈତିକ ବୟାନବାଜିକୁ ନେଇ ସ୍ଥାନୀୟ ସୂଚନା ଅଧିକାର କର୍ମୀ ରବି ସୋନି ସଂଦେହ ପ୍ରକଟ କରିଥିଲେ ଓ ସୂଚନା ଅଧିକାର ଆଇନ ବଳରେ ଏନ୍ଏଚ୍ଆଇ, ନୂଆଦିଲ୍ଲୀକୁ ଏହାର ତଥ୍ୟ ମାଗିଥିଲେ। ଏହାର ଉତ୍ତରରେ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ଝାରସୁଗୁଡ଼ା ଠାରୁ କନକତୋରା ପର୍ଯ୍ୟନ୍ତ ଜାତୀୟ ରାଜପଥର କୌଣସି ସଂପ୍ରସାରଣ ପାଇଁ ପ୍ରସ୍ତାବ ଆସିନଥିବା ଜଣାଇଛି। ଏହି ରାସ୍ତାକୁ ୪ ଲାଇନ୍/୬ ଲାଇନ କରାଯିବାକୁ କିଛି ଜନପ୍ରତିନିଧି ଜାତୀୟ ରାଜପଥ ପ୍ରାଧିକରଣରେ ପ୍ରସ୍ତାବ ଦେଇଥିବା ଏପରିକି ଦିଲ୍ଲୀରେ ବିଭାଗୀୟ ଅଧିକାରୀ ମାନଙ୍କୁ ସାକ୍ଷାତ କରି ଦାବି କରିଥିବା ନେଇ ସାଧାରଣ ସଭାରେ ପ୍ରକାଶ କରିଥିବା ଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାର ସତ୍ୟସତ୍ୟ ଜାଣିବା ପାଇଁ ଶ୍ରୀ ସୋନି ସୂଚନା ଅଧିକାର ବଳରେ ତଥ୍ୟ ମାଗିଥିଲେ ଯେ, ଏହି ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ରାଜ୍ୟ ସରକାର, ସାଂସଦ କିମ୍ବା ବିଧାୟକଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଯାଇଛି କି? ଯଦି ଯାଇଛି ତାର ଡକ୍ୟୁମେଣ୍ଟ ଦେବାକୁ ଅନୁରୋଧ କରିଥିଲେ। ଏପରି କୌଣସି ପ୍ରସ୍ତବା କେହି ଦେଇନଥିବା ଏନ୍ଏଚ୍ଆଇ ସ୍ପଷ୍ଟ କରି କହିଛି।
ତେବେ ଜାତୀୟ ରାଜପଥ ଇବ୍ ନଦୀ ଉପରେ ୬୨.୯୧୦ କିଲୋମିଟରର ଏକ ୪ ଲାଇନ ବିଶିଷ୍ଟ ପୋଲ ନିର୍ମାଣ ପାଇଁ ଜାତୀୟ ରାଜପଥ ବିଭାଗର ପ୍ରସ୍ତାବ ଅନୁମୋଦନ ଅପେକ୍ଷାରେ ରହିଛି ବୋଲି ବିଭାଗ ଜଣାଇଛି। ଇବ୍ନଦୀରେ ଥିବା ପୋଲ ଅତ୍ୟାଧିକ ପୁରୁଣା ହୋଇଯାଇଥିବା ବେଳେ ଏହା ଏବେ ବିପଦସଂକୁଳ ଅବସ୍ଥାରେ ଅଛି। ତେତେବେଳେ ଓରିଏଣ୍ଟ ପେପର ମିଲକୁ ବାଉଁଶ ପରିବହନ ପାଇଁ ସେହି ଧାରଣକ୍ଷମତାକୁ ନେଇ ଏହି ପୋଲ ନିର୍ମାଣ ହୋଇଥିଲା। ମାତ୍ର ଏବେ ଜିଲ୍ଲାରେ ଶିଳ୍ପକାରଖାନା ବୃଦ୍ଧି ଘଟିଥିବା ବେଳେ ପଡ଼ୋଶୀ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ତଥା ଅନ୍ୟାନ୍ୟ ରାଜ୍ୟକୁ ଏହି ରାସ୍ତା ଏହି ପୋଲ ଏକମାତ୍ର ସଂଯୋଗପଥ ହୋଇଛି। ଦିନରାତି ଏହି ପୋଲ ଉପର ଦେଇ ହଜାର ହଜାର ଭାରିଯାନ ଯାତାୟତ କରୁଥିବା ବେଳେ ପୋଲଟିର ସ୍ଥାୟୀତ୍ବ ନେଇ ଆଶଙ୍କା ଦେଖା ଦେଲାଣି। କିଛି ରାଜନେତା ଏହି ରାସ୍ତା ଓ ପୋଲକୁ ନେଇ ରାଜନୈତିକ ମାଇଲେଜ ନେବାକୁ ଫମ୍ପା ଭାଷଣ ଦେଉଥିବାରୁ ଏହାର ସତ୍ୟତା ଲୋକ ଜାଣନ୍ତୁ ବୋଲି ଶ୍ରୀ ସୋନି ପ୍ରକାଶ କରିଛନ୍ତି।
The post ୪୯ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ନେଇ କୌଣସି ପ୍ରସ୍ତାବ ଆସିନଥିବା ସ୍ପଷ୍ଟକଲା ବିଭାଗ first appeared on Sambad.from ଜିଲ୍ଲା | Sambad https://ift.tt/3h7TVRr
0 Comments