
ବାରିପଦା: ମଣିଷ ପରେ ଏବେ ପ୍ରାଣୀଙ୍କୁ କରୋନା ଭୟ। ମୟୂରଭଞ୍ଜରେ ଏଭଳି ଘଟଣା ଦେଖିବାକୁ ମିଳିଛି। କିଛିଦିନ ତଳେ ଉଦ୍ଧାର ବଜ୍ରକାପ୍ତାକୁ କରୋନା ହୋଇଥିବା ଆଶଙ୍କା କରି ଆଜି ତାର ସ୍ବାବ୍ ସଂଗ୍ରହ କରାଯାଇଛି। ସୂଚନାଯୋଗ୍ୟ, ଗତ ୬ ତାରିଖ ରାତିରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଗହୀରାପାଳ ଗାଁରେ ଜିଲ୍ଲା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ସିଙ୍ଗୁ ବାସ୍କେ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ପ୍ରାୟ ୮ କେଜି ଓଜନର ଏକ ବଜ୍ରକପ୍ତା ଉଦ୍ଧାର କରିଥିଲେ। ଅଭିଯୁକ୍ତ ସିଙ୍ଗୁ ବାସ୍କେକୁ ଗିରଫ କରାଯିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। କେବଳ ସିଙ୍ଗୁ ନୁହେଁ, ତା’ର ପରିବାରରେ ମଧ୍ୟ କିଛି ଲୋକ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଯେହେତୁ ବଜ୍ରକପ୍ତାଟି ଅଭିଯୁକ୍ତ ଘରେ ୨ ଦିନ ରହିଥିଲା, ତେଣୁ ତାର ସ୍ଵାବ୍ ସଂଗ୍ରହ କରି ଆଜି କୋଭିଡ୍ ପରୀକ୍ଷା ନିମନ୍ତେ ପିଆରଏମ୍ ହସ୍ପିଟାଲକୁ ପଠା ଯାଇଥିବା ବାରିପଦା ଡିଏଫ୍ଓ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି।କରୋନା ସନ୍ଦେହରେ କୌଣସି ପ୍ରାଣୀଙ୍କର ସ୍ବାବ୍ ସଂଗ୍ରହ ହେବା ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି।
ବାରିପଦା ବନଖଣ୍ଡ କାର୍ଯ୍ୟାଳୟରେ ଆଇସୋଲେସନରେ ଥିବା ଏହି ବଜ୍ରକାପ୍ତା ନାକରୁ ପ୍ରାଣୀ ଚିକିତ୍ସକ ଡ. ପୀୟୂଷ ସୋରେନ ସ୍ବାବ୍ ସଂଗ୍ରହ କରିଥିଲେ। ତେବେ ରିପୋର୍ଟ ପଜିଟିଭ୍ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଏନେଇ ବିଶେଷଜ୍ଞମାନଙ୍କ ସହିତ ଯୋଗାଯୋଗରେ ଅଛୁ ବୋଲି ଡିଏଫ୍ଓ ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। ଏହାପରେ ବନ ବିଭାଗର କିଛି କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯିବା ସହ ସେମାନଙ୍କୁ ଆଇସୋଲେସନ୍ରେ ରଖାଯାଇଥିବା ଜଣାପଡ଼ିଛି।
The post ବଜ୍ରକାପ୍ତାକୁ କରୋନା ସନ୍ଦେହ, ପରୀକ୍ଷା ପାଇଁ ନିଆଗଲା ସ୍ବାବ୍ first appeared on Sambad.from ଜିଲ୍ଲା | Sambad https://ift.tt/2RJlXrF
0 Comments