
ମାଲକାନଗିରି : ମାଲକାନଗିରିର ଜିଲ୍ଲା ସୀମାନ୍ତ ଛତିଶଗଡର ଦକ୍ଷିଣ ସବ୍ ଜୋନାଲ ବ୍ୟୁରୋ ତରଫରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ନକ୍ସଲଙ୍କୁ କରୋନା ସଂକ୍ରମିତ ଖବର ପୁଲିସ ତରଫରୁ ମିଥ୍ୟା ପ୍ରଚାର କରାଯାଉଥିବା ଏବଂ ସିଲଗେରରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା କରିବା ପରେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ସେମାନଙ୍କ ଉପରେ ଗୁଳି ଚଳାଇବା ଘଟଣାକୁ ନିନ୍ଦା କରିଛି ମାଓ ସଂଗଠନ।ଏଥିପାଇଁ ଆସାନ୍ତ ୫ ଜୁନକୁ ଦଣ୍ଡକାରଣ୍ୟ ଅଂଚଳକୁ ସଂପୂର୍ଣ୍ଣ ବନ୍ଦ ଡାକରା ଦେଇଛି ସଂଗଠନ।
ପୁଲିସ ଦ୍ବାରା କରାଯାଉଥିବା ଅପ ପ୍ରଚାରକୁ ମାଓ ସଂଗଠନ ମିଥ୍ୟା ବୋଲି କହିଛି।ନକ୍ସଲ ଏବଂ ସୀମାନ୍ତ ଗ୍ରାମବାସୀଙ୍କୁ କରୋନା ସଂକ୍ରମଣ କରିନାହିଁ।କିନ୍ତୁ ପୁଲିସକୁ କୋରନା ହୋଇଥିବା ସେମାନେ ପ୍ରକାଶ କରିଛନ୍ତି।ପିଏଲଜିଏ ଡାକ୍ତରମାନେ ଜନତାଙ୍କୁ ଏବଂ ମାଓବାଦୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ପ୍ରଦାନ କରିଆସୁଛନ୍ତି।କିନ୍ତୁ ମ୍ୟାଲେରିଆରେ ଆମର କମ୍ରେଡ ରୁପୀ ଏବଂ ବନୋଜାଙ୍କର ମୃତ୍ୟୁ ହେବା ପରେ ଏହାକୁ ପୁଲିସ କରୋନାରେ ମୃତ୍ୟୁ କହି ପ୍ରଚାର କରୁଛି।ଆମର ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ଲକ୍ ଡାଉନ ଯୋଗୁଁ ସେମାନଙ୍କୁ ଅନ୍ୟତ୍ର ନେଇ ଚିକିତ୍ସାର ସୁବିଧା କରାଯାଇପାରିନଥିବାରେ ସେମାନଙ୍କର ମୃତ୍ୟୁ ହୋଇଥିବା ସଂଗଠନ ସ୍ପଷ୍ଟ କରିଛି।ଲକ୍ ଡାଉନ ଚାଲିଥିଲେ ମଧ୍ୟ ପୁଲିସ ଦୁର୍ଗମ ଅଂଚଳରେ ପଶି ଲୋକଙ୍କୁ ମାରପିଟ କରିବା,ସେମାନଙ୍କ ଉପରେ ଅତ୍ୟାଚର କରିବା ଜାରି ରଖିଛନ୍ତି ।

ପୁଲିସକୁ କରୋନା ହୋଇଥିବାରୁ ସେମାନେ ଗାଁରେ ପଶିଲେ ଗ୍ରାମବାସୀଙ୍କୁ ମଧ୍ୟ କରୋନା ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ସଂଗଠନ କହିଛି।ସିଲଗେର ଗ୍ରାମରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା କରିବା ପରେ ହଜାର ହଜାର ଗ୍ରାମବାସୀ ଏହାକୁ ବିରୋଧ କରିବା ପରେ ଯବାନଙ୍କ ଦ୍ବାରା ଅତର୍କିତ ଗୁଳି ଚଳାଯାଇଥିଲା।ଯାହାଫଳରେ ୩ ଜଣ ଗ୍ରାମବାସୀଙ୍କର ଅକାଳ ବିୟୋଗ ହୋଇଥିଲା।ଏଥିସହ ଶତାଧିକ ଲୋକ ଆହତ ମଧ୍ୟ ହୋଇଥିଲେ।କ୍ୟାମ୍ପ ନହଟିବା ଯାଏଁ ଜନତା ଏଠାରେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।ବସ୍ତର ଆଇଜି ପି.ସୁନ୍ଦରରାଜ ମନଗଢନା ବକ୍ତବ୍ୟ ପ୍ରଦାନ କରୁଛନ୍ତି।ନକ୍ସଲ ଦ୍ବାରା ଚିଠି ମିଳିଥିବାରୁ ନକ୍ସଲଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଥିବା ମିଥ୍ୟା ପ୍ରଚାର କରୁଛନ୍ତି।ପୁଲିସ ହାତରେ ଯେଉଁ ଚିଠି ରହିଛି ତାହା ନକ୍ସଲଙ୍କର କଦାପି ନୁହେଁ ,ବରଂ ପୁଲିସ ନିଜେ ଚିଠି ଲେଖି ଏଭଳି ପ୍ରଚାର କରୁଛି।କରୋନାରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଥିବା ବେଳେ ସେମାନଙ୍କୁ ସହଯୋଗ କରିବା ବଦଳରେ ସରକାର ମାଓବାଦୀଙ୍କୁ କିପରି ବିତାଡିତ କରିବା ଏବଂ ସେମାନଙ୍କୁ ଧ୍ବଂସ କରିବା ସନେଇ ଚିନ୍ତା ଖାଲି କରୁଛି।ଗରିବ ଲୋକମାନେ ଲକ ଡାଉନ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି।ସରକାର ସେମାନଙ୍କୁ ଖାଦ୍ୟ ସାମଗ୍ରୀ ତଥା ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇବାରେ ବିଫଳ ହୋଇଛି।ଏବେ ପୁଣି ବେରୋଜଗାର ବଢିବ ବୋଲି ସଂଗଠନ କହିଛି।ତେଣୁ ଆସନ୍ତା ଜୁନ ୫ ତାରିଖରେ ଦଣ୍ଡକାରଣ୍ୟ ବନ୍ଦ ଡାକରା ଦେଇଛନ୍ତି।
The post ନକ୍ସଲଙ୍କୁ କରୋନା ସଂକ୍ରମିତ ଘଟଣା ମିଥ୍ୟା : ମାଓବାଦୀ first appeared on Sambad.from ଜିଲ୍ଲା | Sambad https://ift.tt/3i3DfuS
0 Comments