ମାଲକାନଗିରି: ଜନବସତିଠାରୁ ପୃଥକ୍‌ରେ ରହୁଥିବା ଏବଂ ଜଙ୍ଗଲରେ ଘୂରି ବୁଲିଥିବା ମାଓବାଦୀମାନେ ବି କରୋନାରେ ସଂକ୍ରମିତ ହୋଇଛନ୍ତି। ଶତାଧିକ ମାଓବାଦୀ ସଂକ୍ରମିତ ହୋଇଥିଲାବେଳେ ୧୦ ଜଣ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ସୀମାନ୍ତ ଛତିଶଗଡ଼ରେ ଏହିଭଳି ଘଟଣା ଘଟିଥିବା କୁହାଯାଉଥିଲେ ମଧ୍ୟ ମାଲକାନଗିରିରେ ବହୁ ମାଓବାଦୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ‌ଅସୁସ୍ଥ ମାଓବାଦୀ ସ୍ବଇଚ୍ଛାରେ ଆସିଲେ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରାଯିବ ଏବଂ କୌଣସି ମାମଲା ରୁଜୁ କରାଯିବ ନାହିଁ ବୋଲି ମାଲକାନଗିରି ଏସ୍‌ପି କହିଛନ୍ତି।

ସୀମାନ୍ତ ଛତିଶଗଡ଼ରେ ବହୁ ନକ୍ସଲ କରୋନାରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ନେଇ ଗତ ଦୁଇଦିନ ତଳେ ଦନ୍ତେଵାଡା ଏସ୍‌ପି ଅଭିଷେକ ପଲ୍ଲବ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ବହୁ କ୍ୟାଡର ସମେତ ୧୦୦ରୁ ଊର୍ଦ୍ଧ୍ବ ନକ୍ସଲ କରୋନାରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ଆଜି ଛତିଶଗଡରେ ଏକ ମାଓ କ୍ୟାମ୍ପ ଉପରେ ଚଢଉ ବେଳେ ସେଠାରେ ମିଳିଥିବା କିଛି ନଥିପତ୍ରରୁ ନକ୍ସଲଙ୍କୁ କରୋନା ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି। ୧୦ ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ମଧ୍ୟ ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ସୀମାନ୍ତ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡରେ ଚଳପ୍ରଚଳ କରୁଥିବା ନକ୍ସଲମାନଙ୍କୁ ଆନ୍ଧ୍ର ଷ୍ଟ୍ରେନ୍‌ ସଂକ୍ରମିତ କରିଥିବା ଜଣାପଡିଛି।ଏଥିରେ ପିଏଲ୍‌ଜିଏ, ସିଆର୍‌ସିର ସଦସ୍ୟ ଅଛନ୍ତି।

କେବଳ ପଡ଼ୋଶୀ ରାଜ୍ୟରେ ନୁହେଁ, ମାଲକାନଗିରି ଜିଲ୍ଲାରେ ଥିବା ନକ୍ସଲମାନେ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରି କହିଛନ୍ତି, ସ୍ବଇଚ୍ଛାରେ ଆସିଲେ ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ। ସେମାନଙ୍କ ନାମରେ କୌଣସି ମାମଲା ରୁଜୁ କରାଯିବ ନାହିଁ କିମ୍ବା ଜେଲ୍‌ରେ ଭର୍ତ୍ତି କରାଯିବନାହିଁ ବୋଲି ଶ୍ରୀ ଖିଲାରି କହିଛନ୍ତି।

ଅନ୍ୟପକ୍ଷରେ, କରୋନାର ପ୍ରଥମ ଲହର ଭଳି ମାଲକାନଗିରିର ସୀମାନ୍ତ ଗ୍ରାମଗୁଡିକର ଗ୍ରାମବାସୀ ନକ୍ସଲଙ୍କୁ ଗ୍ରାମ ଭିତରକୁ ପ୍ରବେଶ କରିବାକୁ ଦେଉନାହାନ୍ତି। ଏହିଭଳି ଏକ ପରିସ୍ଥିତିରେ କରୋନାରେ ଆକ୍ରାନ୍ତ ହୋଇ ଜଙ୍ଗଲରେ ଛଟପଟ ହୋଇ ମୃତ୍ୟୁବରଣ କରିବେ ନା ମୁଖ୍ୟସ୍ରୋତରେ ସାମିଲ୍‌ ହୋଇ ଚିକିତ୍ସା କରାଇବେ, ତାହାକୁ ନେଇ ନକ୍ସଲଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

The post କରୋନାରେ ୧୦ ମାଓବାଦୀଙ୍କ ମୃତ୍ୟୁ, ୧୦୦ରୁ ଊର୍ଦ୍ଧ୍ବ ନକ୍ସଲ ଆକ୍ରାନ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3uJP38X