ବୁଗୁଡ଼ା : କରୋନା ମହାମାରୀର ପ୍ରାଦୁର୍ଭାବରୁ ଗଞ୍ଜାମ ଜିଲ୍ଲାରେ ସାମାଜିକ ଶୃଙ୍ଖଳ ଭୟଙ୍କର ଭାବେ ବିଗିଡ଼ିବାରେ ଲାଗିଛି। ପ୍ରତିଦିନି ବିଭିନ୍ନ ସ୍ଥାନରୁ ଶବକୁ ଅସମ୍ମାନ କରାଯିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ଆଜି ବୁଗୁଡ଼ା ବ୍ଲକ୍ ମହୁଲପଲ୍ଲୀ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଶବ ଦୀର୍ଘ ୭ ଘଣ୍ଟା କାଳ ପଡ଼ି ରହିବା ଓ ଶେଷରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମାନବିକତାର ନିଦର୍ଶନ ଦେଖାଇ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଶବକୁ କାନ୍ଧ ଦେଇ ସଂସ୍କାର କରାଇଥିବା ଜଣାପଡ଼ିଛି।

ସୂଚନାନୁସା‌ରେ, ଅରଖପୁର ପଞ୍ଚାୟତ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମର ତେଜରାତି ଦୋକନୀ ବାବୁରାମ ବିଷୋୟୀ (୪୩) ୭ ଦିନ ହେଲା ଜ୍ବରରେ ଆକ୍ରାନ୍ତ ଥିଲେ। ଗତକାଲି ମଧ୍ୟରାତ୍ରିରେ ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ବୁଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ବ୍ରହ୍ମପୁର ନେବାଲାଗି ପରାମର୍ଶ ଦେଇଥିଲେ। ହେଲେ କିଛି ସମୟ ପରେ ବାବୁରାମଙ୍କ ମୃତ୍ୟୁ ଘଟିବାରୁ ପରିବାରବର୍ଗ ଶବକୁ ଘରକୁ ନେଇ ଯାଇଥିଲେ। ହେଲେ ଦେଖୁ ଦେଖୁ ରାତି ପାହିବା ସହ ୭ ଘଣ୍ଟା ବିତିଯାଇଥିଲା। କିନ୍ତୁ ଶବକୁ କାନ୍ଧ ଦେବା ଲାଗି ବନ୍ଧୁ ପରିଜନ କି, ଗ୍ରାମବାସୀ କେହିବି ଆସି ନଥିଲେ। କାନ୍ଦବୋବାଳିରେ ଘର ଫାଟି ପଡ଼ିବା ସହ ହୃଦୟବିଦାରକ ଦୃଶ୍ୟ ସୃଷ୍ଟି ହୋଇଥିଲା।

ଅରଖପୁର ଗ୍ରାମରେ ରହୁଥିବା ବୁଗୁଡ଼ା ପଞ୍ଚାୟତ ସମିତି ଉପାଧ୍ୟାକ୍ଷ ଟୁକୁନା ସ୍ୱାଇଁ ଏହା ଜାଣିବା ପରେ ସକାଳ ପ୍ରାୟ ୮ଟାରେ ମୃତକ ବାବୁରାମଙ୍କ ଘର ମହୁଲପଲ୍ଲୀରେ ପହଞ୍ଚିଥିଲେ। ବିଡିଓଙ୍କୁ ସୂଚନା ଦେଇ ପିପିଇ କିଟ୍ ମଗାଇଥିଲେ। ନିଜେ ଶବକୁ କାନ୍ଧ ଦେବା ସହ ନିଜ ଗ୍ରାମର ସ୍ବେଚ୍ଛାସେବୀ ତ୍ରିଲୋଚନ ସ୍ୱାଇଁ, ସନ୍ନ୍ୟାସୀ ନାୟକ, ଗୌରାଙ୍ଗ ସ୍ୱାଇଁ, ଦୀପକ ଭୂୟାଁ ଓ କେଶବ ସ୍ୱାଇଁଙ୍କ ସହାୟତାରେ ସସମ୍ମାନର ସହ ସଂସ୍କାର କରାଇଥିଲେ।

The post ବନ୍ଧୁ ପରିଜନ କେହି ଆସିଲେନି, ୭ ଘଣ୍ଟା ପଡ଼ିରହିଲା ଶବ first appeared on Sambad.

from ଜିଲ୍ଲା | Sambad https://ift.tt/2Rg6VtO