ଅନୁଗୁଳ: ଗତ ୬ ଦଶନ୍ଧି ତଳେ ଧଳା ପାରା ଓ କୁକୁର ଥିଲା ପୁଲିସର ବଡ଼ ଆୟୁଧ। ଏମାନଙ୍କ ସହାୟତା ନେଇ ପୁଲିସ ସହଜରେ ଯୋଗସୂତ୍ର ରକ୍ଷା କରୁଥିଲା । ଦୂରଦୂରାନ୍ତ ଭିତରେ ପାରାଟିଏ ଯୋଗସୂତ୍ରର ମାଧ୍ୟମ ସାଜିଥିବା ବେଳେ କୁକୁର ଥିଲା ଅତ୍ୟନ୍ତ ବିଶ୍ବସ୍ତ। ସେଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଉଥିଲା। ପାରା ଓ କୁକୁରମାନଙ୍କ ସୁପରିଚାଳନା ପାଇଁ ପୁଲିସ ବିଭାଗରେ ଖୋଲିଥିଲା ସ୍ବତନ୍ତ୍ର ଶାଖା। ହେଲେ ବର୍ତ୍ତମାନ ହାଇଟେକ ଯୁଗରେ ପୁଲିସ ପାରାର ଆବଶ୍ୟକତାରେ ପରିବର୍ତ୍ତନ ଆସିଛି।

ଉପଯୋଗିତାକୁ ଦୃଷ୍ଟିରେ ରଖି ପୁଲିସ ବାହୀନ ବ୍ୟତୀତ ଦେଶ ସୀମାରେ ବି କୁକୁରମାନଙ୍କୁ ମୁତୟନ କରାଯାଉଥିବାବେଳେ ଅଲୋଡ଼ା ସାଜିଛି ପୁଲିସ ଭାଡ଼ିର ପାରା। ପୁଲିସ ବାହୀନର ପାରା ଆଉ ଉଡ଼ୁନି। ଆଧୁନିକ ଯୁଗରେ ଟେଲିଗ୍ରାମ ଭଳି ପୁଲିସ ବିଭାଗର ପାରା ଏବେ ଇତିହାସ ହୋଇଯାଇଛି। ଅବଶ୍ୟକତା ନଥିଲେ ବି ଅନୁଗୁଳ ପୁଲିସ ଟ୍ରେନିଂ କଲେଜରେ ପୋଷା ଚାଲିଛି ଧଳା ପାରା। ପ୍ରାୟ ୪୦ଟି ତାଲିମପ୍ରାପ୍ତ ବେଲଜିୟମ ପାରାକୁ ନେଇ ପିଟିସରେ ରହିଛି ଏକ ପାରା ଭାଡ଼ି।

Bird PNG

ସେମାନଙ୍କ ରକ୍ଷଣବେକ୍ଷଣ ପାଇଁ କନେଷ୍ଟବଳ ନିଯୁକ୍ତ ହୋଇଛନ୍ତି। ପାରାଙ୍କୁ ଦିନକୁ ଦୁଇବେଳା ଖାଇବାକୁ ଦିଆଯାଉଥିବା ବେଳେ ବାହାରେ ବୁଲାବୁଲି କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି। ସାଧାରଣ ପାରା ଠାରୁ ସେମାନଙ୍କ ଖାଦ୍ୟ ଓ ପାନ୍ୟ ସମ୍ପୂନ୍ନ ଭିନ୍ନ। ପ୍ରତିଦିନ ସେମାନଙ୍କୁ ମୁଗ ବୁଟ ଓ ମକା ଖାଇବାକୁ ଦିଆଯାଉଥିବା ବେଳେ ଖାଦ୍ୟ ବାବଦକୁ ସରକାରୀ ତାହବିଲରୁ ଟଙ୍କା ବି ଖର୍ଚ୍ଚ ହେଉଛି। ପିଇବା ଓ ଗାଧୁଆ ପାଇଁ ପଟାସ ପାଣି ବ୍ୟବହାର କରାଯାଉଛି। ଦୁଇମାସରେ ଥରେ ପାରାଙ୍କ ଚିକିତ୍ସା କରାଯାଉଛି। ସାଧାରଣ ପାରାଠାରୁ ଏମାନେ ଭିନ୍ନ। ଏମାନଙ୍କ ଲମ୍ବା ଥଣ୍ଟ ଯୋଗୁଁ ସହଜରେ ଗନ୍ଧ ବାରି ଦୂରଦୂରାନ୍ତର ଠିକଣା ଠାବ କରିପାରୁଥିଲେ।

ବ୍ରିଟିସ ଅମଳରେ ଏହା ବ୍ୟବହାର ହେଉଥିଲା। ଷାଠିଏ ଦଶକରେ ସେମାନଙ୍କୁ ବେଲଜିୟମରୁ ଅଣାଯାଇଥିଲା। ପାରା ପରିଚାଳନା ପାଇଁ ଚାରି ମାସିଆ ଟ୍ରେନିଂ ବ୍ୟବସ୍ଥା ମଧ୍ୟ ରହିଥିଲା। ବର୍ତ୍ତମାନ ମୋବାଇଲ ଓ ଇଣ୍ଟରନେଟ ଯୁଗରେ ପାରାର ଆବଶ୍ୟକତା ସିନା ନାହିଁ, କିନ୍ତୁ ଔପଚାରିକତା ଦୃଷ୍ଟିରୁ କେବଳ ପୁଲିସ ପ୍ୟାରେଡ଼ରେ ଏହାକୁ ସୀମିତ ରଖାଯାଇଛି।

The post ଆଉ ଉଡ଼ୁନି “ପୁଲିସ ଦୂତ”: ଅଲୋଡ଼ା ପଡିଛି ପିଟିସିର ପାରା ଭାଡ଼ି first appeared on Sambad.

from ଜିଲ୍ଲା | Sambad https://ift.tt/3eSJPlY