ବ୍ରହ୍ମପୁର : କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରର ଭୂତାଣୁର ସଂକ୍ରମଣ କ୍ଷମତା ଯଥେଷ୍ଟ ଅଧିକ ରହିଛି। ଦ୍ବିତୀୟ ଲହରରେ ଯୁବବର୍ଗ ଓ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସତର୍କତା ପାଳନ କରିବା ନିହାତି ଦରକାର। ଏମ୍‌କେସିଜିରେ କରୋନାରେ ଆକ୍ରାନ୍ତ ହୋଇ ଏକ ୧୦ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହା ଦକ୍ଷିଣ ଓଡ଼ିଶାରେ ଏମ୍‌କେସିଜି ମେଡିକାଲରେ ପ୍ରଥମ ଘଟଣା। କିନ୍ତୁ ସେହି ଶିଶୁଟି ହିମୋଫିଲିଆ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ଏଣୁ ତାଙ୍କର ଅବସ୍ଥା ଗୁରୁତର ଥିଲା। ବହୁ ଚେଷ୍ଟା ପରେ ମଧ୍ୟ ଶିଶୁର ଜୀବନ ରକ୍ଷା ସମ୍ଭବ ହେଲାନାହିଁ।

କରୋନାର ଦ୍ବିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୭ ଜଣ ଶିଶୁ(୧୪ ବର୍ଷରୁ କମ୍‌) ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇସାରିଥିବା ଏମ୍‌କେସିିଜି ମେଡିକାଲ୍‌ ଶିଶୁରୋଗ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ସୁନୀଲ କୁମାର ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି। ପ୍ରଥମ ଲହର ସମୟରେ ୫୦ରୁ ଅଧିକ କରୋନା ଆକ୍ରାନ୍ତ ଶିଶୁ ଟାଟା କୋଭିଡ୍‌ ହସ୍ପିଟାଲ୍‌, ଅଶ୍ବିନୀ ହସ୍ପିଟାଲ୍‌ ଓ ଏମ୍‌କେସିଜି ମେଡିକାଲ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। କିନ୍ତୁ ଶିଶୁମାନେ କେମିତି ସଂକ୍ରମିତ ହେଉଛନ୍ତି ତାହା ସମସ୍ତେ ଜାଣି ରଖିବା ଉଚିତ। ଶିଶୁମାନେ ଅଧିକାଂଶ ସମୟ ଘରେ ରହୁଛନ୍ତି। ବୟସ୍କ ବ୍ୟକ୍ତିମାନେ ବାହାରକୁ ଯାଉଛନ୍ତି। ଏଣୁ ଶିଶୁଟି ମା’ ନହେଲେ ଘରେ ଅନ୍ୟ କୌଣସି ବୟସ୍କ ବ୍ୟକ୍ତିଙ୍କ ଠାରୁ ସଂକ୍ରମିତ ହୋଇଥାଏ। ଏବେ ବି ଏଭଳି ମାମଲା ସାମ୍ନାକୁ ଆସୁଛି। କିନ୍ତୁ ଚିକିତ୍ସା ପରେ ଔଷଧ ଖାଇ ଶିଶୁମାନେ ଆରୋଗ୍ୟଲାଭ କରୁଛନ୍ତି। ଯେଉଁ ଶିଶୁର ମୃତ୍ୟୁ ଘଟିଛି ତା’ର ଅନ୍ୟ ରୋଗ ଥିଲା।

ଶିଶୁମାନେ ଅଧିକାଂଶ କ୍ଷେତ୍ରରେ ପରିବାରର କୌଣସି ସଦସ୍ୟଙ୍କ ଠାରୁ ସଂକ୍ରମିତ ହୋଇଥାନ୍ତି। ଏଣୁ ପରିବାରର ପ୍ରତ୍ୟେକ ବ୍ୟକ୍ତି କରୋନା କଟକଣା ମାନିବା ସହିତ ଲକ୍‌ଡାଉନ୍‌ ନିୟମ ପାଳନ କରନ୍ତୁ। ଜରୁରି କାମରେ ବାହାରକୁ ବାହାରିଲେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ସହିତ ହାତକୁ ସାନିଟାଇଜ୍‌ କରନ୍ତୁ ଏବଂ ଯଥାସମ୍ଭବ ଘରେ ରହିବାକୁ ଚେଷ୍ଟା କରନ୍ତୁ। ଏହାଦ୍ବାରା ଆମେ ନିଜକୁ ଓ ନିଜର ପିଲାମାନଙ୍କୁ ସୁରକ୍ଷିତ ରଖିପାରିବା। ଯଦି ଛୋଟ ପିଲାଙ୍କୁ ଜ୍ବର ହେଉଛି, ତେବେ ପ୍ରଥମେ ତାଙ୍କୁ ସାଧାରଣ ଔଷଧ ଦେବା। ଯଦି ୫ରୁ ଅଧିକ ଦିନ ଧରି ଜ୍ବର ଲାଗି ରହିଲା କିମ୍ବା ଶିଶୁଟି ଧଇଁସଇଁ ହେଲେ ତାକୁ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇବା ଦରକାର ବୋଲି ଡା. ଅଗ୍ରୱାଲ୍‌ କହିଛନ୍ତି। ଏଥିରେ ବ୍ୟସ୍ତ ହେବାର କାରଣ ନାହିଁ। ଚିକିତ୍ସା ପରେ ଶିଶୁମାନେ ଆରୋଗ୍ୟଲାଭ କରୁଛନ୍ତି। ଆବଶ୍ୟକ ସଚେତନତା ଓ ସତର୍କତା ଦ୍ବାରା ଆମେ ନିଜକୁ ଓ ପରିବାରକୁ ସୁରକ୍ଷିତ ରଖିପାରିବା।

ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ,
ଏମ୍‌କେସିଜି ମେଡିକାଲ କଲେଜ, ବ୍ରହ୍ମପୁର

The post ବୟସ୍କଙ୍କଠାରୁ ସଂକ୍ରମିତ ହେଉଛନ୍ତି ଶିଶୁ; ୫ରୁ ଅଧିକ ଦିନ ଜ୍ବର, ଧଇଁସଇଁ ହେଲେ ଶିଶୁର ଚିକିତ୍ସା କରାନ୍ତୁ first appeared on Sambad.

from ଜିଲ୍ଲା | Sambad https://ift.tt/3y3ilBl