ସମ୍ବଲପୁର : ଗତ ରବିବାର ମଧ୍ୟରାତ୍ରୀରେ ମାଁ ସମଲେଶ୍ବରୀଙ୍କ ମନ୍ଦିରର ଦୀପ ଘରେ ନିଆଁ ଲାଗିବା ପରଠାରୁ ଭକ୍ତଙ୍କ ଅଖଣ୍ଡ ଜାଗର ପ୍ରଜ୍ଜ୍ବଳନ ବନ୍ଦ ରହିଛି। ବହୁ ବର୍ଷ ହେଲା ଭକ୍ତ ମାନେ ବିଭିନ୍ନ ମାନସିକ କରି ତଥା ଶ୍ରଦ୍ଧା ଓ ଭକ୍ତିଭାବରେ ମାଁଙ୍କ ନିକଟରେ ଅଖଣ୍ଡ ଜାଗର ଜଳାଇ ଆସୁଥିଲେ। ପୂର୍ବରୁ ଏହି ଜାଗର ଗୁଡ଼ିକ ମାଁଙ୍କ ଗର୍ଭ ଗୃହରେ ଜଳୁଥିଲା। ପରବର୍ତ୍ତୀ ସମୟରେ ଜାଗର ସଂଖ୍ୟା ବୃଦ୍ଧି ପାଇବାରୁ ତାକୁ ଗର୍ଭଗୃହ ବାହାରେ ଏକ କ୍ଷୁଦ୍ର କାଚ ଘର ନିର୍ମାଣ କରି ସେଠାରେ ଜଳା ଯାଇ ଆସୁଥିଲା। ବର୍ତ୍ତମାନ ସେମାନଙ୍କ ଅଖଣ୍ଡ ଜାଗର ପ୍ରଜ୍ଜ୍ବଳନ ବନ୍ଦ ହୋଇଯିବା କାରଣରୁ କିଛି ଭକ୍ତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ମୁଖ୍ୟ ମନ୍ଦିର ବା ସଂଲଗ୍ନ ସାନ ଗୁଡ଼ିରେ ଜାଗର ପ୍ରଜ୍ଜ୍ବଳନ ପାଇଁ ଅନୁମତି ଦେବା ସମ୍ଭବ ନୁହେଁ ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ ବାବୁ କହିଛନ୍ତି। ସେ କହିଛନ୍ତି ଯେ ଭକ୍ତଙ୍କ ଭାବାବେଗକୁ ଟ୍ରଷ୍ଟ ସମ୍ମାନ କରେ। କିନ୍ତୁ ଆମ ପାଇଁ ତଥା ସମସ୍ତଙ୍କ ପାଇଁ ମନ୍ଦିରର ସୁରକ୍ଷା ସର୍ବୋପରି। ଏହା ୫୦୦ ବର୍ଷ ପୁରୁଣା ଏକ ପ୍ରାଚୀନ ମନ୍ଦିର। ତେଣୁ ଏହା ଭିତରେ ଦୀପ ନ ଜାଳିବା ପାଇଁ ପୂର୍ବରୁ ପୁରାତତ୍ତ୍ବ ବିଭାଗ ଓ ଦେବୋତ୍ତର ବିଭାଗ ତରଫରୁ ସତର୍କ କରା ଯାଇଥିଲା। କିନ୍ତୁ ସେଦିନର ଘଟଣା ଆମ ପାଇଁ ସତର୍କ ଘଣ୍ଟି ହୋଇଛି। ଏଥି ପାଇଁ ଦେବୋତ୍ତର କମିସନର୍‌ଙ୍କ ପକ୍ଷରୁ ରିପୋର୍ଟ ତଲବ ହୋଇଛି। ତେଣୁ ବର୍ତ୍ତମାନ ପାଇଁ ମନ୍ଦିର ପରିସରରେ କୌଣସି ସ୍ଥାନରେ ଜାଗର ଜଳାଇବାକୁ ଅନୁମତି ଦିଆଯାଇ ନାହିଁ। ତେବେ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କୌଣସି ଏକ ସ୍ଥାନରେ ଏଥି ପାଇଁ ବିକଳ୍ପ ବ୍ୟବସ୍ଥା କରା ଯାଇପାରେ ବୋଲି ଶ୍ରୀ ବାବୁ କହିଛନ୍ତି।

The post ଅଗ୍ନିକାଣ୍ଡ ପରଠୁ ମାଁ ସମଲେଶ୍ବରୀଙ୍କ ନିକଟରେ ଜଳୁନି ଭକ୍ତଙ୍କ ଅଖଣ୍ଡ ଦୀପ first appeared on Sambad.

from ଜିଲ୍ଲା | Sambad https://ift.tt/3vxkQue