ରାୟଗଡ଼ା(ନବୀନ ଚନ୍ଦ୍ର ସାହୁ): ଦିନେ ଆନ୍ଧ୍ର ମାର୍କେଟରୁ ରାୟଗଡ଼ାକୁ ଆସୁଥିଲା ସଜନା ଛୁଇଁ। ଦର ମଧ୍ୟ ଆକାଶଛୁଆଁ ଥିଲା। କେଜି ପିଛା ୧୬୦ରୁ ୨୦୦ ଟଙ୍କାରେ ବିକ୍ରି କରୁଥିଲେ ବ୍ୟବସାୟୀ। ବେଳେବେଳେ ଦର କେଜି ପିଛା ୨୫୦ ମଧ୍ୟ ଟପୁଥିଲା। ହେଲେ ସ୍ଥାନୀୟ ଚାଷୀଙ୍କ ଉଦ୍ୟମ ଫଳରେ ରାୟଗଡ଼ା, ଗୁଣପୁର ସମେତ ଆଖାପାଖ ଅଞ୍ଚଳରେ ଏବେ ବଜାର ଚାହିଦା ମେଣ୍ଟାଉଛି ଗୁଣପୁର ବ୍ଲକର ଗୁଲୁମୁଣ୍ଡାରୁ ଉତ୍ପାଦିତ ସଜନା ଛୁଇଁ। ଦୈନିକ ୭୦ରୁ ୮୦ କେଜି ସଜନା ଛୁଇଁ ଉତ୍ପାଦନ ହେଉଥିବା ବେଳେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦେଶୀ ସଜନା ଛୁଇଁରୁ ଚାହିଦା।

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା। ଜୀବନ ଜୀବିକା ପାଇଁ ଏଠାକାର ଆଦିବାସୀ ଧାନ, କପା ଓ ପନିପରିବା ଚାଷ କରିଥାନ୍ତି। ତେବେ ଗୁଲୁମୁଣ୍ଡା ଗ୍ରାମର ଚାଷୀ ଲକ୍ଷ୍ମୀନାରାୟଣ ପାଢ଼ୀ ଅଣପାରମ୍ପାରିକ ପଦ୍ଧତିରେ ସଜନା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ୩ ଜଣଙ୍କୁ ରୋଜଗାରକ୍ଷମ କରିଛନ୍ତି। ପୂର୍ବରୁ ଏଠାକାର ବ୍ୟବସାୟୀମାନେ ସଜନା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଥିଲେ। ଆନ୍ଧ୍ରର ଜଳବାୟୁ ସହ ଏଠାକାର ଜଳବାୟୁ ପ୍ରାୟତଃ ସମାନ ରହୁଥିବାରୁ ଚାଷୀ ଲକ୍ଷ୍ମୀ ନାରାୟଣ ନିଜସ୍ୱ ଉଦ୍ୟମରେ ନିଜର ଦେଢ ଏକର ଜମିରେ ସଜନା ଚାଷ ଆରମ୍ଭ କରିଥିଲେ।

ନିଜସ୍ବ ପରିଶ୍ରମ ଓ ଉଦ୍ୟମ ବଳରେ ଦେଢ଼ ଏକର ଜମିରୁ ଏବେ ଦୈନିକ ୭୦/୮୦ କିଲୋ ସଜନା ଉତ୍ପାଦନ କରି ବେଶ୍ ଲାଭବାନ୍ ହୋଇଛନ୍ତି ଲକ୍ଷ୍ମୀନାରାୟଣ। ଉତ୍ପାଦିତ ସଜନା ଛୁଇଁର ବଜାରୀକରଣ ପାଇଁ ଲକ୍ଷ୍ମୀନାରାୟଣ ପୂର୍ବରୁ  ନିକଟସ୍ଥ ବଜାର ଉପରେ ନିର୍ଭର କରୁଥିଲେ। କିନ୍ତୁ ଲକ୍ଷ୍ମୀନାରାୟଣଙ୍କ ବାଡ଼ର ଦେଶୀ ସଜନା ଛୁଇଁ ଅତି ସ୍ବାଦିଷ୍ଟ ହୋଇଥିବାରୁ ଧୀରେ ଧୀରେ ଆନ୍ଧ୍ର ବଦଳରେ ଦେଶୀ ସଜନା ଛୁଇଁର ଚାହିଦା ମାର୍କେଟରେ ବଢ଼ିବାରେ ଲାଗିଛି। ଫଳରେ ଉତ୍ପାଦିତ ସଜନା ଛୁଇଁ ବିକ୍ରି ପାଇଁ ଗତ କିଛି ମାସ ହେଲା ଲକ୍ଷ୍ମୀନାରାୟଣଙ୍କୁ ଏବେ ମାର୍କେଟକୁ ଯିବାକୁ ପଡୁନି। ପରିବା ବ୍ୟବସାୟୀ ନିଜେ କ୍ଷେତରେ ପହଞ୍ଚି ସଜନା ଛୁଇଁକୁ କିଣି ନେଉଛନ୍ତି।

ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ସମେତ ପଡୋଶୀ ଆନ୍ଧ୍ରର କିଛି ବ୍ୟବସାୟୀ ମଧ୍ୟ ଗୁଲୁମୁଣ୍ଡାର ସଜାନ ଛୁଇଁକୁ ନେଇ ସେଠାରେ ବିକ୍ରି କରୁଥିବା ଲକ୍ଷ୍ମୀନାରାୟଣ ପ୍ରକାଶ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଲକ୍ଷ୍ମୀନାରାୟଣ ସଜନା ଛୁଇଁ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ଆଖପାଖ ଅଞ୍ଚଳର ୩/୪ ଜଣଙ୍କୁ ବାଡ଼ରେ କର୍ମ ନିଯୁକ୍ତି ଦେଇ ରୋଜଗାରକ୍ଷମ କରିପାରିଛନ୍ତି। କ୍ଷେତର ରକ୍ଷଣାବେକ୍ଷଣ ସହିତ ଉତ୍ପାଦିତ ସଜନା ଛୁଇଁକୁ ତୋଳିବା କାମରେ ଏହି ଶ୍ରମିକମାନେ ନିୟୋଜିତ ହୋଇଛନ୍ତି। ଗାଁ ପାଖରେ ରହି ଦିନକୁ ୫/୬ ଘଣ୍ଟାର ଶ୍ରମ ଦାନ କରି ପାରିଶ୍ରମିକ ବାବଦକୁ ଦୈନିକ ଭଲ ମଜୁରୀ ପାଉଥିବା କ୍ଷେତରେ କାମ କରୁଥିବା ଶ୍ରମିକ ରାଜେନ୍ଦ୍ର ମାଣ୍ଡାଙ୍ଗି ପ୍ରକାଶ କରିଛନ୍ତି। କେବଳ ପାରମ୍ପରିକ ପଦ୍ଧତିରେ ଚାଷ ନ କରି ଜଳବାୟୁ ଅନୁଯାୟୀ ଚାଷ ଚାଷ କଲେ ଲାଭବାନ ସୁନିଶ୍ଚିତ ଏ କଥାକୁ ପ୍ରମାଣ କରି ଦେଖାଇବା ସହ ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗୁଲୁମୁଣ୍ଡାର ଚାଷୀ ଲକ୍ଷ୍ମୀନାରାୟଣ।

The post ସଜନା ଛୁଇଁ ଚାଷ ପାଲଟିଛି ରୋଜଗାରର ମାଧ୍ୟମ, ଦୈନିକ ଉତ୍ପାଦନ ହେଉଛି ୮୦ କେଜି first appeared on Sambad.

from ଜିଲ୍ଲା | Sambad https://ift.tt/3uLmuYP