ଜଗତପୁର: ଜଣେ ଯୁବକଙ୍କୁ ବ୍ୟାଙ୍କରେ ଚାକିରି କରାଇଦେବା କହି ଅଭିନବ ଉପାୟରେ ଦୁର୍ବୃତ୍ତ ତାଙ୍କଠାରୁ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଛି। ଜଗତପୁର ଥାନା ପୀରବଜାର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଜଗତପୁର ପୁଲିସ ଉକ୍ତ ଦୁର୍ବୃତ୍ତକୁ ଗିରଫ କରିବା ସହ ତା’ ନିକଟରୁ ଲୁଟ୍‌ ହୋଇଥିବା ବାଇକ ଓ ମୋବାଇଲ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ଯାଜପୁର ରୋଡ୍‌ ଥାନା କୃଷ୍ଣନଗର ପାଟଣା ଅଞ୍ଚଳର କାଳନ୍ଦୀ ନାୟକ ଓରଫ କାହ୍ନା ଓରଫ ଓ଼ମ୍‌ପ୍ରକାଶ(୨୭) ବୋଲି ଜଣାପଡ଼ିଛି। ପୁଲିସ ସୂଚନା ମୁତାବକ, ଗତ ଅପ୍ରେଲ ୨୬ ତାରିଖରେ ଅଭିଯୁକ୍ତ କାହ୍ନା ନିଜକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ଲାଲବାଗ ଥାନା ଅନ୍ତର୍ଗତ ଡଗରପଡ଼ା ଗୋପାଳସାହିର ଆକାଶ ଚନ୍ଦ୍ର ବେହେରାଙ୍କୁ ବ୍ୟାଙ୍କରେ ଚାକିର କରାଇଦେବାକୁ କହି କଟକ ବଜ୍ରକବାଟି ରୋଡ୍‌କୁ ଡାକିଥିଲା। ପରେ ଚଞ୍ଚକତାର ସହିତ ଉକ୍ତ ସ୍ଥାନ ବଦଳାଇ ପୁଣି ଜଗତପୁର ପୀରବଜାରକୁ ଡାକିଥିଲା।

ଆକାଶ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ କାହ୍ନା ତାଙ୍କୁ ‘ବାୟୋଡାଟା’ ପୂରଣ କରିବାକୁ କହିଥିଲା। ଆକାଶ ଫର୍ମ ପୂରଣ କରିବାରେ ବ୍ୟସ୍ତ ଥିବାବେଳେ ଅଭିଯୁକ୍ତ କାହ୍ନା ଆକାଶଙ୍କ ବାଇକ୍‌ ଓ ‘ଓପୋ’ ମୋବାଇଲ୍‌ ଫୋନ୍‌ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏ ସମ୍ପର୍କରେ ଆକାଶ ଜଗତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ୍‌ ଓ ମୋବାଇଲ ଫୋନ୍‌ ଜରିଆରେ ତଦନ୍ତ କରି ଅଭିଯୁକ୍ତକୁ ଧରିବାରେ ସମର୍ଥ ହୋଇଥିଲା। ଅଭିଯୁକ୍ତ ପୂର୍ବରୁ ବିଭିନ୍ନ ଉପାୟରେ ଲୋକଙ୍କଠାରୁ ଏହିପରି ଲୁଟ୍‌ କରିଥିବା ପୁଲିସ ଜାଣିବାକୁ ପାଇଛି।

The post ବ୍ୟାଙ୍କରେ ଚାକିରି କରେଇଦେବା କହି ଲୁଟ୍‌: ଅଭିଯୁକ୍ତ ଗିରଫ, ବାଇକ୍‌ ଓ ମୋବାଇଲ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3oIVEy6