
ଖଇରା: ବାଲେଶ୍ବର ଜିଲ୍ଲାର ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅନ୍ତର୍ଗତ ଖରିଦା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଆଜି ସକାଳେ ଖରିଦା ଗ୍ରାମର କମଳାକାନ୍ତ ସାହୁଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ମେଡିକାଲ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଗ୍ରାମ ରାସ୍ତା ଉପରେ ମାଟି ପଡ଼ି କାଦୁଅ ହୋଇଥିବାରୁ ଆମ୍ବୁଲାନ୍ସ ଯାଇନପାରି ଅଧା କିଲୋମିଟର ପୂର୍ବରୁ ଅଟକି ରହିଥିଲା।
ବାଧ୍ୟ ହୋଇ ପରିବାର ଲୋକେ ମଞ୍ଜୁଲତାଙ୍କୁ ଏକ ଟ୍ରଲିରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ହେଲେ ପ୍ରସବ ଯନ୍ତ୍ରଣା ସହି ନପାରି ରାସ୍ତା ମଝିରେ ଟ୍ରଲି ଉପରେ ପ୍ରସବ କରିଥିଲେ ପ୍ରସୂତି। ପ୍ରସବ ସମୟରେ ପରିବାର ଲୋକେ ଟ୍ରଲି ଚାରିକଡେ ଲୁଗା ଘୋଡ଼ାଇଥିବାର ଦେଖିବାକୁ ମିଳିଥିଲା। ପରେ ପ୍ରସୂତି ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ମା ଓ ନବଜାତ ଶିଶୁକୁ ଚିକିତ୍ସା ପାଇଁ ସୋର ମେଡିକାଲକୁ ନେଇଥିବା ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଥାଉକି କିଛିଦିନ ପୂର୍ବେ ଏହି ଗ୍ରାମର ନୂତନ ରାସ୍ତା କାର୍ଯ୍ୟ ସରିଛି।ହେଲେ ସମ୍ପୃକ୍ତ ଠିକାଦାର ରାସ୍ତା ଉପରେ ମାଟି ପକାଇଥିବାରୁ ବର୍ଷାରେ ରାସ୍ତା କାଦୁଅ ହୋଇଯାଇଛି । ଏହାଫଳରେ ଏହି ରାସ୍ତାରେ ଗାଡ଼ି ମୋଟର ଚଳାଚଳ ହୋଇପାରୁନାହିଁ। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିବା ସହିତ ସମ୍ପୃକ୍ତ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
The post ରାସ୍ତାରେ କାଦୁଅ ଯୋଗୁଁ ଯାଇପାରିଲାନି ଆମ୍ବୁଲାନ୍ସ, ଟ୍ରଲିରେ ପ୍ରସବ କଲେ ପ୍ରସୂତି first appeared on Sambad.from ଜିଲ୍ଲା | Sambad https://ift.tt/3y2bU1q
0 Comments