
ଗଡ଼ିଶାଗୋଦା : କଣାସ ବ୍ଲକ୍ର ପ୍ରମୁଖ ନଦୀ ଦୟା ଓ ମକରା ଉପରେ ବ୍ଲକ୍ର ଦୋକନ୍ଦା, ବଳଭଦ୍ରପୁର, ଜଙ୍କିଆ, ନଈକୂଳପାଟଣା, ଜାଗୁଳାଇପଦର, କଉଡ଼ିଖଣି, ଗଙ୍ଗାଧରପୁର, ସରସ୍ୱତୀ ନଗର ଗ୍ରାମର ହଜାର ହଜାର ମତ୍ସ୍ୟଜୀବୀ ନିର୍ଭର କରିଥାନ୍ତି। ସେମାନେ ଏହି ନଦୀପଥ ଦେଇ ଚିଲିକାକୁ ମାଛ ଧରିବା ପାଇଁ ଯାଇଥାନ୍ତି। ଯନ୍ତ୍ରଚାଳିତ ଡଙ୍ଗାରେ ଜାଲ, କିଳା ଓ ନିଜର ଚିଲିକାରେ ରହଣି ପାଇଁ ଖାଦ୍ୟପେୟ ନେଇ ସେମାନେ ଏହି ନଦୀରେ ଗମନାଗମନ କରିଥାନ୍ତି। ମାତ୍ର ଏଥିରେ ବାଧକ ସାଜିଛି କଲିକତି ଦଳ।
ଚିଲିକା ମୁହାଣଠାରୁ ନଦୀ ଭିତରକୁ ଏତେମାତ୍ରାରେ କଲିକତି ଦଳ ଭର୍ତ୍ତି ହୋଇ ରହିଛି ଯେ ଯନ୍ତ୍ରଚାଳିତ ଡଙ୍ଗାରେ ଦୁଇ ତିନି ଜଣ ବ୍ୟକ୍ତି କାତ ମାରି ଚିଲିକାକୁ ଯିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହୋଇ ଅଧବାଟରେ ଅଟକି ରହୁଛନ୍ତି। ଏମିତିକି କିଛି ମତ୍ସ୍ୟଜୀବୀ ଚିଲିକାକୁ ଯିବା ପାଇଁ ଡଙ୍ଗାର ଆଗ ମଙ୍ଗରେ ଏକ ଲମ୍ବା ଦୈାଡ଼ି ବାନ୍ଧି ନଦୀର କୂଳେ କୂଳେ ଦୁଇ ଚାରି ଜଣ ଦୈାଡ଼ିକୁ ଟାଣିବା ଓ ଜଣେ ବ୍ୟକ୍ତି କାତରେ ଠେଲି ଧରି ଡଙ୍ଗାକୁ ପାର କରୁଥିବାର ଦେଖିବାକୁ ମିଳୁଛି। କେତେକ ମତ୍ସ୍ୟଜୀବୀ ଚିଲିକା କୂଳରେ ଡଙ୍ଗା ରଖି ଗୋଟିଏ ଡଙ୍ଗାରେ ଦଳ ଦଳ ହୋଇ କଷ୍ଟରେ ଯିବାଆସିବା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ଏହି ନଦୀଗୁଡ଼ିକରେ ବିଭିନ୍ନ ପଞ୍ଚାୟତର ଗ୍ରାମଗୁଡ଼ିକର ଜନସାଧାରଣଙ୍କ ପାଇଁ ପାନୀୟ ଜଳ ଯୋଗାଣ ପାଇଁ ଜଳ ପ୍ରକଳ୍ପ ମଧ୍ୟ ସରକାରଙ୍କ ତରଫରୁ ବସା ଯାଇଛି। ମାତ୍ର କଲିକତି ଦଳ ପଚିଯିବା ଓ ଦଳର ଚେରଗୁଡିକ ଛିଣ୍ଡି ଜଳ ଦୁଷିତ ହେଉଛି। ଏ ସଂପର୍କରେ ଜାଗୁଳାଇପଦର ଗ୍ରାମର ସଂଗ୍ରାମ ବେହେରା, ବ୍ରଜବନ୍ଧୁ ବେହେରା, ଦେବରାଜ ବେହେରା, ଲକ୍ଷ୍ମୀଧର ବେହେରା, ପ୍ରମୋଦ ବେହେରା, ଲୋଚନ ବେହେରା ପ୍ରମୁଖ କହନ୍ତି ବହୁ ଅସୁବିଧାରେ ଗମନାଗମନ କରୁଛୁ।

ଏହି ଅଞ୍ଚଳ ଏକ ଅନୁନ୍ନତ ଅଞ୍ଚଳ ଓ ସଡ଼କ ପଥର ଉପଯୁକ୍ତ ବିକାଶ ହୋଇ ନଥିବାରୁ ଏବେବି ଲୋକେ ଜଳପଥ ଉପରେ ନିର୍ଭରଶୀଳ। କିନ୍ତୁ କଲିକତି ଦଳ ଗମନାଗମନରେ ବାଧକ ସାଜିଛି। ଯଦି କାହାର ଦେହ ଖରାପ ହୁଏ ଗ୍ରାମକୁ ଆସି ମେଡିକାଲ ନେବା କିମ୍ବା ପରିବାରର କୌଣସି ଅସୁବିଧା ହେଲେ ଆସିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନିରୁପାୟ ହୋଇ ପଡି ରହୁଛୁ। ଏମିତିକି ଚିଲିକାକୁ ମାଛ ମାରିବା ପାଇଁ ଆଗ୍ରହ କମିଯାଉଛି। ମାତ୍ର ଆମ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ହେଉଛି ଚିଲିକା। ପ୍ରଶାସନ ନଦୀରୁ ଦଳ ସଫା କରିବା ଲାଗି ଦୃଷ୍ଟି ଦେବା ପାଇଁ ସେମାନେ ଦାବି କରୁଛନ୍ତି।
The post ମତ୍ସ୍ୟଜୀବୀଙ୍କ ପାଇଁ ଅଡ଼ୁଆ କଲିକତି ଦଳ, ନଦୀପଥରେ ଚିଲିକାକୁ ଯାଇପାରୁ ନାହାନ୍ତି ମତ୍ସ୍ୟଜୀବୀ first appeared on Sambad.from ଜିଲ୍ଲା | Sambad https://ift.tt/3ePZXmK
0 Comments