ପାତ୍ରପୁର: ହଜିଗଲା ମାନବିକତା। ଶବକୁ ମିଳିଲାନି ଚାରି କାନ୍ଧ। ଶେଷରେ ଶବକୁ ଟ୍ରଲି ରିକ୍ସାରେ ପକାଇ ଟାଣି ଟାଣି ଶ୍ମଶାନ ପର୍ଯ୍ୟନ୍ତ ନେଲେ ପୁତୁରା, ପୁଅ ଓ ଝିଆରୀ। ସେଠାରେ ସ୍ବେଚ୍ଛାସେବୀ ମାନେ ପିପିଇ କିଟ୍ ପିନ୍ଧି ସସମ୍ମାନ ଶବକୁ ସତ୍କାର କଲେ। ଗଞ୍ଜାମ ଜିଲ୍ଲା ପାତ୍ରପୁର ଗ୍ରାମରେ ଏଭଳି ଏକ ହୃଦୟବିଦାରକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପାତ୍ରପୁର ଗ୍ରାମ ସାଗରବ୍ରାହ୍ମଣ ସାହିର ଚନ୍ଦ୍ରଶେଖର ମହାନ୍ତି (୫୫) ଗତ କିଛିଦିନ ହେଲା ଅସୁସ୍ଥ ଥିଲେ।  ସେ ହଠାତ୍ ଗୁରୁତର ହୋଇ ପଡ଼ିବାରୁ ଗତକାଲି ସକାଳ ୮ଟାରେ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଶରୀରରେ ଅକ୍ସିଜେନ ସ୍ତର କମିଯାଇଥିବାରୁ ତାଙ୍କର ସଂଗେ ସଂଗେ ଚିକିତ୍ସା ଆରମ୍ଭ ହୋଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦ୍ରଶେଖର ଆଖି ବୁଜି ଦେଇଥିଲେ। ହେଲେ ଡାକ୍ତରଖାନା ଶଯ୍ୟାରେ ଶବ ସେମିତି ପଡ଼ି ରହିଥିଲା।

ଏପରିକି କର୍ମଚାରୀମାନେ ମଧ୍ୟ ତଳକୁ ଶବ ଓହ୍ଲାଇ ନଥିଲେ। ଆମ୍ବୁଲାନ୍ସ୍ ବି ଯୋଗାଇ ଦିଆଯାଇ ନଥିଲା। ପରେ ଦଶମ ଶ୍ରେଣୀ ଛାତ୍ର ତଥା ମୃତକଙ୍କ ପୁତୁରା ଦୀନବନ୍ଧୁ ମହାନ୍ତି ଏକ ଟ୍ରଲି ରିକ୍ସା ଯୋଗାଡ଼ କରିଥିଲେ। ଆଉ ପୁଅ ବାବୁଲା ଓ ଝିଆରୀ ହୀରା ମିଶି ଶବକୁ ରିକ୍ସାରେ ରଖି ମଶାଣିକୁ ନେଇଥିଲେ। ଦୀନବନ୍ଧୁ ରିକ୍ସା ଚଳାଇଥିବାବେଳେ ବାବୁଲା ଓ ହୀରା ପଛେ ପଛେ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ଅନ୍ୟମାନେ କେବଳ ଦେଖଣାହାରୀ ସାଜିଥିଲେ। ପରେ କିଛି ସ୍ବେଚ୍ଛାସେବୀ ଓ ସାହିବାସିନ୍ଦା ଶ୍ମଶାନରେ ପହଞ୍ଚି ସଂସ୍କାର କରିଥିଲେ। ପୁଅ ବାବୁଲା ମହାନ୍ତିଙ୍କ ସମେତ ରବି ପତି, ସୁଶାନ୍ତ ପାଣିଗ୍ରାହୀ ଓ ସଂଜୀବ ମହାପାତ୍ର ପିପିଇ କିଟ୍ ପିନ୍ଧି ଶବକୁ ଦାହ କରିଥିଲେ।

The post ଶବକୁ ମିଳିଲାନି ଚାରିକାନ୍ଧ: ଟ୍ରଲିରେ ନେଲେ ପୁଅ, ପୁତୁରା ଓ ଝିଆରୀ first appeared on Sambad.

from ଜିଲ୍ଲା | Sambad https://ift.tt/3xKSq1j