
ଫୁଲବାଣୀ/ଖଜୁରୀପଡ଼ା : ରବିବାର ଦିନ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ଓରଫ ଟାଡିସରୁ ବାଇ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରଥମେ ତାଙ୍କୁ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପୂର୍ଣ୍ଣମାସୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡରେ ଭର୍ତ୍ତି କରାଯାଇଛି।
ବୟସାଧିକ କାରଣରୁ ପୂର୍ଣ୍ଣମାସୀଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କ ଶରୀରରେ ହିମୋଗ୍ଲୋବିନ୍ ପରିମାଣ ଅସ୍ବାଭାବିକ ଭାବେ ହ୍ରାସ ପାଇବାରୁ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଥିଲା। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଜିତ ଦଳେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ଣ୍ଣମାସୀ ଜାନିଙ୍କୁ ଗତ ସାଧାରଣତନ୍ତ୍ର ଦିବସରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ପୂର୍ଣ୍ଣମାସୀ ଜାନି ନିରକ୍ଷର ଥିଲେ ମଧ୍ୟ ଦୈବୀକୃପାରୁ ସେ ଅନର୍ଗଳ ଭଜନ, ଜଣାଣ ଲେଖିପାରିଛନ୍ତି। ତାଙ୍କର ହଜାରରୁ ଊର୍ଦ୍ଧ୍ବ ଭଜନ ସଂଗୃହୀତ ହୋଇଛି। ପଦ୍ମଶ୍ରୀ ପୂର୍ଣ୍ଣମାସୀ କନ୍ଧମାଳ ଜିଲ୍ଲାରେ ଜଣେ ଚାରଣ କବି ଭାବେ ବେଶ ପରିଚିତ। ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରୁଥିବା ଜଣାପଡ଼ିଛି।
The post ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ଅସୁସ୍ଥ first appeared on Sambad.from ଜିଲ୍ଲା | Sambad https://ift.tt/3473HLU
0 Comments