
ବୁଗୁଡ଼ା : ଡକାଡକି ହୋଇ ଦମ୍ପତି ଆରପାରିକୁ ଚାଲିଗଲେ। ଜ୍ବରରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀଙ୍କ ମୃତ୍ୟୁର ୧୨ ଘଣ୍ଟା ପରେ ପତ୍ନୀ ବି ଆଖିବୁଜିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଗୋଲିଆ ପଂଚାୟତ ଅନ୍ତର୍ଗତ ଚିରିକିପଡ଼ା ଗ୍ରାମରେ।
ଗ୍ରାମର ପଞ୍ଚୁ ପ୍ରଧାନ (୬୦) ପ୍ରାୟ ୧୫ ଦିନ ହେଲା ଜ୍ବରରେ ଆକ୍ରାନ୍ତ ହୋଇ କ୍ବାକ୍ଙ୍କ ଠାରୁ ଔଷଧ ଖାଇ ଘରେ ଚିକିତ୍ସିତ ହେଉଥିଲେ। ଗତରାତିରେ ନିଶ୍ୱାସ ନେବାରେ କଷ୍ଟ ହେବାରୁ ସଂଗେ ସଂଗେ ତାଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର୍ ୩ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସ୍ୱାମୀଙ୍କ ମୃତ୍ୟୁର ୧୨ ଘଣ୍ଟା ନ ପୂରୁଣୁ ଆଜି ଅପରାହ୍ଣ ୩ଟା ବେଳେ ସ୍ତ୍ରୀ ସବିତା (୫୦) ମଧ୍ୟ ଆଖି ବୁଜି ଦେଇଥିଲେ। ସବିତାଙ୍କ ମୃତ୍ୟୁ ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି। ଭୟରେ କେହି ଶବର ପାଖତ ମାଡ଼ୁନାହାନ୍ତି। ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଉଠାଇବା ପାଇଁ ବିଡିଓଙ୍କ ସହ ଯୋଗାଯୋଗ କରିଥିଲେ। କେତେଜଣ ସ୍ବେଚ୍ଛାସେବୀଙ୍କ ସହାୟତାରେ ବିଡିଓ ଓ ମେଡିକାଲ ଅଫିସର୍ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୃତ ଦମ୍ପତିଙ୍କ ପୁଅ ଚିତ୍ରସେନଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଆଜି ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଗ୍ରାମରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ଗ୍ରାମରେ ପହଞ୍ଚିଥିବା ସୂଚନା ମିଳିଛି।
The post ଡକାଡକି ହୋଇ ଦମ୍ପତି ଆରପାରିକୁ ଚାଲିଗଲେ, ପୁଅ ଜୀବନ ସହ ସଂଘର୍ଷ କରୁଛି first appeared on Sambad.from ଜିଲ୍ଲା | Sambad https://ift.tt/3unlo5l
0 Comments