
ମାଛ ଚାଷ ପାଇଁ ହର୍ମୋନ୍ ଓ କେମିକାଲ୍ ପ୍ରୟୋଗ
ଅଢ଼େଇ ଲକ୍ଷ ମତ୍ସଜୀବୀଙ୍କ ବେଉସା ବୁଡ଼ିବ
୧୫୦ କିଲୋମିଟର ବ୍ୟାପିଲାଣି ନଳଘାସ
ଟାଙ୍ଗୀ : ନିଳାମ୍ବୁ ଚିଲିକା ଏବେ ବିଷହ୍ରଦ ପାଲଟିଛି। ଚିଲିକା ଭିତରର ୧୦୦ ବର୍ଗ କିଲୋମିଟର କବ୍ଜାକୁ ନେଇ ଆନ୍ଧ୍ର, ଓଡିଶା, ତାମିଲନାଡୁ ଅଞ୍ଚଳର ମାଫିଆମାନେ ଚିଙ୍ଗୁଡି ଚାଷ କରୁଛନ୍ତି। ମାଛଚାଷ ପାଇଁ ହର୍ମୋନ୍ ଓ କେମିକାଲ୍ ପ୍ରୟୋଗ କରୁଥିବାରୁ ଏହାର ପ୍ରଭାବ ଚିଲିକା ଉପରେ ପଡ଼ୁଛି। ଗୋଟିଏ ପଟେ ପାଣି ବିଷାକ୍ତ ହେଉଥିବାବେଳେ ଅନ୍ୟପଟେ ଆନ୍ଧ୍ର ଓ ତାମିଲନାଡ଼ୁ ଚିଙ୍ଗୁଡ଼ି ମାଫିଆଙ୍କ ପାଇଁ ଅଢ଼େଇ ଲକ୍ଷ ମତ୍ସ୍ୟଜୀବୀଙ୍କ ବେଉସା ବୁଡ଼ିବା ଅବସ୍ଥାକୁ ଆସିଯାଇଛି। ଏତଦ୍ବ୍ୟତୀତ ବିଭିନ୍ନ କାରଣରୁ ଏବେ ଚିଲିକାର କଳେବରରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ନଳଘାସ ୧୫୦ କିଲୋମିଟରରୁ ଅଧିକ ଦୂର ବ୍ୟାପୀ ଗଲାଣି। ନଦୀ ପଟୁମାଟିରେ ଚିଲିକା ପୋତି ହୋଇଯାଇ ଦିନକୁ ଦିନ ଆୟତନ କମୁଥିଲେ ମଧ୍ୟ ଦେଖିବାକୁ କେହିନାହିଁ।
ଚିଲିକାର ଆୟତନ ୧୧୫୦ ବର୍ଗ କିଲୋମିଟର। ଏହା ଓଡିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲା ପରିସରଭୁକ୍ତ। ସରକାରୀ ଭାବେ ଏହାର ପରିସୀମା ୯୦୦ ବର୍ଗ କିଲୋମିଟର କୁହାଯାଉଥିବା ବେଳେ ପ୍ରକୃତରେ ୭୫୦ ରୁ ୮୦୦ ବର୍ଗ କିଲୋମିଟର ମଧ୍ୟରେ ରହିଥିବା ଚିଲିକାକୁ ଭାତହାଣ୍ଡି ଭାବେ ବ୍ୟବହାର କରୁଥିବା ଲୋକେ କହୁଛନ୍ତି। ଅପରୂପା ସୌନ୍ଦର୍ଯ୍ୟଭରା ଚିଲିକାର କଳେବର ଭାବେ ହ୍ରାସ ପାଇବା ପଛରେ ବହୁ କାରଣ ରହିଛି। ୨୦ ବର୍ଷ ପୂର୍ବେ ଚିଲିକାରେ ନଳଘାସ ସ୍ବପ୍ନ ଥିଲା। ଏବେ ନଳଘାସ ୧୫୦ ରୁ ୨୦୦ କିଲୋମିଟର ପର୍ଯ୍ୟନ୍ତ ମାଡ଼ିଗଲାଣି। ଖୋର୍ଦ୍ଧା ଜିଲ୍ଲାର ହାଟବରଡ଼ି ଠାରୁ ପୁରୀ ଜିଲ୍ଲାର ବୋରଗକୁଦି ପର୍ଯ୍ୟନ୍ତ ଘାସ ବ୍ୟାପୀ ଗଲାଣି। ସୋରଣ, କାଳୁପଡ଼ା, ପାଣିଦୁଆର, ମଙ୍ଗଳାଯୋଡ଼ି, ବାଲିପାଟପୁର, ଭୂଷଣ୍ଡପୁର, ଜାଗୁଳିପଦର, ଉତ୍ତର ଚିଲିକା ଘାସମୟ ହୋଇଗଲାଣି। ଫଳରେ ମତ୍ସ୍ୟଜୀବୀମାନେ ବହୁ ଅସୁବିଧା ଭୋଗୁଛନ୍ତି।
ନଳଘାସ ଉଚ୍ଛେଦ ଆଳରେ ଅତୀତରେ କୋଟି କୋଟି ଟଙ୍କା ଲୁଟି ନିଆଯାଇଛି। ତିନୋଟି ଜିଲ୍ଲାର ୧୪୭ଟି ଗ୍ରାମର ୪୫ ହଜାର ପଞ୍ଜିକୃତ ମତ୍ସ୍ୟଜୀବୀଙ୍କର ଚିଲିକା ହେଉଛି ଭାତ ହାଣ୍ଡି। ହେଲେ ଦୁର୍ବଳ ଉପରେ ସବଳର ଅତ୍ୟାଚାର ଭଳି ଖୋର୍ଧା ଜିଲ୍ଲାର ବେଗୁନିଆ, ବାଲିଆ, ବଉଳାବନ୍ଧ, ସୁଭଦ୍ରାପୁର, ଜଗନ୍ନାଥପୁର, ପୁରୀ ଜିଲ୍ଲାର ଦହିଖିଆ, ବ୍ରହ୍ମଗିରି, ଗମ୍ଭାରି, କୃଷ୍ଣପ୍ରସାଦ, ଗଞ୍ଜାମ ଜିଲ୍ଲାର ପାଲୁର, ମୁହାଣ ଆଖପାଖ, ତିଛଣ ଓ ତିତିପ ଭଳି ବହୁ ସ୍ଥାନରେ ଆନୁମାନିକ ୧୦୦ ବର୍ଗ କିଲୋମିଟର ଚିଲିକା ଭିତରକୁ କବ୍ଜା କରି ଆନ୍ଧ୍ର, ଓଡିଶା, ତାମିଲନାଡୁ ଅଞ୍ଚଳର ମାଫିଆମାନେ ଚିଙ୍ଗୁଡି ଚାଷ କରୁଛନ୍ତି। ଚିଙ୍ଗୁଡ଼ି ଚାଷ ପାଇଁ ବିଭିନ୍ନ କେମିକାଲ୍ ଓ ହରମୋନ ପ୍ରୟୋଗ ଯୋଗୁଁ ପାଣି ବିଷାକ୍ତ ହୋଇ ଚିଲିକାର ଜୈବ ବିବିଧତା ନଷ୍ଟ ହେଉଛି। ପାଣି ବିଷାକ୍ତ ହେବା କାରଣରୁ ବହୁ ମାଛ ବଂଶ ଲୋପ ପାଇ ଯାଇଥିବା କୁହାଯାଉଛି। ଚିଲିକାରେ ଜିରୋ ନେଟ୍ର ବ୍ୟବହାର ଯୋଗୁଁ ଛୋଟ ଜାଆଁଳ ବଂଶ ଲୋପ ପାଇବାର ପ୍ରମୁଖ କାରଣ କୁହାଯାଉଥିବା ବେଳେ ଏହାକୁ ହଟାଇବା ପାଇଁ ପଦକ୍ଷେପ କେବଳ ଉପର ଠାଉରିଆ।
ଛୋଟ ବଡ଼ ୩୬ଟି ନଦୀର ପାଣି ଚିଲିକାରେ ମିଶୁଛି। ଏହାର ପଟୁମାଟି ବାହାର କରିବା ପାଇଁ ପଦକ୍ଷେପ ନିଆଯାଉନଥିବାରୁ ଚିଲିକା ପୋତି ହେବାର ଅନ୍ୟ ଏକ କାରଣ। ଚିଲିକାରୁ ସମୁଦ୍ରକୁ ସଯୋଂଗ ପାଇଁ ଶିପକୁଦାରେ ମୁହାଣ ସରକାରଙ୍କ ପକ୍ଷରୁ ଖୋଳା ଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରକୃତିର ତାଣ୍ଡବ ଯୋଗୁଁ ୭ଟି ମୁହାଣ ଖୋଲି ଯାଇଥିଲା। ସାନପାଟଣା, ଅରଖକୁଦା, ଗଡ଼କୁଣ୍ଡ, ମିର୍ଜାପୁର ଓ ସିପକୁଦା ଅଞ୍ଚଳରେ ଥିବା ମୁହାଣ ଏବେ ମାଫିଆଙ୍କ କବ୍ଜାରେ। ତେଣୁ ମାଛ ଜାଆଁଳ ଚିଲିକା ଭିତରକୁ ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଚିଲିକାର ନଈରି ଠାରୁ ବଉଳାବନ୍ଧ (ଆଡିଆ ପାହାଡ) କୁ ନେଇ ଏକ ଘରୋଇ ସଂସ୍ଥା ଫିଲ୍ମ ସିଟି କରିବା ପାଇଁ ମସୁଧା ଚଳାଇଛି। ଏହାକୁ ଚିଲିକା ମତ୍ସ୍ୟଜୀବୀ ମହାସଂଘ ମୁଖ୍ୟ ଉପଦେଷ୍ଟା ଦିଲୀପ କୁମାର ବେହେରା ଦୃଢ ବିରୋଧ କରିଛନ୍ତି। ଚିଲିକାରେ ମାଛ ସଂଖ୍ୟା ବଢ଼ିଲେ ମତ୍ସ୍ୟଜୀବୀ ବଞ୍ଚିବେ। କିନ୍ତୁ ଚିଲିକାରେ ପର୍ଯ୍ୟଟନ ଶିଳ୍ପକୁ ଅଗ୍ରାଧିକାର ଠିକ୍ ନୁହେଁ ବୋଲି ସେ ମତ ପ୍ରକାଶ କରନ୍ତି।
The post ଆନ୍ଧ୍ର, ତାମିଲନାଡ଼ୁ ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚିଲିକା first appeared on Sambad.from ଜିଲ୍ଲା | Sambad https://ift.tt/3o7AjOH
0 Comments