
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଅକ୍ସିଜେନ୍ ସିଲିଣ୍ଡର୍ର ଦାମ୍ ୨୫ରୁ ୩୦ ହଜାର! କୋଭିଡ୍ ରୋଗୀଙ୍କ ପାଇଁ ଅକ୍ସିଜେନ୍ ଅତ୍ୟନ୍ତ ଜରୁରୀ ଥିବାବେଳେ ଏହାର ସୁଯୋଗରେ ଏହିଭଳି ଭାବେ ଚଢ଼ାଦରରେ ବିକ୍ରି କରାଯାଉଛି। ଏ ନେଇ ଅଭିଯୋଗ ଆସିବାପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ଏକ ଟିମ୍ ନୂଆ ବସ୍ଷ୍ଟାଣ୍ଡ୍ ସ୍ଥିତ ଏକ ସର୍ଜିକାଲ୍ ସରଞ୍ଜାମ ଦୋକାନରେ ଚଢ଼ଉ କରିବା ସହିତ ୧୦ଟି ସିଲିଣ୍ଡର୍ ଜବତ କରିଛି। ଅତି ଜରୁରୀ ଥିବା ଲୋକଙ୍କୁ ଚଢ଼ାଦରରେ ଏହା ବିକ୍ରି କରିବା ପାଇଁ ଗଚ୍ଛିତ ରଖାଯାଇଥିଲା ବୋଲି ଡ୍ରଗ୍ ଇନସ୍ପେକ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କରୋନାର ଦ୍ବିତୀୟ ଲହର୍ରେ ରୋଗୀଙ୍କ ଅମ୍ଳଜାନସ୍ତର ହଠାତ୍ କମି ଯାଉଛି। ଏଣୁ ଅଧିକାଂଶ ରୋଗୀଙ୍କୁ ଏବେ ଅକ୍ସିଜେନ୍ ଦରକାର ପଡ଼ୁଛି। ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟବସାୟୀ ଓ ସେମାନଙ୍କ ନିୟୋଜିତ ଦଲାଲ୍। ବ୍ରହ୍ମପୁର ସହରରେ ଅତି ଜରୁରୀ ଆବଶ୍ୟକ କ୍ଷେତ୍ରରେ ଏବଂ ନିଜ ସଂପର୍କୀୟଙ୍କ ଜୀବନ ବଞ୍ଚାଇବାକୁ ସିଲିଣ୍ଡର୍ଟିଏ ପାଇଁ ବିକଳ ହୋଇ ଖୋଜୁଥିବା ଲୋକଙ୍କୁ ପ୍ରାୟ ୨୫ରୁ ୩୦ହଜାର ଟଙ୍କାରେ ଅକ୍ସିଜେନ୍ ସିଲିଣ୍ଡର୍ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ କ୍ରମେ ଆଜି ବ୍ରହ୍ମପୁର ପୁଲିସ ଏବଂ ଡ୍ରଗ୍ ଇନ୍ସ୍ପେକ୍ଟର୍ କାର୍ଯ୍ୟାଳୟର ଅଧିକାରୀଙ୍କୁ ନେଇ ଗଠିତ ଏକ ମିଳିତ ଟିମ୍ ନୂଆ ବସଷ୍ଟାଣ୍ଡ୍ ରୋଡ଼ ସ୍ଥିତ ଶ୍ରୀ ସର୍ଜିକାଲ୍ସ ଦୋକାନରେ ଚଢ଼ଉ କରିଥିଲା। ବ୍ରହ୍ମପୁର ଡ୍ରଗ୍ ଇନ୍ସ୍ପେକ୍ଟର୍ ଦେବାଶିଷ କାଲୋ, ଛତ୍ରପୁର ଇନ୍ସ୍ପେକ୍ଟର୍ ଲଳିତ କୁମାର ସାହୁ ଓ ବ୍ରହ୍ମପୁର ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ଚଢ଼ଉର ନେତୃତ୍ବ ନେଇଥିଲେ। ଯାଞ୍ଚ ପରେ ଦୋକାନ ଭିତରେ ରଖା ଯାଇଥିବା ୧୦ଲିଟର୍ ବିଶିଷ୍ଟ ୧୦ଟି ଅମ୍ଳଜାନ ସିଲିଣ୍ଡର୍ ଜବତ କରା ଯାଇଥିଲା। ଏହି ସିଲିଣ୍ଡର୍ ଅଧିକ ଦରରେ ରୋଗୀଙ୍କୁ ବିକ୍ରି କରିବା ପାଇଁ ରଖାଯାଇଥିଲା ବୋଲି ଡ୍ରଗ୍ ଇନ୍ସ୍ପେକ୍ଟର୍ ଶ୍ରୀ କାଲୋ କହିଛନ୍ତି। ସେହିପରି ଏହି ଦୋକାନୀ ସିଲିଣ୍ଡର୍ ବିକ୍ରି କରିବା ପାଇଁ ଆବଶ୍ୟକ ଅନୁମତି ନେଇ ନଥିଲେ। ଏଣୁ ସିଲିଣ୍ଡର୍ ଗୁଡ଼ିକୁ ଜବତ କରାଯାଇ ଅଧିକ ତଦନ୍ତ ଚଲିଛି। ଆଗାମୀ ଦିନରେ ମଧ୍ୟ ଚଢ଼ଉକୁ ବ୍ୟାପକ କରାଯିବ ବୋଲି ଶ୍ରୀ କାଲୋ କହିଛନ୍ତି।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଅମ୍ଳଜାନ୍ ସିଲିଣ୍ଡର୍ ରିଫିଲିଂ ସମସ୍ୟା ସମାଧାନ ପାଇଁ ନେଇ ଏକ ହେଲ୍ପଲାଇନ୍ ନମ୍ବର-୦୬୮୦-୨୨୨୭୦୦୦ ଜାରି କରାଯାଇଛି। କୌଣସି ସ୍ଥାନରେ ଅମ୍ଳଜାନ୍ ସିଲିଣ୍ଡର୍ ଚଢ଼ାଦରରେ ବିକ୍ରି ହେଉଥିବା ଖବର ମିଳିଲେ ଏହି ନମ୍ବରରେ ସୂଚନା ଦେବାକୁ କୁହାଯାଇଛି। ସେହିପରି ଏହି ନମ୍ବର ଜରିଆରେ ସରକାରୀ ଧାର୍ଯ୍ୟ ଦରରେ ଅମ୍ଳଜାନ୍ ରିଫିଲ୍ ପାଇଁ ଆବଶ୍ୟକ ପରାମର୍ଶ ଦିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ଓ କୋଭିଡ୍ ରିପୋର୍ଟକୁ ଆଧାର କରି ଏହି ସୁବିଧା ପ୍ରଦାନ କରାଯିବ ବୋଲି କୁହାଯାଇଛି।
The post ଅକ୍ସିଜେନ୍ ସିଲିଣ୍ଡର୍ ଦାମ୍ ୩୦ ହଜାର! ଅଭିଯୋଗ ପରେ ଚଢ଼ଉ, ୧୦ ସିଲିଣ୍ଡର୍ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/34xOrrG
0 Comments