ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ଅବସରପ୍ରାପ୍ତ ପ୍ରଫେସର ଡା. ଦେବେନ୍ଦ୍ର କିଶୋର ସାମନ୍ତରାୟ(୮୩)ଙ୍କ କରୋନାରେ ପରଲୋକ ହୋଇଛି। ସେ ଏମ୍‌କେସିଜି ମେଡିକାଲ୍ର‌ ଯକ୍ଷ୍ମା ଓ ଛାତିରୋଗ ବିଭାଗର ପ୍ରଫେସର ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ଅବସର ନେଇଥିଲେ। ଅବସର ପରେ ସେ ଭୁବନେଶ୍ବର ବ୍ରହ୍ମେଶ୍ବରପାଟଣା ସ୍ଥିତ ନିଜ ଗାଁରେ ରୋଗୀସେବା ଜାରି ରଖିଥିଲେ। ସେ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଡାକ୍ତର ଭାବେ ପରିଚିତ ଥିଲେ।

କରୋନା ସମୟରେ ଯେଉଁ ରୋଗୀ ତାଙ୍କ ନିକଟକୁ ଆସିଥିଲେ ସେ ସମସ୍ତଙ୍କ ଚିକିତ୍ସା କରିଥିଲେ। ଗତ ୨୦୧୦ ମେ ମାସରୁ ନିରନ୍ତର ରୋଗୀସେବା ଜାରି ରଖିଥିଲେ। ରୋଗୀ ସେବାରେ ବ୍ରତୀ ଡାକ୍ତରମାନଙ୍କ ନିମନ୍ତେ ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ ବୋଲି ସେ କହୁଥିଲେ। ଜନସେବାରେ ନିଜକୁ ନିୟୋଜିତ କରି ଶେଷରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଅପରାହ୍‌ଣରେ ତାଙ୍କର ବିୟୋଗ ଘଟିଛି। ସେ ଜଣେ ପରୋପକାରୀ, ମେଳାପି ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

The post ଏମ୍‌କେସିଜିର ଅବସରପ୍ରାପ୍ତ ପ୍ରଫେସରଙ୍କ ବିୟୋଗ first appeared on Sambad.

from ଜିଲ୍ଲା | Sambad https://ift.tt/3evzFHB