ଡେରାବିଶ : ମୃତ୍ୟୁ କେମିତି କେତେବେଳେ ଆସିବ, ତାହା ସମସ୍ତଙ୍କ କଳ୍ପନା ବାହାରେ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ନରସିଂହପୁର ପଞ୍ଚାୟତର ତିଲଙ୍ଗ ଗ୍ରାମରେ ଏକ ଆକସ୍ମିକ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି।

ସୂଚନା ମୁତାବକ, ନରସିଂହପୁର ପଞ୍ଚାୟତ ତିଲଙ୍ଗ ଗ୍ରାମର ସରପଞ୍ଚ କମଳାପ୍ରଭା ଖଟୁଆଙ୍କ ସ୍ବାମୀ ତଥା ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ଖଟୁଆ(୬୨) ଗତ ବୁଧବାର ସାନଝିଅର ବିବାହ କାର୍ଯ୍ୟ ସୁରୁଖୁରୁରେ ସାରି‌ଲେ। ଗୁରୁବାର ସକାଳେ ଝିଅ ଜ୍ବାଇଁଙ୍କୁ ବିଦା କଲେ। ମାତ୍ର ସେହିଦିନ ସଂଧ୍ୟାରେ ସେ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କଲେ। ତାଙ୍କୁ ପରିବାର ଲୋକେ ଚିକିତ୍ସା ନିମନ୍ତେ କଟକ ନେଉଥିବା ବେଳେ ବାଟରେ ଶ୍ରୀ ଖଟୁଆଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣା ଡେରାବିଶ ବ୍ଲକ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ଗ୍ରାମ ଶ୍ମଶାନରେ ତାଙ୍କର ଶବ ସଂସ୍କାର କରାଯାଇଛି।

ସ୍ବର୍ଗତ ଖଟୁଆ ୧୯୯୧ରୁ ୧୯୯୪ ଓ ପରେ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ନରସିଂହପୁର ସରପଞ୍ଚ ଥିଲେ। ୨୦୧୭ରେ ଏହି ପଞ୍ଚାୟତ ମହିଳାମାନଙ୍କ ପାଇଁ ସଂରକ୍ଷିତ ହୋଇଯିବାରୁ ଶ୍ରୀ ଖଟୁଆଙ୍କ ପତ୍ନୀ କମଳପ୍ରଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

The post ସକାଳେ ଝିଅ ବିଦା, ସଂଜରେ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3vnydxb