ବ୍ରହ୍ମପୁର : ଏମ୍‌କେସିଜି କାଜୁଆଲ୍‌ଟିରେ ଘଟିଛି ପୁଣି ଏକ ଅଘଟଣ। କାଜୁଆଲ୍‌ଟିର ଦ୍ବିତୀୟ ମହଲାରେ ଥିବା ବାଥ୍‌ରୁମ୍‌ରେ ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ‌ନେଇ ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୨୪୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଏଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ମୃତ ରୋଗୀ ଜଣକ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଏକଲପୁର ଗ୍ରାମର ରାଜେନ୍ଦ୍ର ମୁନି(୩୮) ବୋଲି ପୁଲିସ କହିଛି।

ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ଗ୍ରାମର ବାଞ୍ଝାନିଧି ମୁନିଙ୍କ ପୁଅ ରାଜେନ୍ଦ୍ରଙ୍କୁ ଗତ କିଛିଦିନ ତଳେ ଜ୍ବର ହୋଇଥିଲା। ହଠାତ୍‌ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା। ଏଣୁ ତାଙ୍କୁ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ କାଜୁଆଲ୍‌ଟିର ଦ୍ବିତୀୟ ମହଲାରେ ଭର୍ତ୍ତି କରାଯାଇଥିଲା। ସେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ। ଫଳରେ ତାଙ୍କୁ ଅକ୍ସିଜେନ୍‌ ଦିଆଯାଇଥିଲା। ତାଙ୍କର ଶାଳକ ବଡ଼ଗଡ଼ ଥାନା ବାରସିଙ୍ଗା ଗ୍ରାମର ସଂଜୟ କୁମାର ମୁନି ମଧ୍ୟ କାଜୁଆଲ୍‌ଟିରେ ତାଙ୍କ ସହିତ ଉପସ୍ଥିତ ଥିଲେ। ରବିବାର ଅପରାହ୍‌ଣରେ ରାଜେନ୍ଦ୍ର ଶୌଚାଳୟ ଯାଇଥିଲେ। ଦୀର୍ଘ ସମୟ ପରେ ମଧ୍ୟ ସେ କବାଟ ଖୋଲି ନଥିଲେ। ଫଳରେ ବାହାରେ ଜଗିଥିବା ଶାଳକ ସଂଜୟଙ୍କୁ ସନ୍ଦେହ ହୋଇଥିଲା। ଏ ନେଇ ସେ ସୁରକ୍ଷା କର୍ମୀଙ୍କୁ ଖବର କରିଥିଲେ। ରାଜେନ୍ଦ୍ରଙ୍କୁ ବାହାରୁ ଡାକିବା ପରେ ମଧ୍ୟ ସେ ଶୁଣି ନଥିଲେ। ଫଳରେ ପୁଲିସକୁ ଖବର କରାଯାଇଥିଲା।

ପୁଲିସ ପହଞ୍ଚିବା ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କବାଟ ଭଙ୍ଗା ଯାଇଥିଲା। କବାଟ ଭାଙ୍ଗି ଦେଖିବା ବେଳେ ରାଜେନ୍ଦ୍ରଙ୍କ ଶବ ଏକ ଗାମୁଛାରେ ବନ୍ଧା ହୋଇଥିଲା। ତାଙ୍କୁ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବର ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ପୁଲିସର ପ୍ରାଥମିକ ତଦନ୍ତରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ କାହିଁକି ଏମିତି ଘଟଣା ଘଟିଲା ସେ ନେଇ କେହି କିଛି ସ୍ପଷ୍ଟ କରୁ ନାହାନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

The post ଏମ୍‌କେସିଜି କାଜୁଆଲ୍‌ଟିରେ ବଡ଼ ଅଘଟଣ: ଶୌଚାଳୟରେ ରୋଗୀଙ୍କ ଆତ୍ମହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/33M2NUX